ବାପାଙ୍କ ଆଖି ଆଗରେ ଟ୍ରେନ୍‌ରେ କଟି ଆଖି ବୁଜିଲା ପୁଅ

ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ରବଗା ଗାଁ’ର ଗୋପାଳ ଚନ୍ଦ୍ର କଉଡ଼ିଙ୍କ ପୁଅ ରାଜକୁମାର(୩୫)ଙ୍କର ସୋନାଖାନ ରେଲୱେ ଫାଟକଠାରେ ଏକ ଦ୍ରୁତଗାମୀ ମାଲବାହୀ ଟ୍ରେନ୍ ଧକ୍କାରେ ମୃତ୍ୟୁ ଘଟିଛି।

ଘଟଣାରୁ ପ୍ରକାଶ, ରାଜକୁମାରଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଶୁକ୍ରବାର ସନ୍ଧ୍ୟାରେ ବାଇକରେ ବସାଇ ନିକଟସ୍ଥ ରାଜଗାଙ୍ଗପୁର ହସ୍ପିଟାଲକୁ ଗୋପାଳ ଚିକିତ୍ସା ନିମନ୍ତେ ନେଉଥିଲେ। ତେବେ ରାସ୍ତାରେ ପଡୁଥିବା ସୋନାଖାନ ରେଲୱେ ଫାଟକଟି ବନ୍ଦ ଥିବାଯୋଗୁଁ ଫାଟକ ଆରପଟେ ଅଟକିଥିଲେ। ଦୀର୍ଘସମୟରୁ ଟ୍ରେନ୍ ନ ଆସିବାରୁ ରାଜକୁମାର ବାଇକରୁ ଓହ୍ଲାଇ ରେଲୱେ ଫାଟକ ପାରି ହୋଇ ଆରପଟକୁ ଚାଲି ଚାଲି ଅତିକ୍ରମ କରୁଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ମାଲଗାଡ଼ି ଧକ୍କାଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାଦେଖି ଗୋପାଳ ମୂର୍ଚ୍ଛା ହୋଇ ପଡ଼ିଥିଲେ।

ଖବର ପାଇ ରାଜଗାଙ୍ଗପୁର ଜିଆରପି ଫାଣ୍ଡି ଏଏସଆଇ ସୁଶାନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ। ଏ ନେଇ ରେଲୱେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଶନିବାର ଶୋକାକୁଳ ପରିବେଶରେ ରାଜକୁମାରଙ୍କର ଗାଁ’ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇ ଥିଲା।

ସମ୍ବନ୍ଧିତ ଖବର