ସମ୍ବଲପୁର: ବନ୍ଧୁକ ମୁନରେ ଫାଇନାନ୍ସ କମ୍ପାନିରୁ ୬ ଲକ୍ଷ ଲୁଟ, ହିସାବରକ୍ଷକ ଓ ସୁରକ୍ଷା କର୍ମୀ ଆହତ

ସମ୍ବଲପୁର: ଦିନ ଦ୍ୱିପ୍ରହରରେ ଗୁରୁବାର ଚଳଚ୍ଚିତ୍ରର କାହାଣୀ ଶୈଳୀରେ ଏକ ଫାଇନାନ୍ସ କମ୍ପାନିରୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜା ନିକଟରେ ଥିବା ଫାଇନାନ୍ସ କମ୍ପାନି ‘ମୁଟୁଥ ଫାଇନାନ୍ସ’ରୁ ଏହି ଲୁଟ ହୋଇଛି। ଅପରାହ୍ନ ୩ଟାରୁ ୪ଟା ଭିତରେ ହୋଇଥିବା ଲୁଟ ପୂର୍ବରୁ ୫ଜଣ ଦୁର୍ବୃତ୍ତ ଏକ କାରରେ କମ୍ପାନି ସମ୍ମୁଖକୁ ପହଞ୍ଚି ଥିଲେ। କମ୍ପାନି ବାହାର ପାଶ୍ୱରେ ବନ୍ଧୁକ ଧରି ୨ଜଣ ଥିବା ବେଳେ ଭିତରକୁ ଅନ୍ୟ ୩ଜଣ ପ୍ରବେଶ କରିଥିଲେ।

ଦୁର୍ବୃତ୍ତମାନେ ଉପସ୍ଥିତ ଫାଇନାନ୍ସ କମ୍ପାନିର ହିସାବରକ୍ଷକ ଅଭିଳାଷ ଷଣ୍ଢ ଓ ସୁରକ୍ଷା କର୍ମୀ ଶରତ ଚନ୍ଦ୍ର ପଣ୍ଡାଙ୍କୁ ପିସ୍ତଲ ଦେଖାଇବା ସହିତ ଆକ୍ରମଣ କରିଥିଲେ। ଅଭିଳାଷ ଓ ଶରତଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏତଦ୍‌ ଦୃଶ୍ୟ ଦେଖି କମ୍ପାନିର ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇ ଉଠିଥିଲେ। କମ୍ପାନି ପରିସରରେ କିଛି ସମୟ ପର୍ଯ୍ୟନ୍ତ ଆତଙ୍କରାଜ ଦେଖାଯାଇଥିଲା। ଦୁର୍ବୃତ୍ତମାନେ ପ୍ରାୟ ୬ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟି ଫେରାର ହୋଇ ଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ପହଞ୍ଚି ସିସିଟିଭି ଫୁଟେଜ୍‌ ଓ ଅନ୍ୟ ତଥ୍ୟକୁ ଘଟଣାର ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର