ପାରୁଆଭାଡ଼ି ଲ୍ୟାମ୍ପସ ଲୋନ ମ୍ୟାନେଜରଙ୍କ ଘରେ ଭିଜିଲାନ୍‌ସ ଚଢ଼ଉ

୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ

କୁଚିଣ୍ଡା : କୁଚିଣ୍ଡା ନିକଟ ପାରୁଆଭାଡ଼ି ଲ୍ୟାମ୍ପସର ଲୋନ୍‌ ମ୍ୟାନେଜର ଉଜ୍ଜଲ ସିଂହଙ୍କ ଘର ଓ କାର୍ଯ୍ୟାଳୟରେ ଶନିବାର ଭିଜିଲାନ୍‌ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ତାଙ୍କ ଘରୁ ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନାନୁସାରେ ଶୁକ୍ରବାର ସମ୍ବଲପୁର ଭିଜିଲାନ୍‌ସ ଡିଏସ୍‌ପି ବି.କେ. ନାୟକ, ଡିଏସ୍‌ପି ଡି.କେ. କରଙ୍କ ନେତୃତ୍ୱରେ ଝାରସୁଗୁଡ଼ା ଓ ରାଉରକେଲାର ବିଭାଗୀୟ ଅଧିକାରୀମାନେ ଶ୍ରୀ ସିଂହଙ୍କ କୁଚିଣ୍ଡା ସ୍ଥିତ ଘର ଓ ଶ୍ୱଶୁର ଘର ଏବଂ ପରୁଆଭାଡ଼ି ଲ୍ୟାମ୍ପ୍‌ସରେ ଚଢ଼ଉ କରିଥିଲେ।

ଯାଞ୍ଚ ବେଳେ ତାଙ୍କ ନାଁରେ ଏକ ବଲେରୋ ସହ କୁଚିଣ୍ଡା ଓ ଗୋଛରାରେ ଦୁଇଟି ଘର, ଦୁଇଟି ବାଇକ୍‌, ୪ ଲକ୍ଷ ଟଙ୍କାର ଏଲ୍‌ଆଇସି ଜମାକୁ ମିଶାଇ ୬୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା। ଅଧିକାରୀମାନେ ଏ ନେଇ ସମସ୍ତ କାଗଜପତ୍ର ଜବତ କରିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଲ୍ୟାମ୍ପ୍‌ସ କାର୍ଯ୍ୟାଳୟରେ ଯାଞ୍ଚ ଚାଲିଥିଲା। ତେବେ ବର୍ତ୍ତମାନ ଯାଏ ଶ୍ରୀ ସିଂହଙ୍କୁ ଗିରଫ କରାଯାଇ ନଥିବା ବେଳେ ତାଙ୍କ ନାଁରେ ଏକ ମୋକଦ୍ଦମା ରୁଜୁ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଚଢ଼ଉରେ ଏସ୍‌.ଏସ୍‌. ପୂଜାରୀ, ବି. ରଦ୍ରିଆ, କେ.ଏନ୍‌. କୁଜୁର, ସି. ବିଲୁଙ୍ଗ, ଏ.କେ. ନାୟକ ପ୍ରମୁଖ ଅଧିକାରୀ ଦଳ ସାମିଲ ଥିଲେ।

ସମ୍ବନ୍ଧିତ ଖବର