ନ୍ୟାୟ ପାଇଁ ବ୍ୟବସ୍ଥା ବିରୋଧରେ ବିଜୟରେ ବିଶ୍ୱାସୀ ବିଜୟିନୀ

ସମ୍ବଲପୁର (ଜ୍ଞାନରଂଜନ ମିଶ୍ର): ସାରା ଦେଶ ଏକ ହୋଇ ବି ନିର୍ଭୟାର ଦୋଷୀମାନଙ୍କୁ ଦଣ୍ଡିତ କରିବାରେ ଏ ଯାଏଁ ସମର୍ଥ ହୋଇ ପାରି ନାହିଁ। ନ୍ୟାୟ ବ୍ୟବସ୍ଥାର ଛିଦ୍ର ଗୁଡ଼ିକ ଦେଇ ସେମାନଙ୍କ ଦଣ୍ଡ ପାଇବାର ତାରିଖ ବାରମ୍ବାର ଘୁଞ୍ଚିଘୁଞ୍ଚି ଚାଲିଛି। ଏଭଳି ସ୍ଥିତିରେ ନିଜ ସ୍ୱର୍ଗତ ମା’କୁ ନ୍ୟାୟ ଦେବା ଓ ଭାଇଭଉଣୀଙ୍କ ପାଇଁ ନ୍ୟାୟ ହାସଲ କରିବାକୁ ଏକା ସଂଘର୍ଷ କରୁଛି ଝିଅଟିଏ। ଜଟିଳ ସମାଜିକ, ନ୍ୟାୟିକ ଓ ପୁଲିସ୍‌ ବ୍ୟବସ୍ଥା ବିରୋଧରେ ଚଳାଇଥିବା ଲମ୍ବା ଲଢ଼େଇରେ କେବେ ବି ବିଜୟର ଆଶା ଛାଡ଼ିନି ବିଜୟିନୀ।

ବିଶ୍ୱ ମହିଳା ଦିବସ ଅବସରରେ ମହିଳାଙ୍କ ସମ୍ମାନ ଓ ଗୁଣଗାନରେ ମୁଖର ହୋଇ ଉଠିଥିବା ଦେଶବାସୀଙ୍କ ଖୁସିର ଆଢ଼ୁଆଳରେ ରହି ପ୍ରତିକୂଳ ବ୍ୟବସ୍ଥା ବିରୋଧରେ ସଂଘର୍ଷ ଜାରି ରଖିଥିବା ଏହି ସାହସୀ ଯୁବତୀଙ୍କ ବିଷୟରେ ଯେତେ ଆଲୋଚନା କଲେ କମ୍‌ ହେବ।

ସମ୍ବଲପୁର ସହର ନନ୍ଦପଡ଼ା ନିବାସୀ ସ୍ୱର୍ଗତ ମୁରାରୀ ପ୍ରସାଦ ମିଶ୍ର ଏବଂ ଜୟଶ୍ରୀ ମିଶ୍ରଙ୍କ ତିନି ପୁଅଝିଅଙ୍କ ମଧ୍ୟରେ ଦ୍ଵିତୀୟ ବିଜୟିନୀ। ପୂର୍ବରୁ ପିତାଙ୍କ ପରଲୋକ ହୋଇ ଯାଇଥିବା ବେଳେ ୨୦୧୧ ମସିହାରେ ବଡ଼ ଭଉଣୀଙ୍କ ବିବାହର କିଛି ଦିନ ପୂର୍ବରୁ ନିମନ୍ତ୍ରଣପତ୍ର ଦେବାକୁ ଯାଇ ଆଉ ଘରକୁ ଫେରି ନଥିଲେ ମା’ ଜୟଶ୍ରୀ। ସେ କାହା ସହ ଫେରାର ହୋଇ ଯାଇଥିବା ନେଇ ପ୍ରଚାର ହେଲା। ଉକ୍ତ ପ୍ରଚାରକୁ ବିଶ୍ୱାସ କରି ପୁଲିସ୍‌ ଏକ ମାମଲା ରୁଜୁ କରି ବସିଗଲା, କୌଣସି ତଦନ୍ତ ବି କଲା ନାହିଁ। କୌଣସି ମତେ ବଡ଼ ଭଉଣୀଙ୍କ ବାହାଘର ହୋଇଗଲା। କିନ୍ତୁ ନିନ୍ଦା, ଅପବାଦ ଓ ତଦନ୍ତ ପରିବର୍ତ୍ତେ ପୁଲିସ୍‌ ତାତ୍ସଲ୍ୟ ଭିତରେ ଅସହାୟ ହୋଇଗଲେ ବିଜୟିନୀ ଓ ତାଙ୍କ ସାନ ଭାଇ ଭବାନୀ।

ସଂଘର୍ଷ ଜାରି ରହିବ

ଇତି ମଧ୍ୟରେ ଆଠ ବର୍ଷ ବିତିଗଲା। ନିଜ ମା’ଙ୍କ ନାମରେ ଲାଗିଥିବା ଅପବାଦକୁ କିନ୍ତୁ ଗ୍ରହଣ କରିପାରି ନଥିଲେ ତାଙ୍କର ପୁଅଝିଅ। ସତ୍ୟ ଉଜାଗର କରିବାକୁ ନିଜ ଜୀବନର ଉଦ୍ଦେଶ୍ୟ ଭାବେ ଗ୍ରହଣ କରି ନେଇଥିଲେ ବିଜୟିନୀ। ମେଧାବୀ ଛାତ୍ରୀ ବିଜୟିନୀ ସେତେବେଳକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରି ସାରିଥିଲେ। ନିଜ ଓ ସାନ ଭାଇର ଭବିଷ୍ୟତ ପାଇଁ କୋରାପୁଟରେ ୟୁନିସେଫର ଏକ ପ୍ରକଳ୍ପରେ କାମ କଲେ। ସେହି ସମୟରେ ସେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ଡିଗ୍ରି ହାସଲ କରିଥିଲେ। ଏହାପରେ ଦିଲ୍ଲୀର ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ରେ ଏମ୍ଫିଲ୍‌ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ଚାକିରି ଛାଡ଼ି ଦିଲ୍ଲୀ ଯାଇ ଜେଏନ୍ୟୁରେ ଏମ୍ଫିଲ ଡିଗ୍ରି ହାସଲ ପରେ ସେହିଠାରେ ପୁଣି ପିଏଚ୍‌ଡି କରିଥିଲେ। କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ନିଜ କ୍ୟାରିୟର ଗଢୁୁଥିବା ଏହି ଅସାଧାରଣ ଯୁବତୀ ଜଣକ ସମ୍ବଲପୁରରୁ ବହୁ ଦୂରରେ ଥାଇ ବି ନିଜ ମା’ଙ୍କୁ ଠାବ କରିବା ପାଇଁ ଦିନରାତି ଏକ କରି ଦେଇଥିଲେ। ଶେଷରେ ତାଙ୍କ ଉଦ୍ୟମ ସଫଳ ହୋଇଥିଲା। ନିମନ୍ତ୍ରଣପତ୍ର ବାଣ୍ଟିବାକୁ ଯାଇଥିବା ଦିନ ହିଁ ମା’ ଜୟଶ୍ରୀଙ୍କୁ ହତ୍ୟା କରା ଯାଇଥିବା ନେଇ ଠୋସ୍‌ ସୁରାଗ ଆଣି ପୁଲିସକୁ ଦେଲେ।

୮ ବର୍ଷ ପରେ ୨୦୧୯ ମସିହା ଜୁଲାଇ ମାସରେ ଉକ୍ତ କେସ୍‌ଟି ପୁଣି ଖୋଲିଲା। ପୁଲିସ୍‌ ନିଖୋଜ ବଦଳରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ବସନ୍ତ ପଣ୍ଡାକୁ ଗିରଫ କଲା ଯାହା ସହ ଜୟଶ୍ରୀ ପଳାଇ ଯାଇଥିବା ନେଇ ଅପବାଦ ରଚା ଯାଇଥିଲା। ଜୟଶ୍ରୀଙ୍କୁ ମାରି ପୋତି ଦେଇଥିବା ସ୍ଥାନ ବସନ୍ତ ଓ ତା’ ସହଯୋଗୀ ଦେଖାଇବା ପରେ ତାହା ଖୋଳି ଦେହାବଶେଷ ଉଦ୍ଧାର କରା ଯାଇଥିଲା।

ସମସ୍ତେ ବିଜୟିନୀଙ୍କ ଲଢ଼େଇ ଓ ସଂଘର୍ଷର ପ୍ରଶଂସା କଲେ। ଗଣମାଧ୍ୟମରେ ତାଙ୍କ ବିଷୟରେ ଅନେକ ଖବର ପ୍ରକାଶିତ ହେଲା। ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ବି କରାଗଲା। କିନ୍ତୁ କିଛି ମାସ ମଧ୍ୟରେ ସବୁ ପୁଣି ପୂର୍ବ ଭଳି ହୋଇଗଲା। ମାଆ ପାଇଁ ନ୍ୟାୟର ଲେଇରେ ପୁଣି ଏକା ପଡ଼ି ଗଲେଣି ବିଜୟିନୀ ଓ ତାଙ୍କ ଭାଇ ଭବାନୀ। ପୁଲିସ୍‌ ଓ ନ୍ୟାୟିକ ବ୍ୟବସ୍ଥାର ଛିଦ୍ର ଭିତରେ ଜେଲ୍‌ରେ ଥିବା ମୁଖ୍ୟ ଅଭିଯୁକ୍ତ ଜାମିନ ପାଇବାକୁ ଆବେଦନ କରିଛି। ପୁଲିସ୍‌ ହତ୍ୟାର ମୁଖ୍ୟ ଅଭିଯୁକ୍ତକୁ ଧରିଥିଲେ ବି ତା’ର ସହଯୋଗୀମାନେ ଏବେ ବି ଖୋଲାରେ ବୁଲୁଛନ୍ତି।

 

ଅପର ପକ୍ଷରେ ଘଟଣାର ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବା ପରେ ନିନ୍ଦାର ପାତ୍ର ହୋଇଥିବା ପୁଲିସ୍‌ ଏହି ମାମଲାକୁ ଅତ୍ୟନ୍ତ ଦୁର୍ବଳ କରି ଦେଇଛି। ଯେଉଁ ଅଧିକାରୀ ଘଟଣା ସାମ୍ନାକୁ ଆଣିବାରେ ପ୍ରମୁଖ ଭୂମିକା ନେଇଥିଲେ ତାଙ୍କୁ ଅନ୍ୟତ୍ର ବଦଳି କରି ଦିଆ ଯାଇଛି। ପୁଲିସ୍‌ ପକ୍ଷରୁ ଦାଖଲ ଚାର୍ଜସିଟ୍‌ ଅତ୍ୟନ୍ତ ଦୁର୍ବଳ ବୋଲି ଅଭିଯୋଗ କରନ୍ତି ବିଜୟିନୀ। ୨୨ ଜୁଲାଇ ୨୦୧୯ରେ ଘଟଣା ଉଜାଗର ହେବା ଦିନଠୁ ଅଗଷ୍ଟ ୨ରେ ଜୟଶ୍ରୀଙ୍କ ଦେହାବଶେଷ ଓ ପୁଅ ଝିଅଙ୍କ ରକ୍ତର ନମୁନା ଡିଏନ୍‌ଏ ଟେଷ୍ଟ ପାଇଁ ପଠାଯିବା ପର୍ଯ୍ୟନ୍ତ ହିଁ ଯାହା କିଛି ତଦନ୍ତ ହୋଇଥିଲା। ଏହାପରେ ପୁଲିସ୍‌ ପୁଣି ହାତ ବାନ୍ଧି ବସି ଯାଇଛି। ଅଗଷ୍ଟ ୨ରେ ଡିଏନ୍‌ଏ ପରୀକ୍ଷା ପାଇଁ ଭୁବନେଶ୍ୱର ପଠା ଯାଇଥିବା ନମୁନାକୁ ନଭେମ୍ବର ୧୦ରେ ପୁଣି ହାଇଦ୍ରାବାଦ ପଠାଗଲା। କିନ୍ତୁ ତା’ର ରିପୋର୍ଟ ଆଜି ଯାଏ ଆସି ନାହିଁ। ନଭେମ୍ବର ୧୮ରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ତଦନ୍ତ ଜାରି ରହିଛି ବୋଲି ଉଲ୍ଲେଖ କରାଯାଇଛି। କିନ୍ତୁ ସେ ଦିନଠୁ ଆଜି ଯାଏ କଣ ତଦନ୍ତ ହୋଇଛି ତାର ଜବାବ ମାଗିଛନ୍ତି ବିଜୟିନୀ। ଯେବେ ତାଙ୍କୁ ସହାନୁଭୂତିର ଆବଶ୍ୟକତା ଥିଲା ଅପବାଦ ଓ ତାତ୍ସଲ୍ୟ ମିଳିଥିଲା। ଏବେ ପୁଲିସ୍‌ ଓ ସମାଜ ତାଙ୍କ ପ୍ରତି ଅନେକ ସହାନୁଭୂତି ପ୍ରକଟ କରୁଛନ୍ତି। କିନ୍ତୁ ତାଙ୍କୁ ସହାନୁଭୂତି ନୁହେଁ ନ୍ୟାୟ ଦରକାର ବୋଲି କହନ୍ତି ବିଜୟିନୀ।

 

 

ଶେଷ ବିକଳ୍ପ ଯାଏଁ ଲଢ଼ିବେ ବିଜୟିନୀ

ପ୍ରଥମେ ଜିଲ୍ଲା କୋର୍ଟରୁ ମାମଲାକୁ ଓଡ଼ିଶା ହାଇକୋର୍ଟକୁ ନେଇଥିବା ବିଜୟିନୀ ଏବେ ତାକୁ ସୁପ୍ରିମ୍‌ କୋର୍ଟକୁ ସ୍ଥାନାନ୍ତର ପାଇଁ ଆବେଦନ ନିମନ୍ତେ ପ୍ରସ୍ତୁତି କରୁଛନ୍ତି। ସ୍ଥାନୀୟ ପୁଲିସ୍‌ଠାରୁ ନ୍ୟାୟ ପାଇବାର ଆଶା ଛାଡ଼ି ସାରିଥିବାରୁ ସିବିଆଇ ଭଳି କୌଣସି ସ୍ୱାଧୀନ ସଂସ୍ଥା ଦ୍ଵାରା ମାମଲାର ତଦନ୍ତ କରାଇବାକୁ ଦାବି କରିଛନ୍ତି। ଚାର୍ଜସିଟ୍‌ ଦାଖଲ ହେବା ପର୍ଯ୍ୟନ୍ତ ନିଜ ପାଠପଢ଼ା ପଛରେ ପକାଇ ୧୨୦ ଦିନ ଧରି ଦିଲ୍ଲୀ ଛାଡ଼ି ସମ୍ବଲପୁରରେ ରହିଥିବା ଉଚ୍ଚଶିକ୍ଷିତ ବିଜୟିନୀ ତଦନ୍ତ ପ୍ରକ୍ରିୟା ଉପରେ ଉଠାଇ ଥିବା ଅନେକ ପ୍ରଶ୍ନର ଉତ୍ତର ଆଜି ବି ପୁଲିସ୍‌ ନିକଟରେ ନାହିଁ। ଆଉ କିଛି ଦିନ ମଧ୍ୟରେ ସେ ନିଜ ପିଏଚ୍‌ଡି ଗବେଷଣାର ସଂଦର୍ଭ ଦାଖଲ କରିବେ। ଏହାପରେ ଉଚ୍ଚତର ଗବେଷଣା ପାଇଁ ଇଂଲଣ୍ଡ ଓ ଜର୍ମାନିର କିଛି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ଅଫର୍‌ ତାଙ୍କ ନିକଟରେ ଥିଲେ ବି ବର୍ତ୍ତମାନ ପାଇଁ ବିଦେଶ ଯିବାର ଚିନ୍ତା ନିଜ ମନରୁ କାଢ଼ି ସାରିଲେଣି ବିଜୟିନୀ। ପିଏଚ୍‌ଡି ପରେ ମା’ ପାଇଁ ନ୍ୟାୟର ଲଢ଼େଇ ହିଁ ତାଙ୍କର ସର୍ବପ୍ରଥମ ପ୍ରାଥମିକତା ହେବ। ନିଜ ଯୋଗ୍ୟତା ବଳରେ କୌଣସି ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିବା ସହ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଶେଷ ବିକଳ୍ପ ବାକି ଥିବା ପର୍ଯ୍ୟନ୍ତ ସାନ ଭାଇ ଭବାନୀ ସହ ମିଶି ସଂଘର୍ଷ ଜାରି ରଖିବେ ବୋଲି କହନ୍ତି ବିଜୟର ଆଶାବାଦୀ ବିଜୟିନୀ।

ସମ୍ବନ୍ଧିତ ଖବର