ସମ୍ବଲପୁର: ‘ସମ୍ବଲପୁର ଫ୍ୟାସୋନୋଭା’ର ଚତୁର୍ଥ ସଂସ୍କରଣ ରବିବାର ବୁଢ଼ାରଜା ସ୍ଥିତ ଏକ ହୋଟେଲ୍‌ରେ ଅନୁଷ୍ଠିତ ହୋଇଛି। ବରଗଡ଼ ସମ୍ବଲପୁରୀ ବସ୍ତ୍ରାଳୟ ପୃଷ୍ଠପୋଷକତାରେ ଓ ଏମସିଏଲ୍ ସହଯୋଗରେ ଅନୁଷ୍ଠିତ ଚତୁର୍ଥ ସଂସ୍କରଣକୁ ‘ଜାତୀୟ ହସ୍ତତନ୍ତ ଦିବସ’କୁ ସମର୍ପଣ କରାଯାଇଥିଲା। ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ସମ୍ବିତ ଆଚାର୍ଯ୍ୟ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ସମ୍ବଳିକା କିଡ୍‌ସ ମଡେଲଙ୍କୁ ନେଇ ପରିଧାନ ପ୍ରଦର୍ଶନ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଓ ୩ୟ ପର୍ଯ୍ୟାୟରେ ୟୁ-ଟ୍ରେଣ୍ଡ ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା। ତାପରେ ଏନ୍‌ଆଇଆଇଏଫଟି ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ପରିଧାନଗୁଡ଼ିକ ପ୍ରଦର୍ଶିତ ହୋଇଥିଲା। ଏହି ପୋଷାକ ପରିଧାନ କରି ମୋଟ ୭ଟି ପର୍ଯ୍ୟାୟରେ ଜାତୀୟ ସ୍ତରର ୧୨ ଜଣ ମହିଳା, ୨ ଜଣ ପୁରୁଷ ଓ ୩୦ ଜଣ କୁନି ମଡେଲ ରାମ୍ପ୍‌ୱାକରେ ଚାଲିଥିଲେ। ଏବର୍ଷ ପ୍ରଥମ କରି ୧୦ ଜଣ ଗୃହିଣୀ ମଡେଲ ରାମ୍ପ୍‌ରେ ଡିଜାଇନର୍‌ ଶାଢ଼ୀ ପ୍ରଦର୍ଶନ କରିଥିଲେ।
ନେକ୍ସଟଜେନ୍ ଫ୍ୟାସନ ଟୁର ଆଣ୍ଡ୍‌ ଲାଇଫ ଷ୍ଟାଇଲ୍ ପକ୍ଷରୁ ସମ୍ବଲପୁରୀ ହସ୍ତତନ୍ତ ଓ ବୟନଶିଳ୍ପକୁ ପ୍ରାଥମିକତା ଦେବା, ସ୍ଥାନୀୟ ବୁଣାକାର ଓ ଡ୍ରେସ ଡିଜାଇନର୍‌ଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ତିନି ବର୍ଷ ସଫଳ ଭାବେ ଆୟୋଜନ ପରେ ରବିବାର ସଂସ୍କରଣରେ ଅଧିକ ଉତ୍ସାହ ଦେଖିବାକୁ ମି​ଳିଥିଲା। ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶିଶିର ନାଗ, ବ୍ୟବସାୟିକ ମୁଖ୍ୟ ହେମନ୍ତ ମିଶ୍ର, ପୂର୍ବତନ ଅଧ୍ୟକ୍ଷ ବିଜୟ ମହାନ୍ତି, ନେକ୍ସଟଜେନ୍ ଫ୍ୟାସନ ଟୁର ଏଣ୍ଡ ଲାଇଫ୍ ଷ୍ଟାଇଲର ପ୍ରତିଷ୍ଠାତା ହିତେନ୍ଦ୍ର ଶାହୀ, ସହ ପ୍ରତିଷ୍ଠାତା ରତନ ସାଓ, ସମନ୍ୱୟକ ସୁବୋଧ ଚାନ୍ଦ, ସ୍ବେଚ୍ଛାସେବୀ ମିଲନ ହୋତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଶୁଭୋଜିତ୍ ପଣ୍ଡା ଓ ଅର୍ଚ୍ଚନା ବେହେରା ସଂଯୋଜନା କରିଥିଲେ।