ସମ୍ବଲପୁର: ଏକ ମାସ ହେବ ସମ୍ବଲପୁରରେ ଆଇନଜୀବୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ନେଇ ଆନ୍ଦୋଳନରେ ବସିଥିବା ବେଳେ ଜାମିନ ହୋଇନପାରିବାରୁ ମଣ୍ତଳ କାରାଗାରରେ କଏଦୀଙ୍କ ସ˚ଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ମଣ୍ତଳ କାରାଗାରରେ ମୋଟ ୫୪୦ ଜଣ କଏଦୀ ରହିବା ପାଇଁ ବ୍ୟବସ୍ଥା ଥିବା ବେଳେ ଏବେ କଏଦୀ ସ˚ଖ୍ୟା ଆସି ୯୩୫ରେ ପହଞ୍ଚିଲାଣି। ଶେଷରେ ଜେଲ ପରିସରରେ ନିର୍ମାଣ ହୋଇଥିବା ଡାକ୍ତରଖାନାର ଏକ ୱାର୍ଡକୁ କିଛି କଏଦୀଙ୍କୁ ସ୍ଥାନାନ୍ତର କରାଯାଇଥିବା ଜେଲର କହିଛନ୍ତି। ଏନେଇ ଆେଲାଚନା କରାଯାଇ ବ୍ୟକ୍ତିଗତ ମୁଚାଲିକାରେ ଛୋଟ ଅପରାଧର କଏଦୀଙ୍କୁ ମୁକ୍ତ କରାଯିବା ନେଇ ଯୋଜନା କରାଯାଉଥିବା ଜେଲ ସୁପରିନଟେଣ୍ଡେଣ୍ଟ ଅମିୟ ପଟ୍ଟନାୟକ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏନେଇ ପ୍ରାୟ ୬୦ ଜଣ କଏଦୀଙ୍କର ଏକ ତାଲିକା ପ୍ରସ୍ତୁତ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ପରିସ୍ଥିତିରେ ମଣ୍ତଳ କାରାଗାର ଉଛୁଳି ପଡ଼ୁଥିବା ବେଳେ ଆନ୍ଦୋଳନ ଯୋଗୁଁ ଜାମିନ୍ ମଧ୍ୟ ମିଳୁନାହିଁ। ଫଳରେ ଛୋଟମୋଟ ମାମଲା ଯେଉଁଥିରେ ଦିନେ ଦୁଇଦିନରେ ଜାମିନ ମିଳିଯାଏ, ସେମାନେ ଦୀର୍ଘ ଏକ ମାସ ହେଲା ଜେଲ ଭିତରେ ରହିବାକୁ ବାଧ୍ୟ ହୋଇଛନ୍ତି। ତେବେ ଯେଉଁ କଏଦୀଙ୍କର କେହି ନିଜ ଲୋକ ଆସୁଛନ୍ତି ସେମାନେ ମାଜିଷ୍ଟ୍ରେଟଙ୍କ ଠାରୁ ବ୍ୟକ୍ତିଗତ ମୁଚଲିକାରେ ଖଲାସ ହୋଇପାରୁଛନ୍ତି। କିନ୍ତୁ ଯାହାର କେହି ବ୍ୟକ୍ତିଗତ ମୁଚଲିକା ପାଇଁ ସକ୍ଷମ ନୁହନ୍ତି ସେଭଳି ଅପରାଧୀ ଜେଲର ଚାରିକାନ୍ଥ ଭିତରେ ସଢ଼ୁଛନ୍ତି। ମଣ୍ତଳ କାରାଗାରରେ ସର୍ବାଧିକ ୭୪୦ ଜଣ କଏଦୀ ରହିପାରିବେ। କିନ୍ତୁ ଏବେ କଏଦୀଙ୍କ ସ˚ଖ୍ୟା ଢେ଼ର ବୃଦ୍ଧି ପାଇ ସାରିଲାଣି। ତେବେ କଏଦୀ ସ˚ଖ୍ୟା ୯୫୦ ଛୁଇଁଲେ, ସେମାନଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବାକୁ ପଡ଼ିବ ବୋଲି ଜେଲ ସୁପରିନଟେଣ୍ତେଣ୍ଟ ସୂଚନା ଦେଇଛନ୍ତି। ଗୋଟିଏ ସେଲରେ ଜଣେ କଏଦୀ ରହିବାର ନିୟମ ରହିଥିବା ବେଳେ ବର୍ତ୍ତମାନ ଗୋଟିଏ ସେଲରେ ୩-୪ ଜଣ କଏଦୀଙ୍କୁ ରଖାଯାଉଛି।