କଲେଜର ୨ ମହଲା କୋଠାରୁ ପଡ଼ିଲେ ଛାତ୍ର

ଆଇସିୟୁ ଭର୍ତ୍ତି ପାଇଁ ଲାଗି ଗଲା ସାଢ଼େ ୫ ଘଣ୍ଟା

ସମ୍ବଲପୁର: ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ଅମିତ ବରାଡ଼ ଦୁଇ ମହଲା ଛାତ ଉପରୁ ପଡ଼ିଯିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ଛାତି, ମୁଣ୍ଡ, ଗୋଡ଼ ପିଠି ସମେତ ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନା ନିଆଯାଇଥିବା ବେଳେ ଆଇସିୟୁ ଶଯ୍ୟା ପାଇବା ପାଇଁ ସାଢ଼େ ୫ ଘଣ୍ଟା ସମୟ ଲାଗି ଯାଇଥିଲା। ପ୍ରଥମେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ତାଙ୍କୁ ଆଇସିୟୁ ନମିଳିବାରୁ ଦୁଇଟି ଘରୋଇ ଡାକ୍ତରଖାନାକୁ ନିଆଯାଇ ଥିଲା। ମାତ୍ର ସେଠାରୁ ତାଙ୍କୁ ଫେରାଇ ଦିଆଯାଇ ଥିଲା। ସେଠାରୁ ପୁନଃ ସଂଧ୍ୟା ୭ଟାରେ ବୁର୍ଲା ଡାକ୍ତରଖାନାରେ ଆଇସିୟୁ ମିଳିଲା। ଅନ୍ୟଦିଗରେ କଲେଜ ପରିସରରେ ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ ଏନେଇ ଅବଗତ ନଥିବା ଜଣାଇଛନ୍ତି। ଦିନ ୧୨.୩୦ରୁ ୧ଟାରେ ଅମିତ ବରାଡ଼ ଅନ୍ୟ କିଛି ପିଲାଙ୍କ ସହିତ କଥା ହେଉଥିଲେ। ଏହି ସମୟରେ ସେ ଏଠାରେ ନିର୍ମାଣାଧିନ ଛାତ୍ରାବାସ ଚଢିବା ପାଇଁ ଚେଷ୍ଟା କରୁଥିଲେ ସେଠାରେ ତାଙ୍କ ଗୋଡ଼ ଖସିଯିବାରୁ ଦୁଇ ମହଲା କୋଠାରୁ ପଡ଼ି ଯାଇଥିଲେ। ଏଥିଯୋଗୁଁ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ପଡ଼ିଥିଲା। ତୁରନ୍ତ ତାଙ୍କୁ ସଦର ଡାକ୍ତରଖାନା ନିଆଯାଇ ଥିଲା। ମାତ୍ର ସେଠାରୁ ବୁର୍ଲା ଡାକ୍ତରଖାନା ରେଫର ହୋଇଥିଲେ। ବୁର୍ଲା ଡାକ୍ତରଖାନାର ଆଶୁ ଚିକିତ୍ସା ହୋଇଥିଲା। ଅମିତଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତୁରନ୍ତ ଆଇସିୟୁ ଆବଶ୍ୟକତା ଥିବା ଡାକ୍ତର କହିଥିଲେ। ସେତେବେଳେ ବୁର୍ଲା ଡାକ୍ତରଖାନାର ଆଇସିୟୁରେ ଶଯ୍ୟା ଖାଲିନଥିଲା। ଏଥିଯୋଗୁଁ ପରିବାର ପକ୍ଷରୁ ସହରର ଏକ ଘରୋଇ ଡାକ୍ତରଖାନା ସହିତ ଯୋଗାଯୋଗ କରାଯାଇ ଥିଲା। ସେଠାରେ ଆଇସିୟୁ ଖାଲି ଥିବା କୁହାଯାଇ ଥିଲା। ମାତ୍ର ଅମିତଙ୍କୁ ନିଆଯିବା ବେଳକୁ ନର୍ସିଂହୋମ ପକ୍ଷରୁ କୁହାଯାଇ ଥିଲା, ଏଠାକାର ଆଇସିୟୁ ଡାକ୍ତର ଭୁବନେଶ୍ୱର ଯାଇଛନ୍ତି। ନିଜ ଦାୟିତ୍ୱରେ ସେମାନଙ୍କୁ ଏଠାରେ ଚିକିତ୍ସିତ ହେବାକୁ ପଡ଼ିବ। ପୁନଃ ଅମିତଙ୍କୁ ବୁର୍ଲା ସ୍ଥିତ ନର୍ସିଂହୋମ ନିଆଯାଇ ଥିଲା। ମାତ୍ର ଏଠାରୁ ତାଙ୍କୁ ଚିକିତ୍ସା କରାଯାଇ ପାରିବ ନାହିଁ ବୋଲି ଫେରାଇ ଦିଆଯାଇ ଥିଲା। ଏହି ସମୟ ମଧ୍ୟରେ ବୁର୍ଲା ଡାକ୍ତରଖାନାରେ ଆଇସିୟୁର ଗୋଟିଏ ଶଯ୍ୟା ଖାଲି ହେବାରୁ ଅମିତଙ୍କୁ ଶଯ୍ୟା ମିଳିଥିଲା।

ସମ୍ବନ୍ଧିତ ଖବର