ସମ୍ବଲପୁର: ସମ୍ବଲପୁର ସହରକୁ ବିକଶିତ କରି ଗଢ଼ି ତୋଳିବାକୁ ସରକାରୀ ସ୍ତରରେ ବିଭିନ୍ନ ପ୍ରସ୍ତାବ ହେଉଛି। ରାଜ୍ୟ ସରକାର ଅନେକ ପ୍ରକଳ୍ପ ବି ଘୋଷଣା କରୁଛନ୍ତି। ପ୍ରଶାସନିକ ସ୍ତରରେ କିଛି ପାଦ ଆଗେଇଲା ପରେ କାମ ଠପ୍‌ ହୋଇଯାଉଛି। ସମ୍ବଲପୁରରେ ମହାନଦୀ ଉପରେ ଦ୍ୱିତୀୟ ସେତୁ ହେବା ପରେ ବୁର୍ଲାକୁ ସହର ସହ ଯୋଡ଼ିବାକୁ ଆଉ ଏକ ରିଂରୋଡ଼ କରିବାକୁ ପ୍ରସ୍ତାବ ହୋଇଥିଲା। ସର୍ଭେ ବି ହେଲା। ହେଲେ କାମ ନୋହିଲା।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ମହାନଗର ନିଗମ ସହ ବୁର୍ଲାକୁ ଯୋଡ଼ିବାକୁ ୨୦୧୬ ମସିହାରେ ରିଂରୋଡ କରିବାକୁ ପ୍ରସ୍ତାବ ହୋଇଥିଲା। ପ୍ରସ୍ତାବ ଅନୁସାରେ, ମହାନଦୀ ସେତୁ ଡେଇଁଲା ପରେ ଆରପଟ ଚାଉଁରପୁରଠାରୁ ବୁର୍ଲା ଅଶୋକ ନିବାସ ଯାଏଁ ଦୁଇଲେନ ବିଶିଷ୍ଟ ୧୪ କିମି ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହିକ୍ରମରେ ରାସ୍ତା ନିର୍ମାଣ ପୂର୍ବରୁ ଏକ କମ୍ପାନିକୁ ସର୍ଭେ କରିବାକୁ ନିଯୁକ୍ତ କରାଯାଇଥିଲା। ସିଏଡିଡି କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ ପକ୍ଷରୁ ସର୍ଭେ କାମ ହୋଇଥିଲା। ଏପରିକି ରିଂରୋଡ଼କୁ ଦୁଇଟି ପର୍ଯ୍ୟାୟରେ କରିବାର ଥିଲା। ପ୍ରଥମ ପର୍ଯ୍ୟାୟରେ ଚାଉଁରପୁରଠାରୁ ଏନ୍‌ଏଚ୍‌୫୩ ପାୱାରଚାନେଲ ଯାଏଁ ୩.୫କିମି ରାସ୍ତା କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏନ୍‌ଏଚ୍‌ ୫୩ରୁ ଅଶୋକ ନିବାସ ଯାଏଁ କିରବା, ଗୌଡ଼ପାଲି ଓ ଗାଁବୁର୍ଲା ଦେଇ ରାସ୍ତା ନିର୍ମାଣର ଯୋଜନା ହେଲା। ତେବେ ରାସ୍ତା ପାଇଁ ଘରୋଇ ଜମି ମୋଟ ୫୨ ଏକର ପ୍ରଭାବିତ ହେବ ବୋଲି ସର୍ଭେ କରିଥିବା କମ୍ପାନି ଜଣାଇଥିଲା। ଏଣୁ ଜିଲ୍ଲା ପ୍ରଶାସନ ଲୋକଙ୍କଠାରୁ ସିଧାସଳଖ କିଣିବାକୁ ପଦକ୍ଷେପ ନେଇଥିଲା। ହେଲେ ଜମି ମୂଲ୍ୟକୁ ନେଇ ଲୋକେ ଅସନ୍ତୋଷବ୍ୟକ୍ତ କରି ଜମି ଦେବାକୁ ମନା କରିଥିଲେ। ଫଳରେ ଜମିଅଧିଗ୍ରହଣ ଆଇନରେ ଜମି ଅଧିଗ୍ରହଣ କରାଯାଇ ରିଂରୋଡ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାର ଯୋଜନା କରିଥିଲା।ତାପରେ ଏହି ପ୍ରସ୍ତାବ ସର୍ଭେରେ ହିଁ ସୀମିତ ରହିଯାଇଛି। ସମ୍ବଲପୁର ଓ ବୁର୍ଲାବାସୀଙ୍କୁ ରିଂରୋଡ଼ ସ୍ୱପ୍ନ ଦେଖାଯାଇ ଲଲିପପ୍ ଧରାଇଦିଆଯାଇଛି ବୋଲି ସାଧାରଣରେ ଅଭିଯୋଗ ଉଠୁଛି।

Advertisment

ପ୍ରକାଶ ଯେ, ରିଂରୋଡ ପ୍ରକଳ୍ପ ସମ୍ବଲପୁର ଓ ବୁର୍ଲା ଉଭୟ ପାଇଁ ନିହାତି ଆବଶ୍ୟକ। କାରଣ ବୁର୍ଲାଠାରେ ବିଶ୍ବବିଦ୍ୟାଳୟଠାରୁ ନେଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିମସାର, ଭିସୁଟ୍‌ ସବୁକିଛି ଅଛି। ହଜାର ହଜାର ଛାତ୍ରଛାତ୍ରୀ ଏହି ରାସ୍ତା ହେଲେ ଉପକୃତ ହେବେ। ସମ୍ବଲପୁରବାସୀ ବି ବୁର୍ଲାକୁ ଯିବାକୁ ସିଧାସଳଖ ଯାଇପାରିବେ। ବୁର୍ଲାବାସୀ ମଧ୍ୟ ସବୁବେଳେ ସମ୍ବଲପୁର ମହାନଗର ସହ ଯିବାଆସିବା କରିପାରିବେ। ଏହାସହ ସ୍ୱାସ୍ଥ୍ୟସେବା ପାଇଁ ବିଭିନ୍ନ ଜିଲ୍ଲାରୁ ଆସୁଥିବା ରୋଗୀ ଓ ସଂପର୍କୀୟମାନେ ମଧ୍ୟ ସମ୍ବଲପୁର ସହରକୁ ସୁବିଧାରେ ଯିବାଆସିବା କରିପାରିବେ। ଏଣୁ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।