ସମ୍ବଲପୁର ଲୋକସଭାରେ ତ୍ରିମୁଖୀ ପ୍ରତିନ୍ଦ୍ୱନ୍ଦ୍ୱିତା: ଦୁଇ ପୁରୁଣା ଓ ନୂଆ ରାଜନେତାଙ୍କ ଭିତରେ ଟକ୍କର

ଭୁବନେଶ୍ୱର(ସୁବ୍ରତ ଦାସ): ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ମଧ୍ୟରେ କଡ଼ା ମୁକାବିଲା ହେଉଛି। ଭୋଟଗ୍ରହଣ ଆଉ ମାତ୍ର କିଛି ଘଣ୍ଟା ଥିବାରୁ ନିର୍ବାଚନୀ ବାତାବରଣ ଖୁବ୍‌ ସରଗରମ ହୋଇ ଉଠିଛି।

ଏଥର ଶାସକ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ତାଙ୍କର ସାଂଗଠନିକ ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇ ପ୍ରାର୍ଥୀ କରାଯାଇଥିବାର ଦଳୀୟ କର୍ମୀ ମହଲରେ ଚର୍ଚ୍ଚା ହୁଏ। ଦଳର ସାଂସଦ ଥିବା ନଗେନ୍ଦ୍ର ପ୍ରଧାନଙ୍କୁ ବଦଳାଇ ନଳିନୀକାନ୍ତଙ୍କୁ ପ୍ରାର୍ଥୀ କରାଯାଇଛି।

ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେବଗଡ଼ ବିଧାୟକ ନୀତେଶ ଗଙ୍ଗଦେବ ଏବଂ କଂଗ୍ରେସ ପକ୍ଷରୁ ପୂର୍ବତନ ବଲାଙ୍ଗୀର ସାଂସଦ ଶରତ ପଟ୍ଟନାୟକ ଶ୍ରୀ ପ୍ରଧାନଙ୍କୁ କଡ଼ା ଟକ୍କର ଦେଉଛନ୍ତି।

ଗତ ୨୦୧୪ ନିର୍ବାଚନରେ ନଗେନ୍ଦ୍ର ପ୍ରଧାନ ୩୦,୫୭୬ ଭୋଟରେ ଭାରତୀୟ ଜନତା ପାର୍ଟିର ସୁରେଶ ପୂଜାରୀଙ୍କୁ ହରାଇଥିଲେ। ଏଥର ଶ୍ରୀ ପୂଜାରୀ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ଏବଂ ତାଙ୍କ ସ୍ଥାନରେ ଦଳୀୟ ପ୍ରାର୍ଥୀ ହୋଇଛନ୍ତି ନୀତେଶ ଗଙ୍ଗଦେବ। ସେହିପରି କଂଗ୍ରେସ ତା’ର ପୂର୍ବତନ ସାଂସଦ ପ୍ରାର୍ଥୀ ଅମର ନାଥ ପ୍ରଧାନଙ୍କୁ ବଦଳାଇ ବଲାଙ୍ଗୀରର ପୂର୍ବତନ ସାଂସଦ ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି।ଶ୍ରୀ ପଟ୍ଟନାୟକ ଲଗାତାର ଦୁଇ ଦୁଇ ଥର ( ୧୯୯୧ ଓ ୧୯୯୬ ନିର୍ବାଚନରେ) ବିଜୟୀ ହୋଇଥିଲେ। ଶ୍ରୀ ପଟ୍ଟନାୟକ ଗତ ନିର୍ବାଚନ ପର୍ଯ୍ୟନ୍ତ ସବୁଥର ଲଢିଥିଲେ ମଧ୍ୟ ଆଉ ସଫଳତା ପାଇ ନାହାନ୍ତି। ଏଥର ସେ ସମ୍ବଲପୁରରୁ ଭାଗ୍ୟ ପରୀକ୍ଷା କରୁଛନ୍ତି।

Go darpan

ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ ବିଧାନସଭା ଆସନ ମଧ୍ୟରୁ ଶାସକ ବିଜୁ ଜନତା ଦଳ ପାଞ୍ଚଟି(ରେଙ୍ଗାଲି,ସମ୍ବଲପୁର,ରେଢାଖୋଲ,ଛେଣ୍ଡିପଦା ଏବଂ ଆଠମଲ୍ଲିକ)ରେ ବିଜୟୀ ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି ଦୁଇଟି ଆସନ(କୁଚିଣ୍ଡା ଓ ଦେବଗଡ଼)ଅକ୍ତିଆରକୁ ନେଇଥିଲା। ଏଥର ବିଜୁ ଜନତା ଦଳ ତାର ୫ ଜଣ ବିଧାୟକଙ୍କ ମଧ୍ୟରୁ ୩ ଜଣ(ରାସେଶ୍ୱରୀ ପାଣିଗ୍ରାହୀ,ରୋହିତ ପୂଜାରୀ ଏବଂ ସୁଶାନ୍ତ କୁମାର ବେହେରା)ଙ୍କୁ ପୁଣି ପ୍ରାର୍ଥୀ କରିଛି। ରେଙ୍ଗାଲିରେ ବିଧାୟକ ରମେଶ ପାଟୁଆଙ୍କୁ ବଦଳାଇ ତାଙ୍କ ସ୍ଥାନରେ ରୀନା ତନ୍ତୀଙ୍କୁ ଏବଂ ଆଠମଲ୍ଲିକରେ ବର୍ତ୍ତମାନର ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ସଞ୍ଜିବ କୁମାର ସାହୁଙ୍କ ସ୍ଥାନରେ ରମେଶ ଚନ୍ଦ୍ର ସାଇଙ୍କୁ ପ୍ରାର୍ଥୀ କରିଛି।

ଭାରତୀୟ ଜନତା ପାର୍ଟି ତାର ଦେବଗଡ଼ ବିଧାୟକ ନୀତେଶ ଗଙ୍ଗଦେବଙ୍କୁ ଲୋକସଭା ପ୍ରାର୍ଥୀ କରିଥିବାବେଳେ କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକଙ୍କୁ ପୁଣି କୁଚିଣ୍ଡାରୁ ପ୍ରାର୍ଥୀ କରିଛି।

ସମ୍ବଲପୁର ବିଧାନସଭା ଆସନରେ ଏବେ ଏକ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳୁଛି। ବିଜୁ ଜନତା ଦଳ ପ୍ରାର୍ଥୀ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଟକ୍କର ଦେଉଛନ୍ତି ତାଙ୍କର ପୂର୍ବତନ ଛାତ୍ର ଏବଂ କଂଗ୍ରେସ ପ୍ରାର୍ଥୀ ଅଶ୍ୱିନୀ ପୂଜାହାରୀ। ଶ୍ରୀ ପୂଜାହାରୀ ତାଙ୍କର ଲୁଣ ଚିକିତ୍ସା ପାଇଁ ଜଣେ ବିତର୍କିତ ବ୍ୟକ୍ତି। ସେମାନଙ୍କ ବିପକ୍ଷରେ ଳଢ଼ୁଛନ୍ତି ପୂର୍ବରୁ ଲଗାତାର ତିନି ତିନି ଥର ଜିତିଥିବା ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର।

ସମ୍ବନ୍ଧିତ ଖବର