ସମ୍ବଲପୁର, (ଜ୍ଞାନରଂଜନ ମିଶ୍ର): ଏକଦା କଂଗ୍ରେସ୍‌ର ଗଡ଼ ଥିବା ରାଜ୍ୟର ଅନ୍ୟତମ ସମ୍ମାନଜନକ ସମ୍ବଲପୁର ବିଧାନସଭା ଆସନରେ ଏକବିଂଶ ଶତାବ୍ଦୀରୁ ନୂଆ ଯୁଗର ଆରମ୍ଭ ହୋଇଥିଲା। ୧୯୫୧ରୁ ୧୯୯୫ ମଧ୍ୟରେ ହୋଇଥିବା ୧୧ଟି ନିର୍ବାଚନରୁ ୭ଟିରେ କଂଗ୍ରେସ ପ୍ରାର୍ଥୀ ଏହି ଆସନରୁ ବିଜୟୀ ହୋଇଥିଲେ। କିନ୍ତୁ ୨୦୦୦ ମସିହା ପରଠାରୁ ରାଜ୍ୟରେ ପରିବର୍ତ୍ତନ ସହ ସମ୍ବଲପୁରରେ ମଧ୍ୟ କଂଗ୍ରେସ ଦୁର୍ଗର ପତନ ହୋଇଥିଲା। ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ଲଗାତାର ତିନି ତିନିଥର ବିଜୟୀ ହୋଇଥିଲେ। ୨୦୦୦ ଓ ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀଭାବେ ସହଜ ବିଜୟ ଲାଭ କରିଥିବା ଜୟ ନାରାୟଣ ୨୦୦୯ରେ ବିଜେପି ପ୍ରାର୍ଥୀଭାବେ କଂଗ୍ରେସ୍‌ ଓ ବିଜେଡି ସମର୍ଥିତ ଏନ୍‌ସିପି ପ୍ରାର୍ଥୀଙ୍କୁ ପ୍ରତିହତ କରିଥିଲେ। ତେବେ ୨୦୧୪ରେ ଅଞ୍ଚଳରେ ପରିଚିତ କିନ୍ତୁ ରାଜନୀତିରେ ନୂଆ ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରି ବିଜେଡି ଚଳାଇଥିବା ଗୋଟି କାମ ଦେଇଥିଲା। ଜୟଙ୍କ ବିଜୟ ଯାତ୍ରାରେ ବ୍ରେକ୍‌ ଲଗାଇ ଲେ‌ାକେ ରାସେଶ୍ବରୀଙ୍କ ରାଜ ତିଳକ କରିଥିଲେ। ବିଜେଡି ପ୍ରଥମଥର ପାଇଁ ନିଜ ଦମ୍ଭରେ ଏଠାରୁ ବିଜୟୀ ହୋଇଥିଲା। ଓଡ଼ିଶା ଦଖଲର ଦୀର୍ଘ ଦେଢ଼ ଦଶନ୍ଧି ପରେ ସମ୍ବଲପୁର ଗଡ଼ ନବୀନଙ୍କ କବ୍‌ଜାକୁ ଯାଇଥିଲା।

Advertisment

କିନ୍ତୁ ଇତି ମଧ୍ୟରେ ମହାନଦୀରେ ଅନେକ ପାଣି ବୋହି ଯାଇଛି। ୫ ବର୍ଷ ତଳର ନୂଆ ମୁହଁ ଡାକ୍ତର ରାସେଶ୍ବରୀ ଏ ଭିତରେ ଜଣେ ପୋଖତ ରାଜନେତା ପାଲଟି ସାରିଛନ୍ତି। ଗତ ପରାଜୟର ସାମୟିକ ନିରବତା ପରେ ଜୟ ନାରାୟଣ ମିଶ୍ର ପୁଣି ଥରେ ସିଂହ ରଡ଼ି ଛାଡ଼ିଲେଣି। ବେଶ କିଛି ବର୍ଷ ଧରି ନିଘୋଡ଼ ନିଦରେ ଶୋଇ ରହିଥିବା କଂଗ୍ରେସ୍‌ ରାଜ୍ୟ ଓ ସ୍ଥାନୀୟ ନେତୃତ୍ବ ପରିବର୍ତ୍ତନ ପରେ ପୁଣିଥରେ ଉତ୍ସାହର ସହ ରଣାଙ୍ଗନରେ ଅବତୀର୍ଣ୍ଣ ହେଲାଣି। ତେଣୁ ୨୦୧୯ ନିର୍ବାଚନ ସମ୍ବଲପୁର ଇତିହାସର ଅନ୍ୟତମ ରୋଚକ ଲଢ଼େଇ ହେବ ଓ କୌଣସି ପ୍ରାର୍ଥୀ ପାଇଁ ବିଜୟ ସହଜ ହେବ ନାହିଁ ବୋଲି ଆଶା କରାଯାଉଛି।

ପରିବର୍ତ୍ତିତ ସମ୍ବଲପୁର ବିଧାନସଭା କ୍ଷେତ୍ର ସମ୍ବଲପୁର ମହାନଗର ନିଗମର ସୀମା ମଧ୍ୟରେ ଆବଦ୍ଧ। ମୂଳ ସମ୍ବଲପୁର ସହର ସମେତ ବୁର୍ଲା, ହୀରାକୁଦ ସହରାଞ୍ଚଳ ଏହି ବିଧାନସଭା ଅଧୀନରେ ଆସୁଛି। ଅଧିକାଂଶ ଶିକ୍ଷିତ ଓ ସଚେତନ ଭୋଟର ଥିବା ଏହି ନିର୍ବାଚନମଣ୍ଡଳୀରେ ଅର୍ଥ ବଳ, ବାହୁ ବଳ ବା ଦଳ ନାମରେ ଜିତିବା କୌଣସି ପ୍ରାର୍ଥୀ ପକ୍ଷରେ ସହଜ ନୁହେଁ। ଉପରୋକ୍ତ କାରକ ଗୁଡ଼ିକ କିଛି ମାତ୍ରାରେ ମତଦାନକୁ ପ୍ରଭାବିତ କରୁଥିଲେ ବି ପ୍ରାର୍ଥୀଙ୍କ ଯୋଗ୍ୟତା ମାପିବାରେ ଏଠାକାର ଭୋଟର ବେଶ ସକ୍ଷମ। ସମ୍ବଲପୁର ମହାନଗର ଅଞ୍ଚଳରେ ଦେଢ଼ଶହରୁ ଅଧିକ ବସ୍ତି ଥିବାବେଳେ ବସ୍ତି ବାସିନ୍ଦାଙ୍କ ଭୋଟ ଗୁରୁତ୍ବପୂର୍ଣ୍ଣ ହୋଇପାରେ। ସେହିପରି ସହରର ବର୍ଧିତ ସଂଖ୍ୟାଲଘୁ ଭୋଟ ମଧ୍ୟ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରେ। ଚଳିତ ନିର୍ବାଚନରେ ସହରରେ ଚାଲିଥିବା ଓ ଅଟକି ରହିଥିବା ବିକାଶ କାର୍ଯ୍ୟ, ହାଇକୋର୍ଟ ବେଞ୍ଚ ଆନ୍ଦୋଳନ, ପାନୀୟ ଜଳ, ବିଜୁଳି, ରାସ୍ତାଘାଟ, ସ୍ବାସ୍ଥ୍ୟସେବା ଓ ନିଯୁକ୍ତି ଆଦି ଭୋଟରଙ୍କ ପାଇଁ ପ୍ରମୁଖ ପ୍ରସଂଗ ହେବ।

ସମ୍ବଲପୁରରେ ବର୍ତ୍ତମାନର ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ ବିଜେଡି ଟିକଟ୍‌ ଦୌଡ଼ରେ ସମସ୍ତଙ୍କଠାରୁ ଆଗରେ ଅଛନ୍ତି। ତେବେ ଏହି ଦୌଡ଼ରେ ସେ ସଂପୂର୍ଣ୍ଣ ଏକାକୀ ନାହାନ୍ତି। ଗତ ୫ ବର୍ଷ ମଧ୍ୟରେ ସହରରେ ହୋଇଥିବା ବିକାଶ କାର୍ଯ୍ୟକୁ ପାଥେୟ କରି ବିଧାୟିକା ପୁଣିଥରେ ନିର୍ବାଚନ ବୈତରଣୀ ପାରି ହେବାର ଲକ୍ଷ୍ୟ ରଖିଛନ୍ତି। ସହରର ସାମାଜିକ ଜୀବନରେ ସକ୍ରିୟତା, ପ୍ରତିଟି କାର୍ଯ୍ୟକ୍ରମରେ ଯୋଗ ଦେବା, ଏବେ ବି ରୋଗୀ ସେବା ଜାରି ରଖିବା ବିଧାୟିକାଙ୍କ ସପକ୍ଷରେ ଯିବ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। କିନ୍ତୁ ନିଜର ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବିଧାୟିକା ଡା. ପାଣିଗ୍ରାହୀ ଦଳୀୟ ସଂଗଠନକୁ ଏକଜୁଟ ରଖିପାରି ନାହାନ୍ତି। ଦଳରେ ଗୋଷ୍ଠୀ ବିବାଦ ତୀବ୍ର ହୋଇଛି। ଏକଦା ବିଧାୟିକାଙ୍କ ସମର୍ଥନରେ ଜିଲ୍ଲା ସଭାପତି ହୋଇଥିବା ଡ. ପ୍ରମୋଦ ରଥ ତାଙ୍କଠାରୁ ଦୂରେଇ ଯିବା ସହ ନିଜ ପଦ ମଧ୍ୟ ହରାଇଛନ୍ତି। ଅନ୍ୟତମ ବରିଷ୍ଠ ନେତା ଜୟବ୍ରତ ଦେ’ ଦଳ ମଧ୍ୟରେ ଏବେ ବିଧାୟିକାଙ୍କ ପରମ ପ୍ରତିଦ୍ବନ୍ଦ୍ବୀ ପାଲଟିଛନ୍ତି। ସେ ମଧ୍ୟ ଟିକଟ୍‌ ଆଶାୟୀ ଅଛନ୍ତି ଓ ଯେକୌଣସି ପରିସ୍ଥିତିରେ ନିର୍ବାଚନ ଲ‌ଢ଼ିବେ ବୋଲି ତାଙ୍କ ସମର୍ଥକଙ୍କ ଖୋଲା ଅଭିଯାନରୁ ଜଣା ପଡ଼ୁଛି। ଦଳର ଯୁବ ଓ ଛାତ୍ର ସଂଗଠନକୁ ନିଜ ହାତରେ ରଖିଥିବା ଯୁବନେତା ସଂଜିତ ମହାନ୍ତି ବି ଟିକଟ୍ ଆଶାୟୀ ଅଛନ୍ତି ଓ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ନିଜ ଶକ୍ତି ପ୍ରଦର୍ଶନ କରୁଛନ୍ତି। ନିକଟରେ ଦଳର ରାଜ୍ୟ ସଂପାଦକ ପଦ ପାଇଥିବା ଅନ୍ୟତମ ଆଶାୟୀ ସିଦ୍ଧାର୍ଥ ଦାସ ଏବେ ବିଧାୟିକାଙ୍କ ନିକଟତର ହୋଇଥିବାରୁ ତାଙ୍କ ଆଡ଼ୁ ବିପଦ କିଛିଟା ଟଳିଛି। ତେବେ ଦୁଇ ବିରୋଧୀ ପ୍ରମୋଦ ରଥ ଏବଂ ଜୟବ୍ରତ ଦେ’ ହାତ ମିଳାଇବା ବିଧାୟିକାଙ୍କ ପାଇଁ କିଛିଟା ସମସ୍ୟା ସୃ‌ଷ୍ଟି କରିପାରେ। ତେଣୁ ବିରୋଧୀ ପ୍ରାର୍ଥୀଙ୍କୁ ହରାଇବା ପୂର୍ବରୁ ବିଧାୟିକାଙ୍କୁ ନିଜ ଦଳର ପ୍ରତିଦ୍ବନ୍ଦ୍ବୀଙ୍କୁ ମାତ ଦେବାକୁ ପଡ଼ିବ ବୋଲି ଆଲୋଚନା ହେଉଛି।

ବିଜେପିର ହେଭିୱେଟ୍‌ ଜୟ ନାରାୟଣ ମିଶ୍ର ଚଳିତ ବର୍ଷ ବି ପଦ୍ମ ଟିକଟର ପ୍ରମୁଖ ଦାବିଦାର ରହିଛନ୍ତି। ଗତ ନିର୍ବାଚନ ପରାଜୟ ଓ ଶାରୀରିକ ଅସୁସ୍ଥତା କାରଣରୁ କିଛି ସମୟ ନିଷ୍କ୍ରିୟ ରହିଥିବା ଜୟ ନାରାୟଣ ଏବେ ପୁଣିଥରେ ପୂରା ଦମ୍‌ରେ ନିର୍ବାଚନୀ ଅଭିଯାନ ଆରମ୍ଭ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ସେ ନିଜ ମଜଭୁତ ସଂଗଠନ ଓ ଲୋକସଂପର୍କକୁ ପାଥେୟ କରିଛନ୍ତି। ଗତ ୫ ବର୍ଷ ମଧ୍ୟରେ ସହର ବିକାଶ ଧିମେଇ ଯାଇଥିବା ଓ ତାଙ୍କ ସମୟରୁ ଆରମ୍ଭ ହୋଇଥିବା କାମ ବି ଅଟକି ରହିଥିବା ସେ କହୁଛନ୍ତି। ବିଜେଡିର ଗୋଷ୍ଠୀ କନ୍ଦଳ ତଥା କଂଗ୍ରେସ୍‌ର ଅଭ୍ୟୁତ୍‌ଥାନ ଯୋଗୁଁ ସଂଖ୍ୟାଲଘୁ ଭୋଟ ଭାଗଭାଗ ହେଲେ ଏହା ବିଜେପିକୁ ସୁହାଇବ ବୋଲି ଆଶା କରାଯାଉଛି। ଅପର ପକ୍ଷରେ ସମ୍ବଲପୁରରେ ବିଜେପିର ଦୁଇ ଗୋଷ୍ଠୀ ଥିଲେ ବି ‌ନିର୍ବାଚନ ସମୟରେ ସେମାନେ ପରସ୍ପରକୁ ବିରୋଧ କରିବେ ନାହିଁ ବୋଲି କୁହାଯାଉଛି। ଖୋଦ ସୁରେଶ ପୂଜାରୀ ମଧ୍ୟ ସମ୍ବଲପୁର ବିଧାନସଭାରେ ଲଢ଼ିବା ପାଇଁ ଆଗ୍ରହୀ ଅଛନ୍ତି। ତେଣୁ ଗତଥରର ଲୋକସଭା ଓ ବିଧାନସଭା ଆସନ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଅଦଳ ବଦଳ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି କିଛି କର୍ମୀ କହୁଛନ୍ତି। ଏହାଛଡ଼ା ଭିମସାର ପୂର୍ବତନ ନିର୍ଦ୍ଦେଶକ ଡା. ଅଶ୍ବିନୀ ପୂଜାହାରୀ ଏବଂ ଆର୍ଏସ୍‌ଏସ୍‌ ନେତା ବିଶ୍ବରଂଜନ ପୂଜାରୀ ମଧ୍ୟ ବିଜେପି ଟିକଟ୍ ପାଇଁ ଆଶାୟୀ ଅଛନ୍ତି।

କଂଗ୍ରେସ୍‌ ଦଳରେ ଆସିଥିବା ନୂଆ ଉତ୍ସାହର ସୂଚନା ଟିକଟ୍‌ ଆଶାୟୀଙ୍କ ସଂଖ୍ୟାରୁ ମିଳୁଛି। ସମ୍ବଲପୁର ବିଧାନସଭା ଆସନ ପାଇଁ ୧୦ରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି। ଜିଲ୍ଲା ସଭାପତି ହେବା ପରେ ଦଳକୁ ବହୁ ମାତ୍ରାରେ ସକ୍ରିୟ କରାଇଥିବା ପୁରୁଖା ନେତା ତଥା ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ ସମ୍ବଲପୁର ଆସନରୁ ଟିକଟର ପ୍ରମୁଖ ଦାବିଦାର ଅଛନ୍ତି। ସେହିପରି ଯୁବନେତା ଦୁଲାଲ ପ୍ରଧାନ, ସୁଧୀର ପଣ୍ଡା ପ୍ରମୁଖ ମଧ୍ୟ ତାଙ୍କୁ ଚାଲେଞ୍ଜ ଦେଉଛନ୍ତି। କଂଗ୍ରେସ ନିଜସ୍ବ ଭୋଟ ବ୍ୟାଙ୍କ ସହ କେନ୍ଦ୍ର ଓ ରାଜ୍ୟ ସରକାର ତଥା ଦୁଇ ଦଶନ୍ଧି ଧରି ଏଠାରେ ଜିତି ଆସୁଥିବା ପ୍ରାର୍ଥୀ ମାନଙ୍କ ବିରୋଧ କରି ନିର୍ବାଚନରେ ଦମ ଦେଖାଇବ ବୋଲି ଆଶା ବାନ୍ଧିଛି। ତେଣୁ ସମ୍ବଲପୁର ବିଧାନସଭା କ୍ଷେତ୍ରରେ ଏଥର ତୀବ୍ର ତ୍ରିମୁଖୀ ଲଢ଼େଇ ହେବ ବୋଲି ଆଗରୁ ସ୍ପଷ୍ଟ ହୋଇଯାଇଛି।

୨୦୧୪ ନିର୍ବାଚନ ଫଳାଫଳ

ଦଳ            ପ୍ରମୁଖ ପ୍ରାର୍ଥୀ                 ଭୋଟ
ବିଜେଡି     ରାସେଶ୍ବରୀ ପାଣିଗ୍ରାହୀ      ୪୮, ୩୬୨
ବିଜେପି     ଜୟ ନାରାୟଣ ମିଶ୍ର         ୩୮, ୪୦୪
କଂଗ୍ରେସ    ସୁରେଶ୍ବର ମିଶ୍ର              ୧୯, ୦୨୦
ବିଏସ୍‌ପି     ମହମ୍ମଦ ମୁସ୍ତାକିମ୍          ୨, ୩୯୧
ଆପ୍‌         ବୀରେନ୍ଦ୍ର ପାଣିଗ୍ରାହୀ       ୧, ୧୬୨
ନୋଟା        --                          ୧, ୪୧୧