ରାଉରକେଲା: ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ବିଜେତା ହୋଇଛି। ସେହିଭଳି ବୀର ବହାଦୁର ସିଂହ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ (ଉତ୍ତରପ୍ରଦେଶ) ଦ୍ୱିତୀୟ, ମହାତ୍ମା ଗାନ୍ଧୀ କାଶୀ ବିଶ୍ୱବିଦ୍ୟାଳୟ (ବାରାଣାସୀ) ତୃତୀୟ ଓ କିଟ୍‌ ବିଶ୍ୱବିଦ୍ୟାଳୟ (ଭୁବନେଶ୍ବର) ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଏହି ଚାରି ଦଳ ଆସନ୍ତା ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଖେଳାଯିବାକୁଥିବା ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତାରେ ଭାଗନେବେ।

Advertisment

ସୋମବାର ମ୍ୟାଚ୍‌ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ବୀର ବହାଦୁର ସିଂହ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ମୁହାଁମୁହିଁ ହୋଇଥିଲେ। ଏଥିରେ ଉଭୟ ଦଳର ଉକ୍ତୃଷ୍ଟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ତେବେ ଶେଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ବାଜି ମାରିନେଇଥିଲା। ଦଳକୁ ୩୨ତମ ମିନିଟ୍‌ରେ ଏକ ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗ ମିଳିଥିଲା। ଏହାକୁ ହାତଛଡ଼ା ନ କରି ଅଜୟ ଖାଲ୍‌ଖୋ ଏକ ଚମତ୍କାର ଗୋଲ୍‌ରେ ପରିବର୍ତ୍ତନ କରିଥିଲେ। ଗୋଲ୍‌ ପରିଶୋଧ କରିବାକୁ ବୀର ବାହାଦୁର ସିଂହ ପୂର୍ବାଞ୍ଚଳ ଦଳ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲା।

ସେହିଭଳି ଦ୍ବିତୀୟ ମ୍ୟାଚ୍‌ରେ ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠ ୫-୧ ଗୋଲ୍‌ରେ କିଟ୍‌ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଛି। ବିଜେତା ଦଳ ପକ୍ଷରୁ ଅଧିନାୟକ ଲଳିତ ନେଗୀ ଦୁଇଟି ଗୋଲ୍‌ (୧୮ ଓ ୨୮) ଦେଇଥିବା ବେଳେ ନଗେନ୍ଦ୍ର କୁମାର (୬), ନୀତିନ (୧୭) ଓ ଦୀପକ ସିଂହ ଫର୍ତ୍ୟାଲ (୩୩) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। କିଟ୍‌ ପକ୍ଷରୁ ଦୀପସାନ କୁଜୁର (୧୯) ଗୋଟିଏ ମାତ୍ର ଗୋଲ୍‌ ଦେଇ ପରାଜୟ ବ୍ୟବଧାନ କମାଇଥିଲେ।

ପଏଣ୍ଟ୍‌ ଅଧାରରେ ସମ୍ବଲପୁର ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ହୃଷୀକେଶ ଦାଶ, ଅନୁଭବ ରାଉତ, ବେଲାସ ହରୋ, ଅବିନାଶ ମହାନ୍ତି, ବିଶ୍ୱଜିତ ଦଳେଇ, ରାଜେନ ଏକ୍କା, ସତ୍ୟବ୍ରତ ପ୍ରଧାନ, ଅଞ୍ଜିତ, ଅଭିଷେକ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ରାଜ୍ୟ କ୍ରୀଡ଼ା ବିଭାଗର ଉପନିର୍ଦେଶକ ସୁଦୀପ୍ତ ନାୟକ, ସୁମନ ଚୌଧୁରୀ, ବରିଷ୍ଠ କୋଚ୍‌ ଅମୂଲ୍ୟାନନ୍ଦ ବିହାରୀ, ଲୁସିଆ ଏକ୍କା, ଆଶିଷ ପରିଡ଼ା, ଦୀପ୍ତିରଞ୍ଜନ ମହାନ୍ତି, ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ପ୍ରଫେସର ହରିହର ଦାଶ, କ୍ୟାପ୍‌ଟେନ ସତ୍ୟ ନାରାୟଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।