ବ୍ରଜରାଜନଗର : କୋଇଲା ଖଣି ଶ୍ରମିକଙ୍କ ଧର୍ମଘଟ, ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ 

ବ୍ରଜରାଜନଗର : କୋଇଲା ଖଣିରେ କାର୍ଯ୍ୟରତ ୩ ପ୍ରମୁଖ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ୧୨ ଦଫା ଦାବି ନେଇ ୨୪ ଘଣ୍ଟିଆ ଆନ୍ଦୋଳନ ଡାକରା ଦିଆଯାଇଥିଲା। ବ୍ରଜରାଜନଗରରେ ଥିବା  ସମଲେଶ୍ବରୀ କୋଇଲା ଖଣି ସମେତ ଲଜକୁରା, ଓରିଏଣ୍ଟ କ୍ଷେତ୍ରର ହୀରାଖଣ୍ଡ, ବୁନ୍ଦିଆ, ୨ ଓ ୩ ନମ୍ବର କୋଇଲା ଖଣି, ଇବ୍‌ଭ୍ୟାଲି, ଓରିଏଣ୍ଟ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ, ରେସ୍‌କ୍ୟୁ ଷ୍ଟେସନରେ ଶ୍ରମିକ ନେତାମାନେ ଏକତ୍ରିତ ହୋଇ ବନ୍ଦ ପାଳନ କରିଥିଲେ। ଏହାଦ୍ବାରା ଏହି ସବୁ ଅଞ୍ଚଳରେ କୋଇଲା ଉତ୍ପାଦନ ଓ ପରିବହନ ଠପ୍‌ ହୋଇଯାଇଥିଲା। କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଅନ୍ୟପକ୍ଷରେ ଖଣିରେ କାର୍ଯ୍ୟରତ ଶ୍ରମିକମାନେ ବିଭିନ୍ନ ସମସ୍ୟା ନେଇ ଧର୍ମଘଟକୁ ଓହ୍ଲାଇଥିବା ପ୍ରମୁଖ ଶ୍ରମିକ ସଂଗଠନ ମଧ୍ୟରେ ଆଇଏନ୍‌ଟିୟୁସି, ଏଚ୍‌ଏମ୍‌ଏସ, ଏଆଇଟିୟୁସି ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ। ଆଜି ବନ୍ଦରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ  କର୍ମଚାରୀ ଯୋଗ ଦେଇଥିବାରୁ ବ୍ୟାଙ୍କ ସେବା ମଧ୍ୟ ବନ୍ଦ ରହିଥିଲା। ଦୋକାନବଜାର ଖୋଲା ଥିଲେ ମଧ୍ୟ ବସ୍‌ ଚଳାଚଳ ବନ୍ଦ ରହିଥିବା ଦେଖାଯାଇଥିଲା।

ବାଣିଜ୍ୟିକ ଭିତ୍ତିରେ କୋଲ୍‌ ମାଇନ୍‌ସକୁ ବ୍ୟବହାର କରା ନଯିବା, କୋଲ ମାଇନ୍‌ସରୁ ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ,  ସିଏମ୍‌ପିଏଫ  ସହିତ ଇପିଏଫ୍‌କୁ ମିଶ୍ରଣ ନକରିବା, କୋଲ ଇଣ୍ଡିଆଠାରୁ ସିଏମ୍‌ପିଡିଆଇକୁ ଅଲଗା କରିବା ନିଷ୍ପତ୍ତି ପ୍ରତ୍ୟାହାର, ନୂଆ ଲେବର କୋଡ୍‌କୁ ବନ୍ଦ କରିବାକୁ ଦାବି କରାଯାଇଛି। ସେହିପରି ୨୦୧୭ରୁ ୨୦ ଲକ୍ଷ ଟଙ୍କାର ଗ୍ରାଚ୍ୟୁରିଟି ଦିଆଯିବାକୁ ମଧ୍ୟ ଦାବି ରହିଛି। ବିଭିନ୍ନ କାରଣରୁ ବନ୍ଦ ହୋଇଥିବା କୋଲ ମାଇନ୍‌ସକୁ ପୁଣିଥରେ ଚାଲୁ କରିବା ଏବଂ କୌଣସି କାରଣରୁ ବନ୍ଦ ହେବାକୁ ଥିବା କୋଲ୍‌ ମାଇନ୍‌ସକୁ ଚାଲୁ ରଖିବାକୁ ମଧ୍ୟ ଦାବି କରାଯାଇଛି। ଆଜି ବନ୍ଦ ସପକ୍ଷରେ ବ୍ରଜରାଜନଗରରେ ଶ୍ରମିକ ନେତା ଆଲୋକ କିଶୋର ପଣ୍ଡା, କୁଳମଣି ଦାସ, ଅନିତ ଚକ୍ରବର୍ତ୍ତୀ, ସୁଭାଷ ଜାଲି, ବ୍ରିଜେଶ ଶର୍ମା, ଓ ପି ସିଂହ, କ୍ଷୀରୋଦ କୁଅଁର, ଭାନୁ ସିଂହ, ପ୍ରଫୁଲ୍ଲ ପଣ୍ଡା, ସଂଜୟ ମିଶ୍ର, ଶ୍ୟାମ ସୁନ୍ଦର ଦାଶ,  କୁଳମଣି ପରିଡା, ପାଣୁ ସେଠୀ, ମଦନ ସିଂହ, ଆର ବି ପାଣ୍ଡେ, ସୂର୍ଯ୍ୟ ପଟେଲ ଓ ବିଶ୍ୱନାଥ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ବେଲପାହାଡ଼ରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ବେଲପାହାଡ଼ ଓ ଗୁମଡେରା ମାର୍କେଟ ବନ୍ଦ ରହିଥିଲା। ବେଲପାହାଡ଼ ଖୋଲାମୁହଁ କୋଇଲା ଖଣି ମଧ୍ୟ ବନ୍ଦ ରହିଥିଲା।  ବନ୍ଦ ସପକ୍ଷରେ ଶ୍ରମିକ ନେତା ରମେଶ ତ୍ରିପାଠୀଙ୍କ ସମେତ ସୁଦର୍ଶନ ରାଉତ, ବିକାଶ ମହାରଣା, ଭାସ୍କର ପଟେଲ, ଟୁଲୁ ମେହେର, ରୋସନ ରଥ, ପ୍ରଦୀପ ପାଣି ଓ ରାଜେଶ ଶୁକ୍ଳା ପ୍ରମୁଖ ନେତାମାନେ ସାମିଲ ହୋଇଥିଲେ। କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟିର ନେତାମାନେ ଏହାର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର