ସମ୍ବଲପୁର ସଦର ଡାକ୍ତରଖାନାରେ ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

ସମ୍ବଲପୁର: ସମ୍ବଲପୁର ସଦର ଡାକ୍ତରଖାନା ଭିତରେ ଜଣେ ୩ ବର୍ଷର ଶିଶୁ କନ୍ୟା ଦୁଷ୍କର୍ମର ଶିକାର ହୋଇଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ମାଆ ଓ ଶିଶୁ ଡାକ୍ତରଖାନାରେ ଜଣେ ମହିଳା ଭର୍ତ୍ତି ଥିଲେ। ମଙ୍ଗଳବାର ରାତି ପ୍ରାୟ ୯ଟା ବେଳେ ତାଙ୍କ ୩ ବର୍ଷର ଶିଶୁ କନ୍ୟା ଡାକ୍ତରଖାନା ଓ୍ଵାର୍ଡ ବାହାରେ ଖେଳୁଥିଲା। ଏତିକି ବେଳେ ଜଣେ ବ୍ୟକ୍ତି ଶିଶୁଟିକୁ ଏକ ଅନ୍ଧାରୁଆ ସ୍ଥାନକୁ ଡାକି ନେଇ ବଳାତ୍କାର କରିଥିଲା। ଦୁଷ୍କର୍ମ ପୀଡ଼ିତା ଶିଶୁଟି ଭୟଭୀତ ହୋଇ ବେଶ କିଛି ସମୟ ପରେ ନିଜ ମାଆକୁ ଏ ସଂପର୍କରେ ଜଣାଇଥିଲା। ଘଟଣା ସଂପର୍କରେ ଖବର ପାଇ ଟାଉନ୍‌ ଥାନା ଅଧିକାରୀ ପ୍ରଦୀପ ସାହୁ ରାତି ପ୍ରାୟ ୧୧ଟା ବେଳେ ସେଠାରେ ପହଞ୍ଚି ପଚରାଉଚୁରା ଆରମ୍ଭ କରିଥିଲେ। ଏଡିଏମ୍‌ଓ ଡା. ରତନ ମିଶ୍ର ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ପହଞ୍ଚି ଶିଶୁଟିର ଚିକିତ୍ସା କରାଇଥିଲେ। ପୁଲିସ୍‌ ସେହି ଓ୍ଵାର୍ଡରେ ଭର୍ତ୍ତି ଅନ୍ୟ ଜଣେ ରୋଗୀଙ୍କ ସଂପର୍କୀୟକୁ ସଂଦେହ କରି ପଚରାଉଚୁରା କରୁଛି। ସକାଳ ସୁଦ୍ଧା ଅଭିଯୁକ୍ତ ଚିହ୍ନଟ ହେବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ସହରର କେନ୍ଦ୍ର ସ୍ଥଳରେ ଥିବା ସମ୍ବଲପୁର ସଦର ଡାକ୍ତରଖାନାରେ ରୋଗୀ ଓ ସଂପର୍କୀୟମାନଙ୍କ ସୁରକ୍ଷା ବାରମ୍ବାର ବିପନ୍ନ ହେଉଛି। ଏହି ଡାକ୍ତରଖାନା ଭିତରୁ ଜଣେ ଅପରିଚିତ ମହିଳା ଏକ ନବଜନ୍ମିତ ଶିଶୁପୁତ୍ରକୁ ରାତି ଅଧରେ ମାଆ କୋଳରୁ ଚୋରି କରିନେବା ଘଟଣା ଏବେ ବି ଅସମାହିତ ହୋଇ ରହିଛି। କିଛି ମାସ ପୂର୍ବରୁ ପୁଣି ଜଣେ ରୋଗୀଙ୍କ ସଂପର୍କୀୟ ମହିଳାଙ୍କୁ ଅସଦାଚରଣ କରି ଡାକ୍ତରଖାନାର ୨ ଜଣ ସୁରକ୍ଷା କର୍ମୀ ଗିରଫ ହୋଇଥିଲେ। ଏହାପରେ ପୁଣି ତିନି ବର୍ଷର ଶିଶୁ ଦୁଷ୍କର୍ମ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର