ନାକଟିଦେଉଳ: ଟିକିରା ନଦୀ ଉପରେ ପୋଲ ନିର୍ମାଣ ପାଇଁ ନଅ ଖଣ୍ଡ ଗ୍ରାମର ଜନସାଧାରଣ ଦୀର୍ଘ ଦିନ ହେଲା ସରକାର, ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କଠାରେ ଦାବି କରି ଆସୁଥିଲେ। ମାତ୍ର କେହି ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ। ବାଧ୍ୟ ହୋଇ ଗ୍ରାମବାସୀ ମିଳିମିଶି ଶ୍ରମଦାନ କରି ଟିକିରା ନଦୀ ଉପରେ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଛନ୍ତି। ନାକଟିଦେଉଳ ବ୍ଲକ ଆଦିବାସୀ ଅଧ୍ୟୁଷିତ ସାଲେଭଟା ପଞ୍ଚାୟତରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।

Advertisment

ବାଟଗାଁ ଏବଂ ସାଲେଭଟା ପଞ୍ଚାୟତ ଦେଇ ଯାଇଥିବା ଟିକିରା ନଦୀ ଉଭୟ ପଞ୍ଚାୟତର ଅଧିବାସୀମାନଙ୍କ ପାଇଁ ବାଧକ ସାଜିଛି। ନଦୀ ଉପରେ ପୋଲଟିଏ ନଥିବାରୁ ସାଲେଭଟା ପଞ୍ଚାୟତର କଣ୍ଢଳ, ବସାଲୋଇ, ବାବୁତଇଲା, ନେଭରାପାଳ, ରୋହିନିଗାଡ଼ିଆ, ଗୋହିରାନାଲି, ତୁଳସୀତଇଲା, ଡେରାପଥର, ଶଙ୍କରପାଲି ଆଦି ଗ୍ରାମବାସୀଙ୍କୁ ଟିକିରା ନଦୀ ପାଇଁ ୩ କିମି ରାସ୍ତାକୁ ୨୦ରୁ ୨୫ କିମି ରାସ୍ତା ବୁଲିକି ଯିବାକୁ ପଡୁଛି। ଏହି ନଅ ଖଣ୍ଡ ଗ୍ରାମରେ ପ୍ରାୟ ତିନି ହଜାର ଅନୁସୂଚିତ ଜାତି/ ଜନଜାତିର ଲୋକ ବସବାସ କରନ୍ତି। ଏହି ଗ୍ରାମବାସୀମାନେ ସାଲେଭଟା ପଞ୍ଚା​ୟତ ଅଧୀନରେ ଥିଲେବି ସ୍କୁଲ, କଲେଜ, ଡାକ୍ତରଖାନା, ବ୍ୟାଙ୍କ ଓ ବଜାର ଆଦି ବିଭିନ୍ନ କାର୍ଯ୍ୟ ପାଇଁ ବାଟଗାଁ ପଞ୍ଚାୟତ ଉପରେ ନିର୍ଭର କରିଥାନ୍ତି। ଏହା ସହ କଣ୍ଢଳ ଗ୍ରାମରେ ଏକ ସେବାଶ୍ରମ ସ୍କୁଲ ରହିଥିବା ବେଳେ ଶହେ ଶଯ୍ୟା ବିଶିଷ୍ଟ ଏକ ଛାତ୍ରବାସ ମଧ୍ୟ ରହିଛି। ଯାହା ଫଳରେ କଣ୍ଢଳ ଓ ଗଦାଧରପୁର ରାସ୍ତାର ଟିକିରା ନଦୀରେ ପୋଲଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନେ ଲୋକମାନେ ଜୀବନକୁ ବାଜି ଲଗେଇ ନଦୀରେ ଯାତାୟାତ କରନ୍ତି। ଏହି ଗ୍ରାମଗୁଡିକୁ ବର୍ଷାଦିନେ ରୋଗୀ ଏବଂ ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ଆସିପାରେ ନାହିଁ। ଏଠାରେ ପୋଲଟିଏ ନିର୍ମାଣ ପାଇଁ ୨୦୧୭ ମସିହାରୁ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଛନ୍ତି। ତଥାପି କେହି ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି। ଏ

ପରିକି ଦୁଇ ଦୁଇ ଥର ତତ୍କାଳୀନ ୫-ଟି ସଚିବ ତଥା ବର୍ତ୍ତମାନର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଲିଖିତ ଆକାରରେ ଜଣେଇ ଥିବା ଗ୍ରାମବାସୀମାନେ କହିଛନ୍ତି। ଯାହା ଫଳରେ ଶତାଧିକ ପୁରୁଷ ଓ ମହିଳା ଶ୍ରମଦାନ କରି ଟିକିରା ନଦୀରେ ବାଲି ବସ୍ତା ପକେଇ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ଚେତାବନୀ ଦେବା ସହ ନିର୍ମିତ କାଠପୋଲ ଉପରେ ପ୍ଲାକାର୍ଡ ସହ ‘ପୋଲ ନାହିଁ ତ ଭୋଟ ନାହିଁ’ ବୋଲି ବ୍ୟାନର ଝୁଲାଇଛନ୍ତି।