କୁଚିଣ୍ଡା: ତିଲେଇମାଲ ମଚାମରା ଗାଁରେ କିଡନି ରୋଗାକ୍ରାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ତିଲେଇମାଲ ମଚାମରା ଗାଁରେ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି। ମଚାମରା ଗାଁକୁ କୁନ୍ତରା ଡାକ୍ତରଖାନାର ଏକ ପ୍ରତିନିଧି ଦଳ ଯାଇ ପରିଦର୍ଶନ କରିଛନ୍ତି। ମୃତ ବ୍ୟକ୍ତିଙ୍କ ଘରକୁ ଯାଇ ରିପୋର୍ଟ ସଂଗ୍ରହ କରାଯାଇଛି। ଗ୍ରାମ୍ୟ ଜଳଯୋଗାଣ ସଂସ୍ଥା ପକ୍ଷରୁ ଲୋକେ ବ୍ୟବହାର କରୁଥିବା ପିଇବା ପାଣିର ନମୁନା ସଂଗ୍ରହ କରାଯାଇଛି।  ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ତିଲେଇମାଲ ଗ୍ରାମପଂଚାୟତ ଧନୁଡିହି ରାଜସ୍ବ ଗ୍ରାମର ମଚାମରା ଏକ ଛୋଟିଆ ବସ୍ତି ହାମଲେଟ। ଏହି ହାମଲେଟରେ ଗତ କିଛି ବର୍ଷ ହେବ ବହୁ ଲୋକ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଏପରିକି ଏହି ଗ୍ରାମରେ ରହୁଥିବା କିସାନ ଜାତିର ଲୋକଙ୍କ ଠାରେ ଏହି ରୋଗ ଦେଖାଯାଉନଥିବା ସମୟରେ ଏଠାରେ ବସବାସ କରୁଥିବା ସଂଖ୍ୟାଲଘୁ ଓରାମ ଲୋକଙ୍କ ମଧ୍ୟରେ ଏହା ଅଧିକ ଦେଖାଦେଇଛି। ଏପରିକି ଏହି ଜାତିର ପରିବାର ପୁରୁଷ ଶୂନ୍ୟ ହେବାକୁ ଯାଉଥିବା ଏହି ସଂପ୍ରଦାୟର ଲୋକମାନେ ଗ୍ରାମ ପରିଦର୍ଶନ କରି ‘ସମ୍ବାଦ’କୁ ସୂଚନା ପ୍ରଦାନ କରିଥିଲେ।

ଗୋଦରାପଡା କେଥଲିକ ଚର୍ଚ୍ଚର ଫାଦର ପିଟର ଟେଟେ, ଜନ ଲାକ୍ରା, ତିଲେଇମାଲ ଆଶା ଦିଦି ଓ ସ୍ଥାନୀୟ ସିମନ କୁଲୁ, ଜୋସେଫ କେରକେଟା କିଛି ସଂଗଠକ ଏହି ଗ୍ରାମକୁ ପରିଦର୍ଶନରେ ଯାଇ ଆଲୋଚନା କରିଥିଲେ। ଅଭିଯୋଗରେ ଏହି ରୋଗରେ ଆକ୍ରାନ୍ତ ହୋଇ ହିଲାରୁସ କେରକେଟା, ଟାରିଅସ ଡୁଙ୍ଗଡୁଙ୍ଗ, ଟିନଟୁସ କୁଲୁ, ଏଣ୍ଟୋନି ଡାଙ୍ଗ, ସନ୍ତୋଷ ଡୁଙ୍ଗଡୁଙ୍ଗ, ଇସଡୋର କେରକେଟାଙ୍କ ମୃତ୍ୟୁ ଘଟିଥିବା ସମୟରେ ଗତ ଜୁଲାଇରେ ଆଲବସ ଡୁଙ୍ଗଡୁଙ୍ଗ (୩୫), ଅଗଷ୍ଟରେ ସନ୍ତୋଷ କୁଲୁ (୩୫), ଗତ ସେପ୍ଟେମ୍ବରରେ ସାଗର କୁଲୁ (୩୨) ଓ ଅକ୍ଟୋବରରେ ରୋବର୍ଟ ଟେଟେ (୪୫)ଙ୍କ ଦେହାନ୍ତ ହୋଇଯାଇଛି। ଗତ କିଛି ଦିନ ମଧ୍ୟରେ ୧୦ରୁ ଅଧିକ ଲୋକଙ୍କର ଗୋଟିଏ ଗ୍ରାମର ମୃତ୍ୟୁ ପରେ ଅନ୍ୟମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ଏଣୁ ପ୍ରଶାସନ ପକ୍ଷରୁ ଏକ ସ୍ବାସ୍ଥ୍ୟ ଟିମ୍  ଏହି ସ୍ଥାନକୁ ପରିଦର୍ଶନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

 

ସମ୍ବନ୍ଧିତ ଖବର