ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମାନିଲେ ବିନା ଅନୁମତିରେ ହୋଇଛି ଗଛକଟା: କାର୍ଯ୍ୟାନୁଷ୍ଠାନ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର

ସମ୍ବଲପୁର: ପରି‌‌ଶେଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବନ ବିଭାଗର ବିନା ଅନୁମତିରେ ଗଛକଟା ହୋଇଥିବା ସ୍ବୀକାର କରିଛନ୍ତି। ବିନା ଅନୁମତିରେ ଗଛ କାଟିବା ଅପରାଧିକ କାର୍ଯ୍ୟ ହୋଇଥିବା ସତ୍ତ୍ବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ସମ୍ବଲପୁର ଡିଏଫ୍‌ଓ କାର୍ଯ୍ୟାନୁଷ୍ଠାନ ନେବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। ଅପରପକ୍ଷରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସେଠାରେ ନିର୍ମାଣ କାର୍ଯ୍ୟ କରୁଥିବା ପୁଲିସ ଗୃହ ନିର୍ମାଣ କଲ୍ୟାଣ ନିଗମ ମୁଣ୍ଡରେ ଦୋଷ ଲଦି ନିଜେ ଖସି ଯିବାକୁ ଚେଷ୍ଟା କରୁଛନ୍ତି। ଏଭଳି ସ୍ଥିତିରେ ଡିଏଫ୍‌ଓ ଏବଂ  ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ଆଇନଜୀବୀ ତଥା ବିଶ୍ବବିଦ୍ୟାଳୟର ପୂର୍ବତନ ସିଣ୍ଡିକେଟ୍ ସଦସ୍ୟ ଦୁର୍ଗା ପାଢ଼ୀ ରାଜ୍ୟ ସରକାରଙ୍କ ଜଂଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ଦାବି କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ୧୬ ସେପ୍‌ଟମ୍ବେର ଦିନ ଡିଏଫ୍ଓ କାର୍ଯ୍ୟାଳୟରେ ବନ ବିଭାଗ ଓ ବିଶ୍ବବିଦ୍ୟାଳୟର ଅଧିକାରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ‌ ବୈଠକରେ ଡିଏଫ୍ଓ ବିଶ୍ବବିଦ୍ୟାଳୟ ପରିସରରୁ କେତୋଟି ଗଛ କଟାଯାଇଛି ? କେତୋଟି ଗଛ କାଟିବାକୁ ବାକି ରହିଛି ? ପୁଲିସ ଗୃହ ନିର୍ମାଣ କଲ୍ୟାଣ ନିଗମକୁ କିଏ କାର୍ଯ୍ୟାଦେଶ ଦେଇଥିଲେ ? ଅନେକ ପ୍ରଶ୍ନ ପଚାରି ଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶାସନିକ ଅଧିକାରୀଙ୍କୁ ଏସବୁ ବିଷୟରେ ସେ କିଛି ଜାଣିନଥିବା କହିଥିଲେ। ତେବେ, ଗଛ କାଟିବା ପାଇଁ ଅନୁମତି ମିଳିନଥିବା ପ୍ରସଂଗରେ ସେ ସତ କଥା ସ୍ବୀକାର କରିଥିଲେ। ଗଛ କାଟିବା ନିମନ୍ତେ ସମ୍ବଲପୁର ବନ ବିଭାଗଠାରୁ କୌଣସି ଅନୁମତି ମିଳିନଥିବା ନେଇ ‌ନୂଆ ଡିଏଫ୍‌ଓଙ୍କ ଠାରେ ସ୍ପଷ୍ଟ ଭାବେ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରୁ ଗତ ୧୩ ଓ ୧୪ ଏପ୍ରିଲ ଦିନ ପ୍ରାୟ ହଜାରେ ଗଛ କାଟି ଦିଆଯାଇଥିଲା। ବିଶ୍ବବିଦ୍ୟାଳୟର ପ୍ରଶାସନିକ ଭବନ ସମ୍ମୁଖରେ ଥିବା  ହର୍ବାଲ ଗାର୍ଡେନରେ ଥିବା ବହୁ ଔଷଧୀୟ ଗଛଲତା ବି କାଟି ଦିଆଗଲା। ଆଉ ଗଛଗୁଡ଼ିକୁ ନିଆଁରେ ପୋଡ଼ି ଦିଆଯାଇଥିଲା।

ଏ ସଂକ୍ରାନ୍ତରେ ସେତେବେଳେ ବିଭିନ୍ନ ଖବରକାଗଜରେ ଖବର ବି ପ୍ରକାଶ ପାଇଥିଲା। ତେବେ, ଗଣମାଧ୍ୟମକୁ ଗଛକଟା ସଂପର୍କିତ ସୂଚନା ‌ଦେଇଥିବା ଅଭିଯୋଗ କରି ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କୁ ଅପମାନିତ କରାଗଲା। ସ୍ଥିତି ଏମିତି ‌ହୋଇଥିଲା ‌‌ଯେ, ଅପମାନ ସହ୍ୟ କରିନପାରି ଦୀନବନ୍ଧୁ କୁଳପତିଙ୍କ ଅଭଭିଯୋଗ ପ୍ରକଳ୍ପ ସମ୍ମୁଖରେ ଆତ୍ମଦାହ କରିଥିଲେ। ବିନା ଅନୁମତିରେ ଗଛ କଟାଯାଇଥିବା ସଂକ୍ରାନ୍ତରେ ଅବଗତ ଥିବା ସତ୍ତ୍ବେ ତତ୍କାଳୀନ ଡିଏଫ୍ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ନୂଆ ଡିଏଫ୍ଓ  ମଧ୍ୟ ବିଶ୍ବବିଦ୍ୟାଳୟ କତ୍ତୃର୍ପକ୍ଷଙ୍କ ଏହି ବେଆଇନ କାର୍ଯ୍ୟ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏଭଳି ସ୍ଥିତିରେ ଠୋସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇନଜୀବୀ ଶ୍ରୀ ପାଢ଼ୀ ଏହି ପତ୍ର ମାଧ୍ୟମରେ ଦାବି କରିଛନ୍ତି। ଏହି ପତ୍ର ସହିତ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ବି ପଠାଇଛନ୍ତି। ଗଛ ଖଣ୍ଡେ କାଟିଲେ ବି ବନ ବିଭାଗର ଅଧିକାରୀମାନେ ସାଧାରଣ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ହେଲେ ଏତେ ସବୁ ଗଛ କାଟିବା ସତ୍ତ୍ବେ ବନ ବିଭାଗର ଅଧିକାରୀମାନେ ଘଟଣାରେ ସଂପୃକ୍ତ ବିଶ୍ବବିଦ୍ୟାଳୟର ବାବୁମାନଙ୍କୁ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି। ବଡ଼ ଲୋକମାନେ ଯାହା ଦୋଷ କଲେ ମଧ୍ୟ କ’ଣ ସବୁ ଦୋଷ ମାଫ୍ ? ବନ ବିଭାଗର କ’ଣ ବାର୍ତ୍ତା ଦେବାକୁ ଚାହୁଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର