ଶାସନ ନାବାଳିକା ଗଣଦୁଷ୍କର୍ମ ମାମଲା: ଗୋଟିଏ ମାସରେ ଫଇସଲା, ରାୟକୁ ଅପେକ୍ଷା

ସମ୍ବଲପୁର: ବହୁ ଚର୍ଚ୍ଚିତ ସମ୍ବଲପୁର ଜିଲ୍ଲା ଶାସନ ନାବାଳିକା ଗଣଦୁଷ୍କର୍ମ ମାମଲାର ଫଇସଲା ଶନିବାର ସକାଳୁ ଆରମ୍ଭ ହୋଇଯାଇଛି। ଜିଲ୍ଲା ଅତିରିକ୍ତ ଦୌରାଜଜ କୋର୍ଟରେ ଶୁଣାଣି ହୋଇଛି। ଅତିରିକ୍ତ ଦୌରାଜଜ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଘଟଣାରେ ୬ ଜଣ ସଂମ୍ପୃକ୍ତ ଥିବା ବେଳେ ଜଣେ ନାବାଳକ ଅଛି। ଗତ ମେ’ ମାସ ୨ ତାରିଖରେ ଦୁଷ୍କର୍ମର ସମ୍ମୁଖୀନ ହୋଇଥିବା ନାବାଳିକା ମେ’ ମାସ ୨୩ ତାରିଖରେ ଆତ୍ମହତ୍ୟା କରିଥିଲା। ଏହା ପରେ ପୁଲିସ ୧୫ ଦିନ ଭିତରେ ଚାର୍ଜସିଟ କୋର୍ଟରେ ଦାଖଲ କରିଥିଲା। କୋର୍ଟରେ ମାମଲାର ମାରାଥନ ଶୁଣାଣୀ ଚାଲିଥିବା ବେଳେ ଆଜି ଆଉ କିଛି ସମୟ ପରେ ରାୟ ଆସିପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ,ଗଣଦୁଷ୍କର୍ମର ଶିକାର ହୋଇଥିବା ଏହି ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଶବ ଗତ ୨୩ ମେ ସନ୍ଧ୍ୟା ସାଢ଼େ ୬ଟାରେ ତାଙ୍କ ଭଡ଼ାଘରରୁ ଉଦ୍ଧାର କରାଯାଇଥିଲା। ତେବେ ଏହି ଘଟଣାର ୨ଘଣ୍ଟା ପୂର୍ବରୁ ଏକ ବାଇକ୍‌ରେ ଦୁଇ ଜଣ ସନ୍ଦିଗ୍ଧ ଯୁବକ ସେଠାକୁ ଆସିଥିଲେ। ପୀଡ଼ିତାଙ୍କ ଘର ସାମ୍‌ନାରେ ଖେଳୁଥିବା ଜଣେ ବାଳକଙ୍କୁ ହେଲ୍‌ମେଟ ପିନ୍ଧା ଏହି ଦୁଇ ଯୁବକ ପୀଡ଼ିତାଙ୍କ ପିତାଙ୍କ ନାମ ନେଇ ତାଙ୍କ ପୁଅ କି ବୋଲି ପଚାରି ଥିଲେ। ସେମାନେ ପୁଣି, ପୀଡ଼ିତାଙ୍କ ସାନଭାଇର ନାମ ଉଲ୍ଲେଖ କରି ‘ତୋର ନାମ ଏଇୟା କି’ ବୋଲି ପଚାରିଥିଲେ। ବାଳକ ଜଣକ ମନା କରିଥିଲା। ଏହା ପରେ ଅନ୍ୟ କିଛି କଥା କହି ତୁରନ୍ତ ସେଠାରୁ ଚାଲି ଯାଇଥିଲେ। ଏହି ଘଟଣା ସଂକ୍ରାନ୍ତରେ ଉକ୍ତ ବାଳକ ଜଣକ ତାଙ୍କ ଘରକୁ ଯାଇ ଜଣେଇଥିଲା ବୋଲି ପୀଡ଼ିତାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି। କେବଳ ସେତିକି ନୁହେଁ, ୨୨ ତାରିଖ ରାତିରେ ଏକ ଅଜଣା ନମ୍ବରରୁ ତାଙ୍କ ଘରକୁ ଏକ ଫୋନ୍‌ କଲ୍‌ ଆସିଥିବା କଥା ମଧ୍ୟ ସେ ଦର୍ଶାଇଛନ୍ତି। ମାତ୍ର ଏହାପରେ ଏଭଳି କିଛି ଅଘଟଣ ଘଟିବ ବୋଲି ସେ ଆଶା କରି ନ ଥିଲେ ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି।

ସମ୍ବନ୍ଧିତ ଖବର