ଲଜ୍ଜା: ଦୁଇ ଯୁବତୀଙ୍କୁ ଉଲଗ୍ନକରି ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କଲେ ଦୁର୍ବୃତ୍ତ,ଭାଇରାଲ ହେବା ପରେ ଥାନାରେ ଅଭିଯୋଗ

ସମ୍ବଲପୁର: ପୁଣି ଘଟିଛି ଏକ ଲଜ୍ଜାଜନକ ଘଟଣା। ଏଥର ସମ୍ବଲପୁରରେ । ଦୁଇ ଜଣ ଯୁବତୀଙ୍କ  ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ ହୋଇଛି। ବୁଧବାର  ଓଡ଼ିଶାର ଗଣମାଧ୍ୟମକୁ ଏହି ଖବର ଆସିବା ରାଜ୍ୟବ୍ୟାପି ଉଦବେଗ ପ୍ରକାଶ ପାଇଛି । ଦୁଇ ଜଣ ଯୁବତୀଙ୍କୁ ଉଲଗ୍ନକରି ଭିଡିଓ ପ୍ରସ୍ତୁତ କରି ଭାଇରାଲ ହେବାକୁ ନେଇ ବୁଧବାର ସମ୍ବଲପୁର ଟାଉନ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟି(ବିଜେପି) ମହିଳା ମୋର୍ଚ୍ଚା ଏ ନେଇ ଥାନାରେ ଅଭିଯୋଗ ଆଣିଛି। ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ମହିଳା ନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ଓ ତାଙ୍କ ସମର୍ଥକମାନେ ଏସ୍‌ପି ସଞ୍ଜୀବ ଆରୋରାଙ୍କୁ ଭେଟିଥିଲେ। ଏହା ପରେ ଏସ୍‌ପି ଆରୋରା ଟାଉନ ଥାନାରେ ଅଭିଯୋଗ କରିବା ନିର୍ଦ୍ଦେଶ ଦେଇଥିଲେ। ଭିଡିଓରେ ଦେଖାଯାଉଥିବା ଦୃଶ୍ୟ ଅନୁସାରେ ଦୁର୍ବୃତ୍ତମାନେ ଯୁବତୀଙ୍କୁ ଉଲଗ୍ନ କରି  ଭିଡିଓ ଉତ୍ତୋଳନ କରୁଥିଲେ। ପୁଣି କେତେକ ସେମାନଙ୍କୁ ମାଡ଼ ମାରିଥିଲେ।  କେଉଁ କାରଣ ନେଇ ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରିଛନ୍ତି ତଦନ୍ତ ପରେ ଜଣାପଡ଼ିବ।

ଘଟଣା ଥିଲା ଏମିତି…

ଦୁଇଜଣ ଯୁବକ ଓ ଦୁଇଜଣ ଯୁବତୀ ଜଙ୍ଗଲରେ ଅନୈତିକ ସମ୍ପର୍କ ସ୍ଥାପନ କରୁଥିବା ବେଳେ ନିକଟରେ ଥିବା ଗାଁର ପିଲାମାନେ ଦେଖି ଦେଇଥିଲେ। ସେମାନେ ଏହି ଘଟଣାକୁ ସହ୍ୟ କରି ନପାରି ପ୍ରଥମେ ୨ ଯୁବକଙ୍କୁ ନିସ୍ତୁକ ପିଟିବା ସହିତ ୨ଜଣ ଯୁବତୀଙ୍କୁ ଉଲଗ୍ନ କରିଥିଲେ। ଗାଁର ଯୁବକମାନେ ଯୁବତୀଦ୍ୱୟଙ୍କ ଅସଦାଚରଣ କରୁଥିବା ଭିଡିଓରୁ ଜଣାପଡ଼ିଛି। ଏହା ଏକ ଲୋମହର୍ଷଣକାରୀ ଘଟଣା ବୋଲି ବିଜେପି ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏହାକୁ ବିଜେପି ନିନ୍ଦା କରୁଛି। ନାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଲେଖାଶ୍ରୀ କହିଛନ୍ତି।

ଭିଡିଓରୁ ଜଣାପଡ଼ିଛି ଯେ, ଘଟଣା ପଶ୍ଚିମ ଓଡ଼ିଶାରେ ଘଟିଛି। ମାତ୍ର କେଉଁ ସ୍ଥାନରେ ଏହି ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ ହୋଇଛି ତଦନ୍ତ ପରେ ଜଣାପଡ଼ିବ।
-ସଞ୍ଜିବ ଅରୋରା, ସମ୍ବଲପୁର ଏସ୍‌ପି

ସୂଚନାଯୋଗ୍ୟ, ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ମଧ୍ୟ ନିକଟରେ ଏଭଳି ଘଟଣା ଦେଖାଯାଇଥିଲା। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଜାଲ ବିଛା ଯାଇଥିଲା। ଶେଷରେ ଅଭିଯକ୍ତମାନେ ଧରାପଡ଼ିଥିଲେ।

ମହିଳାଙ୍କ ସମ୍ମାନ ସହିତ ଖେଳ ଖେଳୁଥିବା ଲୋକଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି। ସେହିଭଳି ଅପରାଧମୂଳକ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ରୂପେ ସଚେତନତାବାର୍ତ୍ତା ପ୍ରଚାର-ପ୍ରସାର ହେବା ଦରକାର।

ସମ୍ବନ୍ଧିତ ଖବର