ସମ୍ବଲପୁର: ସମ୍ବଲପୁର ସହରରେ ଦିନକୁ ଦିନ ବ୍ରାଉନସୁଗର ବେପାର ବଢ଼ିବାରେ ଲାଗିଛି। ଗୁରୁବାର ଦିନ ବ୍ରାଉନସୁଗର ବେପାର କରୁଥିବା ସମୟରେ କୁମ୍ଭାରପଡ଼ାର କୁଖ୍ୟାତ ଏବଂ ଭେଟରାନ ଅପରାଧୀ ଅରମାନ୍ ଖାନ(୨୩)କୁ ଧନୁପାଲି ପୁଲିସ ଗିରଫ କରିଛି। ଆଜି ଅରମାନ୍ ଡିୟର ପାର୍କ ନିକଟସ୍ଥ ଦୂରଦର୍ଶନ କେନ୍ଦ୍ର ପାଖରେ ସକାଳୁ ନିଶା କାରବାର କରୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲା। ପୁଲିସ ଅରମାନକୁ ଗିରଫ କରିବା ସହିତ ତା ଠାରୁ ୧୫.୫୮ ଗ୍ରାମର ବ୍ରାଉନସୁଗର ସହ ଗୋଟିଏ ଧାରୁଆ ଛୁରୀ ଓ ଗୋଟିଏ ମୋବାଇଲ ଫୋନ ଜବତ କରିଥିଲା ବୋଲି ଧନୁପାଲି ଆଇଆଇସି ଆଦିତ୍ୟ ମହାକୁର କହିଛନ୍ତି। 

Advertisment

ଅରମାନର ବାପା ଗୁଲାପ୍ ଖାନ୍ ନାମରେ ପୂର୍ବରୁ ବିଭିନ୍ନ ଅଭିଯୋଗ ରହିଥିବା ବେଳେ ବର୍ତ୍ତମାନ ଏକ ହତ୍ୟା ଘଟଣାରେ ଜେଲରେ ଅଛି। ଅରମାନ୍ ନାରେ ଜିଲ୍ଲାର ବିଭିନ୍ନ ଥାନାରେ ୩୧ଟି ମାମଲା ରହିଛି। ଅରମାନ୍ ୩-୪ ମାସ ପୂର୍ବରୁ ଜେଲରୁ ବାହାରିଥିଲା। ସେ ନାବାଳକ ଥିବା ବୟସରେ ୨୦୧୯ରେ ଅପରାଧ ଦୁନିଆରେ ପାଦ ରଖିଥିଲା। ଛୁରୀରେ ଆକ୍ରମଣ କରିବା, ଧମକ ଦେବା, ଅଟକ ରଖିବା ଭଳି ବିଭିନ୍ନ ଅପରାଧ ମାମଲାରେ ଅଇଁଠାପାଲି ପୁଲିସ ତାକୁ ଗିରଫ କରିଥିଲା। ପରେ ଅରମାନ୍ ଜେଲରୁ ବାହିରା ପରେ ଆଉ ପଛକୁ ନ ଫେରି ବନ୍ଧୁକ ରଖିବା, ଚୋରି, ଲୁଟ୍, ଗଞ୍ଜେଇ କାରବାର, ଅସଦାଚରଣ ପରି ଏନେକ ଅପରାଧ କରିବା ସହିତ ଜେଲ ଯାଇଥିଲା।

ଅରମାନ୍ ନାମରେ ଧନୁପାଲି ଥାନାରେ ସର୍ବାଧିକ ୧୬ଟି ମାମଲା ରହିଥିବା ବେଳେ କ୍ଷେତରାଜପୁର ଥାନାରେ ୨ଟି, ଟାଉନ୍ ଥାନାରେ ୯ଟି, ଅଇଁଠାପାଲି ଥାନାରେ ଗୋଟିଏ ଓ ବୁର୍ଲା ଥାନାରେ ୩ଟି ବିଭିନ୍ନ ଅପରାଧିକ ମାମଲା ରହିଛି। ପୂର୍ବରୁ ନିଶାକାରବାର କରୁଥିବା ନେଇ ଧନୁପାଲି ପୁଲିସ ପାଖରେ ଅରମାନ୍ ନାରେ ଅଭିଯୋଗ ରହିଥିଲା। ପୁଲିସ ଅରମାନ୍ ଉପରେ ନଜର ରଖିବା ସହିତ ତାହାର ଗତିବିଧି ଉପରେ ନଜର ରଖିଥିଲା ପୁଲିସ୍। ଆଜି ଶ୍ରୀ ମହାକୁର ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଅରମାନକୁ ବ୍ରାଉନସୁଗର ବେପାର କରୁଥିବା ସମୟରେ ଗିରଫ କରିଛି। ତେବେ ପଚରା ଉଚୁରା ସମୟରେ ବ୍ରାଉନସୁଗରକୁ ପଶ୍ଚିମବଙ୍ଗରୁ ଆଣିଥିବା କହିଛି ଅରମାନ୍। ଏହି ବ୍ରାଉନସୁଗରରେ ଅରମାନକୁ କେଉଁ ଲୋକମାନେ ସାହାର୍ଯ୍ୟ କରିଛନ୍ତି ତାହା ତଦନ୍ତ ପରେ ଜଣା ଯିବ। ଗିରଫ ପରେ ଅରମାନକୁ କୋର୍ଟ ଚାଲଣ କରାଯାଇଥିବା ସୂଚନା ଦେଇଛନ୍ତି ଆଇଆଇସି ଶ୍ରୀ ମହାକୁର।

ଗତକାଲି ବ୍ରାଉନସୁଗର କାରବାର କରୁଥିବା ସମୟରେ ଧନୁପାଲି ପୁଲିସ ଦୁଇ ଅଭିଯୁକ୍ତୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ଧନକଉଡ଼ା ଅଂଚଳର ଧନକୌଡାର ବିନୋଦ ବାଦି (୨୮) ଓ ସିଟି ଷ୍ଟେସନ ଅଂଚଳର ବିନୋଦ ଟୋପ୍ନୋ (୩୨)। କୁମ୍ଭାରପଡ଼ା ଅଂଚଳର ଭାଗବତଗୁଡି ନିକଟରେ ବ୍ରାଉନସୁଗର କାରବାର କରୁଥିବା ବେଳେ ଗିରଫ କରିଥିଲା ପୁଲିସ। ସେମାନଙ୍କ ଠାରୁ  ୧୪.୫୧ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୨ଟି ମୋବାଇଲ ଫୋନ୍, ଗୋଟିଏ ନିକ୍କନ୍ କ୍ୟାମେରା ଓ ନଗଦ ୧୭୫୦ ଟଙ୍କା ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ କୋର୍ଟ ଚାଲଣ ହୋଇଛନ୍ତି। ଦୁଇ ଦିନ ମଧ୍ୟରେ ୩୦.୦୯ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ କେବଳ ସେପ୍ଟେମ୍ବର ମାସରେ ସହରରୁ ୮୭.୩ ଗ୍ରାମର ବ୍ରାଉନସୁଗର ଜବତ ହୋଇଥିଲା। ଏହି ମାମଲାରେ ପୁଲିସ ୧୩ ଜଣ ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରିଛି। 

Sambalpur | Brown sugar

ରିପୋର୍ଟ: ଜିତେନ୍ଦ୍ର କୁମାର ଦାଶ