ପ୍ରଫେସର୍‌ ଉଦ୍ଧବ ବେହେରାଙ୍କ ନାମରେ ନାମିତ ହେବ ଚକ୍ଷୁ ବ୍ୟାଙ୍କ

ଭିମ୍‌ସାର୍‌ ପରିଚାଳନା ବୋର୍ଡ ବୈଠକ

ସମ୍ବଲପୁର: ଭିମ୍‌ସାର୍ ପରିଚାଳନା ବୋର୍ଡର ଏକାଦଶ ବୈଠକ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ଆଲୋଚନା ହୋଇଥିଲା। ନିକଟରେ ହୋଇଥିବା ଡାକ୍ତରମାନଙ୍କ ପଦୋନ୍ନତିକୁ ବୋର୍ଡ ମଞ୍ଜୁରି ଦେଇଥିଲା। ଭିମସାର୍‌ର ଖାଲିଥିବା ପଦଗୁଡ଼ିକ ଯଥାଶୀଘ୍ର ପୂରଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ସେହିପରି ଶି‌ଶୁରୋଗ ଓ ଚକ୍ଷୁ ବିଭାଗରେ ଗୋଟିଏ ଲେଖାଏଁ ପ୍ରଫେସର୍‌, ଉକ୍ତ ଦୁଇ ବିଭାଗ ସମେତ ନିଶ୍ଚେତକ ଓ ଅସ୍ଥିଶଲ୍ୟ ବିଭାଗରେ ଗୋଟିଏ ଲେଖାଏଁ ଆସୋସିଏଟ୍ ପ୍ରଫେସର୍‌, ମାଇକ୍ରୋବାୟୋଲଜିରେ ୩ଟି, ନିଶ୍ଚେତକ ବିଭାଗରେ ୪ଟି ଓ ଇଏନ୍‌ଟିରେ ଗୋଟିଏ ଲେଖାଏଁ ଆସିଷ୍ଟାଣ୍ଟ ପ୍ରଫେସର୍‌ ଆଦି ବିଭିନ୍ନ ଡାକ୍ତର ଓ କର୍ମଚାରୀ ପଦ ସୃଷ୍ଟି ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।

ଏନ୍‌ଏସି କଲେଜ୍‌ ଓ କେନ୍ଦ୍ରୀୟ ବିଦ୍ୟାଳୟ-୨ ନିକଟରେ ଭିମ୍‌ସାର୍‌କୁ ମିଳିଥିବା ୭୯ ଏକର ଜାଗାରେ ବିଭିନ୍ନ ନିର୍ମାଣ ପାଇଁ ଥିବା ପ୍ରସ୍ତାବକୁ ବୋର୍ଡ ମଞ୍ଜୁରି ଦେଇଥିଲା। ସେଠାରେ ଏକ ଚକ୍ଷୁ ଅନୁଷ୍ଠାନ ସ୍ଥାପନ ପାଇଁ ସର୍ବସମ୍ମତ ନିଷ୍ପତ୍ତି ହୋଇଥିଲା। ସେହିପରି ଏମ୍‌ସିଏଲ୍‌ ସହାୟତାରେ ସେଠାରେ ଏମ୍‌ସିଏଚ୍‌ କଂପ୍ଲେକ୍ସ ତିଆରି କରିବାକୁ ସ୍ଥିର ହୋଇଥିଲା।  ଏହା ବ୍ୟତୀତ ଆଇସୋଲେସନ୍ ୱାର୍ଡ, ରୋଗୀ ପରିଜନଙ୍କ ପାଇଁ ରେଷ୍ଟସେଡ୍‌ ଆଦି ନିର୍ମାଣ ନିଷ୍ପତ୍ତି ହୋଇଥିଲା। ଭିମ୍‌ସାର୍‌ର ଜଣାଶୁଣା ଚକ୍ଷୁ ବିଶେଷଜ୍ଞ ଡା. ପ୍ରମୋଦ କୁମାର ଶର୍ମାଙ୍କ ସ୍ବେଚ୍ଛାକୃତ ଅବସର ଆବେଦନ ସଂପର୍କରେ ଆଲୋଚନା ହୋଇଥିଲା। ଭିମ୍‌ସାର୍‌ କ୍ୟାଡର୍‌ରେ ପଦୋନ୍ନତି ମିଳିବାର ସୁଯୋଗ ନଥିବାରୁ ଓ ଅନ୍ୟ କ୍ୟାଡର୍‌ରେ ତାଙ୍କଠାରୁ କନିଷ୍ଠ ଡାକ୍ତର ପଦୋନ୍ନତି ପାଇ ସାରିଥିବାରୁ ଅସନ୍ତୁଷ୍ଟ ଡା. ଶର୍ମା ନିଜ ପଦରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। କିନ୍ତୁ ସେ ଜଣେ ଦକ୍ଷ ଡାକ୍ତର ହୋଇଥିବାରୁ ତାଙ୍କ ସେବା ଲୋକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ସଦସ୍ୟମାନେ ମତ ଦେଇଥିଲେ। ସରକାରଙ୍କ ସହ ଆଲୋଚନା କରି ଡା. ଶର୍ମା ଓ ତାଙ୍କ ପରି ସମସ୍ତ ଯୋଗ୍ୟ ଡାକ୍ତର ମାନଙ୍କୁ କିଭଳି ପଦୋନ୍ନତି ମିଳି ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା।

ଭିମସାର୍‌ ଚକ୍ଷୁ ବ୍ୟାଙ୍କ୍‌କୁ ‘ପ୍ରଫେସର୍ ଉଦ୍ଧବ ଚରଣ ବେହେରା ଚକ୍ଷୁ ବ୍ୟାଙ୍କ’ ଭାବେ ନାମିତ କରିବା ସଂପର୍କିତ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ପ୍ରଫେସର୍ ବେହେରା ଓଡ଼ିଶାରେ ପ୍ରଥମ ସର୍ଜନ ଭାବେ ୧୯୭୩ ମସିହାରେ ୩ ଜଣ ରୋଗୀଙ୍କର କେରାଟୋପ୍ଲ‌ାଷ୍ଟି (କରୋନିଆଲ୍ ଟ୍ରାନ୍‌ସପ୍ଲାଣ୍ଟ) କରିଥିଲେ। ସେ ଭିଏସ୍‌ଏସ୍‌ ମେଡିକାଲ୍‌ କଲେଜ୍‌ର ଅଧୀକ୍ଷକ ଓ ଚକ୍ଷୁ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରି ୧୯୮୫ ମସିହାରେ ଅବସର ନେଇଥିଲେ। ତେଣୁ ତାଙ୍କ ନାମରେ ଚକ୍ଷୁ ବ୍ୟାଙ୍କକୁ ନାମିତ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ। ବୈଠକରେ ଭିମ୍‌ସାର୍‌ ଜମିରେ ଥିବା ବିଭିନ୍ନ ବେଆଇନ୍‌ ନିର୍ମାଣ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଥିଲା। ଭିମସାର୍‌ ନିର୍ଦ୍ଦେଶକ ପ୍ର. ଲଳିତ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆର୍‌କେ ଶର୍ମା, ଡିଏମ୍‌ଇଟି ସିବିକେ ମହାନ୍ତି, ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରକାଶ ଚନ୍ଦ୍ର ମହାନ୍ତି, ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଏନ୍‌କେ ରାଉତରାୟ ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ଥିଲେ। ସେହିପରି ଭିମସାର୍‌ ଅଧ୍ୟକ୍ଷ ପ୍ର. ଜୟଶ୍ରୀ ଦୋରା, ମେଡିସିନ୍ ପ୍ରପେସର୍ ପିକେ ମହାନ୍ତି, କାର୍ଡିଓଲଜି ପ୍ରଫେସର୍ ସୁନୀଲ ଶର୍ମା, ମନୋନୀତ ସଦସ୍ୟ ଡା. ବିନୋଦ ନାୟକ, ଡା. ଉତ୍ତମ ପାଣି, ଡା.  ଚିତ୍ତରଂଜନ ଆଚାର୍ଯ୍ୟ ଏବଂ ସାମ୍ବାଦିକ ଶିବଶଙ୍କର ନନ୍ଦ ଉପସ୍ଥିତ ଥିଲେ।

 

 

ସମ୍ବନ୍ଧିତ ଖବର