ସମ୍ବଲପୁର: ସମଲେଶ୍ବରୀ ମନ୍ଦିର ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିସଂକ୍ରାନ୍ତରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଲାଇଟ ଆଣ୍ଡ ସାଉଣ୍ଡ ସୋ ନିର୍ମାଣ ଦାୟିତ୍ବରେ ଟ୍ରାଇ କଲର ଇଣ୍ଡିଆର ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଥିଲା। ୧୦ ଦିନ ମଧ୍ୟରେ କେବୁଲ ବିଛାଇବା ପାଇଁ ଖୋଳାଯାଇଥିବା ଗାତ ପୋତି ତା’ଉପରେ ଟାଇଲ ପକାଇବା ପାଇଁ ଆଲୋଚନାରେ ନିଷ୍ପତ୍ତି ହୋଇଥିବା ବୋର୍ଡ ସଭାପତି ସଂଜୟ ବାବୁ କହିଛନ୍ତି। ଏହାପରେ ମନ୍ଦିର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ସୂଚନା ଅନୁଯାୟୀ, ସମଲେଶ୍ବରୀ ମନ୍ଦିରରେ ୬ କୋଟି ୩୧ ଲକ୍ଷ ଟଙ୍କାରେ ଲାଇଟ ଆଣ୍ଡ ସାଉଣ୍ଡ ସୋ ପାଇଁ ନିର୍ମାଣ କାର୍ଯ୍ୟ କରାଯାଉଛି। ୨୦୨୧ ମସିହା ଜାନୁଆରି ଶେଷ ସୁଦ୍ଧା ଏହାକୁ ସାରିବା ପାଇଁ ସମ୍ବଲପୁର ଜିଲ୍ଲାପାଳ ନିର୍ଦେଶ ଦିଆଯାଉଛି। ଯେଉଁଭଳି ମନ୍ଥର ଗତିରେ ଏହା ଚାଲିଛି, କେବେ ସରିବ ଏହାକୁ ନେଇ ଅନିଶ୍ଚିତତା ରହିଥିବା ସ୍ଥାନୀୟ ଅଧିବାସୀ କହୁଛନ୍ତି। ଏହାର ସମାପ୍ତି ସହିତ ମନ୍ଦିର ଖୋଲିବା ନିଷ୍ପତ୍ତି ନିର୍ଭରଶୀଳ ନୁହେଁ। ବର୍ତ୍ତମାନ ସୋ ପାଇଁ ନିୟନ୍ତ୍ରଣ କକ୍ଷ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ଏଠାରେ ଲାଗିବାକୁ ଥିବା ୪ ପ୍ରୋଜେକ୍ଟର ପାଇଁ ଫାଉଣ୍ଡେସନ ତିଆରି ହେବ। ଏଥିପାଇଁ ଟ୍ରାନ୍ସଫରମର ଆବଶ୍ୟକତା ରହିଛି। ସେହିଭଳି ସମୁଦାୟ ମନ୍ଦିରରେ ରଙ୍ଗ-ବିରଙ୍ଗ ଲାଇଟ ଲାଗିବ। ଏହି ଲାଇଟ ଆଣ୍ଡ ସାଉଣ୍ଡ ସୋ ଜରିଆରେ ସମଲେଶ୍ବରୀଙ୍କ ଐତିହ, ସଂସ୍କୃତି ଏବଂ ପରମ୍ପରାର ପ୍ରଚାର ପ୍ରସାର କରାଯିବ। ଏଥିପାଇଁ ଦିଲ୍ଲୀର ଏକ ସ୍ବତନ୍ତ୍ର ପ୍ରୋଜେକ୍ଟର ଆସିବ। ଓଡ଼ିଆ ଏବଂ ହିନ୍ଦୀରେ ଏହି ସୋ ପ୍ରସାରିତ ହେବ। ସମ୍ବଲପୁରୀରେ ମଧ୍ୟ ପ୍ରସାରଣ ପାଇଁ ପ୍ରଶାସନ ଚେଷ୍ଟା କରୁଥିବା କୁହାଯାଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp