ବୁର୍ଲା: ସମୟ ଗଡ଼ୁଛି। ତଥାପି, ସର୍ବସମ୍ମତି ଗଠିତ ଛାତ୍ର ସଂସଦକୁ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳୁନି ସ୍ବୀକୃତି। ଭିମ୍‌ସାର କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଭିମ୍‌ସାର ଷ୍ଟେଚ୍ୟୁଟ୍ ଅନୁଯାୟୀ, ପ୍ରତିବର୍ଷ ଛାତ୍ର ସଂସଦ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଅଗଷ୍ଟ ମାସ ଶେଷ ସୁଦ୍ଧା ସମାପ୍ତ ହୋଇଯାଇଥାଏ। ମାତ୍ର, ଚଳିତ ୨୦୨୩-୨୪ ଶିକ୍ଷାବର୍ଷରେ ସେପ୍ଟେମ୍ବର ମାସ ଶେଷ ହେବା ଉପରେ। ଆଜି ଯାଏଁ ବିଧିବଦ୍ଧ ଭାବେ ଛାତ୍ର ସଂସଦ ଗଠନ ହୋଇପାରିନାହିଁ। ଏଭଳି ବିଳମ୍ବ ନେଇ ଅସନ୍ତୁଷ୍ଟ ପିଜି ଛାତ୍ରମାନେ ଗତ ଅଗଷ୍ଟ ୩୧ ତାରିଖରେ ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରାଙ୍କୁ ପତ୍ର ଲେଖି ଏ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିଥିଲେ। ଇତିମଧ୍ୟରେ ଭିମ୍‌ସାର ଛାତ୍ରଛାତ୍ରୀମାନେ ସର୍ବସମ୍ମତିକ୍ରମେ ଚିରଞ୍ଜିବୀ ସାହୁଙ୍କୁ ଛାତ୍ର ସଂସଦ ସଭାପତି, ଆରିନ ପ୍ରଧାନଙ୍କୁ ଉପସଭାପତି, ମହମ୍ମଦ ସାହିଦ ଅଖତରଙ୍କୁ ସାଧାରଣ ସଂପାଦକ ଓ ପ୍ରମିତ ପ୍ରଧାନଙ୍କୁ ଉପସଂପାଦକ ଏବଂ ଅନ୍ୟ ୨୦ ଜଣଙ୍କୁ ବିଭିନ୍ନ ପଦ ପାଇଁ ମନୋନୀତ କରିଥିଲେ। ଆଗରୁ ପ୍ରତିବର୍ଷ ଏଠାରେ ୧୫୦ ଜଣ ଛାତ୍ରଛାତ୍ରୀ ଭିମ୍‌ସାରରେ ନାମଲେଖାଉଥିଲେ। ଏବେ ଏହି ସିଟ୍ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ପୂର୍ବପେକ୍ଷା ବଢ଼ିଥିବାରୁ ଚଳିତ ଶିକ୍ଷାବର୍ଷରୁ ଏକ ଯୁଗ୍ମ କ୍ରୀଡ଼ା ସମ୍ପାଦକ ପଦ ସୃଷ୍ଟି ପାଇଁ ବି ଛାତ୍ରଛାତ୍ରୀମାନେ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି। ସର୍ବସମ୍ମତିକ୍ରମେ ଗଠିତ ହୋଇଥିବା ଛାତ୍ର ସଂସଦକୁ ସ୍ଵୀକୃତି ପ୍ରଦାନ କରିବାକୁ ଭିମ୍‌ସାର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ନୂଆ ଛାତ୍ର ସଂସଦକୁ ସ୍ବୀକୃତି ପ୍ରଦାନ କରାଯାଇ ନାହିଁ। ଏପର୍ଯ୍ୟନ୍ତ ଭିମ୍‌ସାର ଅଧ୍ୟକ୍ଷା ଅଥବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ଛାତ୍ରଛାତ୍ରୀମାନେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ସଂପର୍କରେ ଭିମସାର୍ ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରାଙ୍କୁ ପଚାରିବାରୁ ସେ କହିଥିଲେ ଯେ ସର୍ବସମ୍ମତିକ୍ରମେ ଛାତ୍ର ସଂଗଠନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଖୁବ୍‌ଶୀଘ୍ର ଏହାର ଅନୁମୋଦନ ଉପରେ ସୂଚନା ଦିଆଯିବ।