ସୁଶୀଲ ପାଇବେ ରାଷ୍ଟ୍ରପତି ସାହସିକତା ପୁରସ୍କାର

ସମ୍ବଲପୁର: ଶନିବାର ୭୦ ତମ ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ୨୯ ଜଣ ଯବାନଙ୍କୁ ରାଷ୍ଟ୍ରପତି ସାହସିକତା ପଦକରେ ସମ୍ମାନିତ କରିବେ। ବିଭିନ୍ନ କ୍ଷେତ୍ରରେ ଅତ୍ୟନ୍ତ ଗମ୍ଭୀରସ୍ଥିତିରେ ସଂଗ୍ରାମ କରି ସାହସିକତା ପ୍ରଦର୍ଶନ କରିଥିବା ଯବାନଙ୍କୁ ଏହି ସମ୍ମାନ ପ‌ାଇଁ ଚୟନ କରାଯାଇଛି। ଏହି ତାଲିକାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଲିପିଣ୍ଡା ପଞ୍ଚାୟତ ନାରଙ୍ଗିପାଲିର ସୁଶୀଳ ଭୋଇ(୩୩)ଙ୍କ ନାମ ରହିଥିବା ଖବର ପ୍ରକାଶ ପାଇବା ପରେ ସୁଶୀଳଙ୍କ ଗ୍ରାମ ସମେତ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି। ପୁରନ୍ଦର ଭୋଇ ଓ ବାସନ୍ତୀ ଭୋଇଙ୍କ କନିଷ୍ଠ ପୁଅ ସୁଶୀଳ ୨୦୧୪ ମସିହାରେ ସିଆଏସଏଫରେ ଯୋଗ ଦେବା ପରେ ୟୁପିର ଗାଜିଆବାଦରେ ନିଯୁକ୍ତି ପାଇଥିଲେ। ସେବେଠାରୁ ସେ ଉକ୍ତ ସ୍ଥାନରେ କାର୍ଯ୍ୟରତ ଅଛନ୍ତି। ଉଲ୍ଳେଖଯୋଗ୍ୟ, ୨୦୧୮ ମାର୍ଚ୍ଚ ୧୬ ତାରିଖରେ ଉତ୍ତର ପ୍ରଦେଶ ଗାଜିଆବାଦ୍‌ ଅନ୍ତର୍ଗତ ସିପ୍ରା ସାନସିଟି ଇନ୍ଦିରାପୁରମର ଏକ ୪ ମହଲା କୋଠା ଉପରେ କିଛି ସ୍କୁଲ ଛାତ୍ର ଖେଳୁଥିବା ବେଳେ ମାଙ୍କଡ ଆକ୍ରମଣ ପରେ ଆଶିଷ ନାୟକ(୧୪) ବୋଲି ଜଣେ ଛାତ୍ର ତଳକୁ ଖସିପଡ଼ି ବିପଦ ଶଙ୍କୁଳ ଅବସ୍ଥାରେ ପାଇପରେ ଝୁଲି ରହିଥିଲେ। କୋଠାକୁ କୋଠା ଲାଗି ରହିଥିବାରୁ ଉକ୍ତ ସ୍ଥାନରୁ ବାହାରିବା କଷ୍ଟସାଧ୍ୟ ଥିଲା। ତେବେ ଏନେଇ ସୂଚନା ମିଳିବା ପରେ ସୁଶୀଳ ଘଟଣା ସ୍ଥଳରେ ପହଞ୍ଚି ପାଇପ୍‌ ଯୋଗେ ଉକ୍ତ ସ୍ଥାନରେ ପହଞ୍ଚି ଆଶିଷଙ୍କୁ ଉଦ୍ଧାର କରିବା ପରେ ଗାମୁଛାରେ ତାଙ୍କୁ ପିଠିରେ ବାନ୍ଧି ଉପରକୁ ଚଢ଼ିଥିଲେ। ପରେ ଆଶିଷଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ସେ ସୁସ୍ଥ ମଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର