ସମ୍ବଲପୁର: ସମ୍ବଲପୁର ଗୋପାଳମାଲ ନିବାସୀ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ(୬୫)ଙ୍କର ରବିବାର ପରଲୋକ ପରଲୋକ ଘଟିଛି। ଗତକାଲି ଭୋର୍‌ରେ ପ୍ରମୋଦ ପଟ୍ଟନାୟକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା।

Advertisment

କଟକ ଜିଲ୍ଲାର ତୁଣ୍ଡା ଗ୍ରାମର ଜନ୍ମିତ ପ୍ରମୋଦ ସମ୍ବଲପୁର ଗଂଗାଧର ମେହେର ‌କଲେଜ ସ୍ନାତକୋତ୍ତର ଶିକ୍ଷାଗ୍ରହଣ କରିଥିଲେ। ଏହା ପରେ ସମ୍ବଲପୁରରୁ ସେ ଓଡ଼ିଆ ଖବରକାଗଜ ‘ଉତ୍କଳ ମେଲ୍‌’ରୁ ନିଜର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଇଂରାଜୀ ଖବରକାଗଜ ‘ଟାଇମ୍‌ସ ଅଫ୍ ଇଣ୍ଡିଆ’, ‘ଦ ଷ୍ଟେଟସ୍‌ମ୍ୟାନ୍’ ଆଦି ଖବରକାଗଜ କାର୍ଯ୍ୟରେ କରିଥିଲେ। ସମ୍ବଲପୁର ବିଭିନ୍ନ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ସହିତ‌ ସେ ଜଡ଼ିତ ଥିଲେ। ସେ ତାଙ୍କ ପଛରେ ପତ୍ନୀ ନର୍ମଦା ମହାନ୍ତି, ଦୁଇ ପୁଅ ପ୍ରିୟବ୍ରତ ଓ ଦେବବ୍ରତ, ଦୁଇ ଝିଅ ପ୍ରିୟମ୍ବଦା ଓ ପ୍ରିୟଦୀପ୍ତିଙ୍କ ସହିତ ଅନ୍ୟ ପରିବାରବର୍ଗଙ୍କୁ ଛାଡ଼ିଯାଇଛନ୍ତି।

କମଳିବଜାରସ୍ଥିତ ରାଜଘାଟରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ସାନପୁଅ ଦେବବ୍ରତ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ। ପୂର୍ବତନ ଏସ୍‌ଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି, ଜିଲ୍ଲା ବିଜେଡି ସଭାପତି ଇଂ. ସିଦ୍ଧାର୍ଥ ଦାସ, ଜିଲ୍ଲା କଂଗ୍ରେସ ସଭାପତି ଆସଫ ଅଲୀ ଖାନ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରମୋଦ ରଥ, ନୃସିଂହ ଚରଣ ଦାସ, ରାଜକିଶୋର ଦାସ, ଦୁଲାଲ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ, ସୁଭାଷ ପାଣିଗ୍ରାହୀ, ପ୍ରିୟରଂଜନ ସାହୁ, ଦାଶରଥି ବେହେରା, ରାଧେଶ୍ୟାମ ବର୍ମା, ପ୍ରେସ୍ କ୍ଲବ ସଭାପତି ତ୍ରିବିକ୍ରମ ପ୍ରଧାନ, ସଂପାଦକ ଭାବନୀ ଭୋଇ, ଓୟୁଜେ ସମ୍ବଲପୁର ଜିଲ୍ଲା ସାଧାରଣ ସଂପାଦକ ସରୋଜ ସାହୁ, ସୁଧାଂଶୁ ମହାରଣା, ଡାକ୍ତର ସଂଜୀବ ମିଶ୍ର, ବଜରଂଗ ଦଳ ପ୍ରାନ୍ତ ସଂଯୋଜକ ସୁଧୀର ବହିଦାର ଓ ସୂର୍ଯ୍ୟ ପାଣିଗ୍ରାହୀଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ କରିଥିଲେ।