ସମ୍ବଲପୁର: ମରିଯିବା ପରେ ବି ଶବଦାହ ପାଇଁ ପରିବାର ଲୋକେ ଆସ‌ିଲେନି। ଏଭଳି ସ୍ଥିତିରେ ମୁଖାଗ୍ନି ଦେଇ ନିଜ ମହାନତାର ପରିଚୟ ଦେଇଛନ୍ତି ମହାନଗର ନିଗମର କମିଶନର ବେଦଭୂଷଣ। କେରଳ ମୂଳନିବାସୀ ପଦ୍ମା ନାୟର(୫୯)ର ପରିବାର ଆଗରୁ ଏଠାରେ ବସବାସ କରୁଥିବା ବେଳେ ପରେ ସେଠାକୁ ଚାଲି ଯାଇଥିଲେ। ପ୍ରଥମେ ହୀରାକୁଦର ଏକ ସ୍କୁଲରେ ଶିକ୍ଷକତା କରୁଥିବା ପଦ୍ମା ୧୯୯୮ ମସିହାରେ ହୀରାକୁଦ ଏନ୍‌ଏସି(ଏବର ମହାନଗର ନିଗମ)ରେ କିରାଣି ଭାବେ ଯୋଗ ଦେଇଥିଲେ। ତେବେ, ସେ ପରବର୍ତ୍ତୀ ସମୟରେ ସେ ମାନସିକ ରୋଗରେ ପୀଡ଼ିତ ହୋଇଥିଲେ। ସେ ରାସ୍ତାଘାଟରେ ବୁଲାବୁଲି କରୁଥିଲେ।

Advertisment

ପରିଚୟ ଅନୁଷ୍ଠାନ ସହଯୋଗ ତାଙ୍କୁ ଝାରସୁଗୁଡ଼ା ମିଶନ ଆଶ୍ରାରେ ରଖାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ଗତ ୭ ତାରିଖ ରାତିରେ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ତ‌େବେ, ସେଠାରେ ଚିକିତ୍ସାଧୀନ ଅବସ୍ଥାର ଗତକାଲି ତାଙ୍କ ଦେହାନ୍ତ ହେଲା। ଏ ବିଷୟରେ ମହାନଗର ନିଗମ ତରଫରୁ କେରଳରେ ରହୁଥିବା ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ମାତ୍ର, ତାଙ୍କ ପରିବାର ଲୋକେ ଶବସତ୍କାର ପାଇଁ ଏଠାକୁ ଆସିବାକୁ ମନା କରିଦେଇଥିଲେ। ମହାନଗର ନିଗମ କମିଶନର ମହାନତାର ପରିଚୟ ଦେଇ ଗତକ‌ାଲି ନିଜେ ଶବ ସତ୍କାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସମ୍ବଳ ସ୍ଵେଚ୍ଛାସେବୀ ଅନୁଷ୍ଠାନର ଶବବାହକ ଗାଡ଼ିରେ ବୁର୍ଲାରୁ ଶବକୁ ଆଣି ରାଜଘାଟରେ ସମ୍ମାନର ସହିତ ସତ୍କାର କରଯାଇଥିଲା। କମିଶନର ନିଜ ପରିବାର ଜଣେ ସଦସ୍ୟ ଭାବି ନିଜେ ମୁଖାଗ୍ନି ଦେଇଥିଲେ। ସମ୍ବଳର ସଂପାଦକ ସୁବ୍ରତ ପଣ୍ଡା, ମହାନଗର ନିଗମର କର୍ମଚାରୀ ମୀନତୀ ପଣ୍ଡା ଓ ଅନ୍ୟ କର୍ମଚାରୀମାନେ ଶବଦାହରେ ସହଯୋଗ କରିଥିଲେ।