ଉଦାହରଣ ହୋଇଛି ନିଆରା ଶିକ୍ଷକଙ୍କ ପାଠଶାଳା : ବସ୍ତିରେ ବିଦ୍ୟାର ଦୀପ ଜାଳୁଛନ୍ତି ରାନତାନୁ, ଅଚ୍ୟୁତ

ସମ୍ବଲପୁର, (ଗାର୍ଗୀ ଶତପଥୀ): ପିଲାମାନେ ଅଷ୍ଟମ, ନବମ ଶ୍ରେଣୀ ପଢୁଛନ୍ତି କିନ୍ତୁ ଅକ୍ଷର ଜାଣୁ ନଥିଲେ। ମାତ୍ରା କଣ ବୁଝି ପାରୁ ନଥିଲେ। ସଂଧ୍ୟା ହେଲେ ଘରେ ପାଠ ପଢିବେ କଣ ଖେଳରେ ବ୍ୟସ୍ତ ରହୁଥିଲେ। ସ୍କୁଲ ଯାଉଥିଲେ ବି ନଯିବା ଭଳି। ପରିବାରରେ ମା, ବାପା ମୂଲ ଲାଗନ୍ତି। ପିଲା ପଢୁ ବୋଲି ଚାହିଁଲେ ବି ପଢାଇ ପାରନ୍ତି ନାହିଁ। କାଳେ କେହି ପିଲା ଅସମାଜିକ ବ୍ୟକ୍ତିଙ୍କ ହାବୁଡ଼ରେ ପଡ଼ିଯିବ ତେଣୁ ସେମାନଙ୍କୁ ପଢ଼ାଇବା ଦାୟିତ୍ବ ନେଲେ ପଡ଼ାର ୨ ଯୁବକ ରାନତାନୁ ଦୀପ (୨୬) ଓ ଅଚ୍ୟୁତ ବାଗ (୨୬)। ୨ ବର୍ଷ ହେବ ପିଲାଙ୍କୁ କ୍ଲବ୍‌ ଗୃହରେ ସକାଳେ, ସଂଧ୍ୟାରେ ପାଠ ପଢ଼ାଉଛନ୍ତି। ଏଥିସହିତ ବାବା ସାହେବ ଆମ୍ବେଦକର, ବୀର୍ସା ମୁଣ୍ଡାଙ୍କ ସମେତ ମାଟିର ଯୋଗ୍ୟ ସନ୍ତାନଙ୍କ ବିଷୟରେ ବି ଶିକ୍ଷାଦାନ କରୁଛନ୍ତି। ଆବଶ୍ୟକ ସ୍ଥଳେ ପିଲାଙ୍କୁ ପାଠ୍ୟ ସାମଗ୍ରୀର ସହାୟତା କରୁଛନ୍ତି। ରାନତାନୁ ଦୀପ ବିଜୁଳି ବିଲ୍‌ ସଂଗ୍ରହ କରୁଥିବା ଅସ୍ଥାୟୀ କର୍ମଚାରୀ ହୋଇଥିବା ବେଳେ ଅଚ୍ୟୁତ ବାଗ ଜଣେ କ୍ଷୁଦ୍ର ଦୋକାନୀ। ପେସାଦାର ଶିକ୍ଷକ ନହୋଇ ବି ଉଭୟ ନିଆରା ଗୁରୁର ଉଦାହରଣ ପାଲଟିଛନ୍ତି।

ରାନତାନୁ କହନ୍ତି, ସମ୍ବଲପୁର ସହର ଘୁନଘୁଟି ପଡ଼ାର ଅଧିକାଂଶ ଲୋକ ଅନୁସୂଚିତ ଜାତି ଓ ଗରିବ ଶ୍ରେଣୀର। ମାବାପା ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ଅନେକ ପରିଶ୍ରମ କଲେ ବି ତାହା ସାକାର ହୋଇପାରେ ନାହିଁ। ବରଂ ଅନେକ ସମୟରେ ପିଲାମାନେ ବାଟବଣା ହୋଇଯାଆନ୍ତି। ଏସବୁ ଦେଖି ୨୦୧୭ ମସିହାରେ ତାଙ୍କ ପଡ଼ାରେ ସ୍ଥିତ ମୁକ୍ତେଶ୍ୱର ଯୁବକ ସଂଘ ପକ୍ଷରୁ ପିଲାଙ୍କୁ ପଢ଼ାଇବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ଏଥିପାଇଁ ସଂଘର ୨୬ ଯୁବକ ବାହାରିଥିଲେ। ମାତ୍ର ଏହା ସେତେବେଳେ କାର୍ଯ୍ୟକାରୀ ହୋଇ ପାରି ନଥିଲା। ପିଲାଙ୍କ ଅବସ୍ଥା ଦେଖି ପ୍ରାୟ ୨ ବର୍ଷ ପୂର୍ବରୁ ସେ ନିଜେ ପାଠ ପଢାଇବେ ବୋଲି ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସହଯୋଗ କରିବାକୁ ନିଜ ବନ୍ଧୁ ଅଚ୍ୟୁତ ବାଗଙ୍କୁ ଅନୁରୋଧ କରିବାରୁ ସେ ତତ୍‌କ୍ଷଣାତ ରାଜି ହୋଇଥିଲେ। ଅଚ୍ୟୁତଙ୍କ ବାପା ସିଡିଏମଓ ଅଫିସ କର୍ମଚାରୀ, ସେ ନିଜେ ଯୁବାବସ୍ଥାରେ ଅନେକ ଗରିବ ପିଲାଙ୍କୁ ଏହିଭଳି ପାଠ ପଢାଇଥିଲେ। ତେଣୁ ଅଚ୍ୟୁତ ଦୋକାନରେ ବସୁଥିଲେ ମଧ୍ୟ ବାପାଙ୍କଠାରୁ ପ୍ରଭାବିତ ହୋଇ ମହତ ଉଦ୍ଦେଶ୍ୟ ରଖି ପାଠ ପଢାଇବା ପାଇଁ ସଂକଳ୍ପ ନେଇଥିଲେ।

ସବୁ ପିଲା ଗୋଟିଏ ପ୍ରକାର ନଥିବାରୁ ଏହି ପାଠଶାଳାରେ ସମସ୍ତଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ପାଠପଢା ହୁଏ ବୋଲି କହନ୍ତି ଅଚ୍ୟୁତ। ଏଥି ପାଇଁ ୪ଟି ଗ୍ରୁପ୍‌ରେ ଅକ୍ଷର କିମ୍ବା ମାତ୍ରା ଜାଣୁନଥିବା, ବହି ପଢି ପାରୁଥିବା, ଇଂରାଜୀ ଜାଣୁ ନଥିବା ଏବଂ ନିଜ କ୍ଲାସ ଅନୁଯାୟୀ ପାଠ ଜାଣୁଥିବା ପିଲା ରହିଛନ୍ତି। ପ୍ରଥମେ ସକାଳେ ପଢାଉଥିଲେ । ପରବର୍ତ୍ତୀ ସମୟରେ ଦୁଇ ଓଳି ପଢାଇଲେ। ପ୍ରଥମେ ଶ୍ରୀକାନ୍ତ ନାମକ ଜଣେ ଯୁବକ କିଛି ଦିନ ପଢାଇଲେ। ଦୈନନ୍ଦିନ ପାଠ ବାହାରେ ଚିତ୍ରାଙ୍କନ ପ୍ରତିଯୋଗିତା ହୁଏ । ଅନେକ ପିଲା ସୁନ୍ଦର ଚିତ୍ର କରୁଛନ୍ତି । ସେମାନଙ୍କୁ ଶିଖାଇବା ପାଇଁ ସ୍ୱତନ୍ତ୍ର ଶିକ୍ଷକ ନାହାନ୍ତି । ଏଭଳି ଦେଖିଲେ ପାଠଶାଳାରେ କୌଣସି ଅଭାବ ନାହିଁ। କରୋନା ଯୋଗୁଁ ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କ ପରାମର୍ଶକ୍ରମରେ ବର୍ତ୍ତମାନ ପାଠଶାଳାଟି ବନ୍ଦ ରହିଛି। ଖୁବ ଶୀଘ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।

ପାଠଶାଳାର ସ୍ୱତନ୍ତ୍ରତା ହେଲା ଏଠାରେ ପ୍ରତି ଶନିବାର ସମ୍ବଲପୁରୀ ପାଠପଢା ହୁଏ । ପଦ୍ମଶ୍ରୀ ହଲଧର ନାଗ, ମିତ୍ରଭାନୁ ଗୌନ୍ତିଆ, ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ସମେତ ଅନେକ ସମ୍ବଲପୁରୀ ସାହିତ୍ୟିକଙ୍କ କବିତା, ପ୍ରବନ୍ଧ ପିଲା ପଢନ୍ତି ଏବଂ ଲେଖନ୍ତି। ରାନତାନୁ ଦୀପ ଏହି କ୍ଲାସ ନିଅନ୍ତି। ସେ କହନ୍ତି, ସମ୍ବଲପୁରୀ ଗୀତ, ପୋଷାକରେ ସମ୍ବଲପୁରୀ ପରିଚୟ ସୀମିତ ନୁହେଁ । ସମ୍ବଲପୁରୀ ଭାଷା ଏବଂ ସାହିତ୍ୟ ଆମର ସ୍ୱତନ୍ତ୍ରତା । ପରବର୍ତ୍ତୀ ପିଢି ଏହା ନ ଜାଣିଲେ, ଆମର ସମୃଦ୍ଧ ଭାଷା କିଭଳି ଜୀବିତ ରହିପାରିବ। ଏଥି ସହିତ ବାବାସାହେବ ଆମ୍ବେଦକର, ବୀର୍ସା ମୁଣ୍ଡାଙ୍କ ବିଷୟରେ ମଧ୍ୟ ବିଭିନ୍ନ ସମୟରେ ପିଲାଙ୍କୁ ପଢାଯାଏ। ସେମାନଙ୍କ ସ୍ୱତନ୍ତ୍ର ଫଟୋଚିତ୍ର ବି କ୍ଲବ୍‌ ଘରେ ସ୍ଥାନିତ ହୋଇଛି।

ସମ୍ବନ୍ଧିତ ଖବର