ତୀର୍ଥଯାତ୍ରୀ ବସ୍‌-ଟ୍ୟାଙ୍କର ଧକ୍କା ଘଟଣା:ଉଭୟ ଗାଡ଼ି ମାଲିକଙ୍କୁ ହାଜର ହେବାକୁ ନୋଟିସ୍‌

ସମ୍ବଲପୁର: ଶନିବାର ଅପରାହ୍ଣରେ ଯୁଯୁମୁରା ଥାନା କୟାକୁଦ ନିକଟରେ ଯାଜପୁର ତୀର୍ଥ ଯାତ୍ରୀ ବସ୍‌କୁ ଟ୍ୟାଙ୍କର ଧକ୍କା ଦେବା ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଯୁଯୁମୁରା ସିଏଚ୍‌ସିରେ ଶନିବାର ହିଁ ୭ ଜଣଙ୍କର ପ୍ରାଥମିକ ଚିକିତ୍ସା କରି ଛାଡ଼ି ଦିଆଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ୨୦ ଜଣ ଆହତଙ୍କ ମଧ୍ୟରୁ ୧୨ ଜଣଙ୍କୁ ଡିସଚାର୍ଜ କରିଦିଆଯାଇଥିବା ଜଣାପଡ଼ିଛି। ଶନିବାର ହିଁ ୨ ଜଣଙ୍କୁ ବୁର୍ଲା ମେଡିକାଲ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ରବିବାର ଅଧିକ ଚିକିତ୍ସା ପାଇଁ ଆଉ ୨ ଜଣ ରୋଗୀ ମଧ୍ୟ ବୁର୍ଲା ଯାଇଛନ୍ତି। ତେବେ ଶନିବାର ବୁର୍ଲା ସ୍ଥାନାନ୍ତର ହୋଇଥିବା ଧନ ବେହେରା(୪) ଓ ଶ୍ରୀଧର ବେହେରାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା.କେ.କେ.ଗୁପ୍ତା ସୂଚନା ପ୍ରଦାନ କରିଛନ୍ତି। ଅପରପକ୍ଷେ, ଆହତ ଫୁଲରାଣୀ ବେହେରା(୨୦)ଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଟ୍ୟାଙ୍କର ଡ୍ରାଇଭର ବିରୋଧରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ରବିବାର ରାତି ସୁଦ୍ଧା ଟ୍ୟାଙ୍କର ଡ୍ରାଇଭର ଫେରାର୍‌ ରହିଥିବା ଜଣାପଡ଼ିଛି। ପୁଲିସ୍‌ ଉଭୟ ଦୁର୍ଘଟଣାଗ୍ରସ୍ତ ବନୋରି ଟ୍ରାଭେଲ୍ସ ବସ୍‌ ଓ ଗ୍ୟାସ୍‌ ଟ୍ୟାଙ୍କର ମାଲିକଙ୍କୁ ହାଜର ହେବାକୁ ନୋଟିସ୍‌ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର