ଭିମସାର ୟୁଜର ଆକାଉଣ୍ଟରୁ ଟଙ୍କା ଚୋରି 

୮୦ ହଜାରରୁ ଅଧିକ ନେଇଗଲେ ଦୁର୍ବୃତ୍ତ

ବୁର୍ଲା: ଭିମ୍‍ସାର୍‍ ମେଡିକାଲ୍‍ କ୍ୟାମ୍ପସରେ ପୂର୍ବରୁ କେବଳ ଚିକିତ୍ସା ପାଇଁ ଆସୁଥିବା ଗରିବ ରୋଗୀଙ୍କ ଟଙ୍କା ଓ ଅସବାବପତ୍ର ଓ୍ଵାର୍ଡ ଭିତରୁ ଚୋରି ହେଉଥିବା ନଜିର ରହିଛି। ମାତ୍ର ସୋମବାର ଭିମ୍‍ସାର୍‍ ୟୁଜର୍‍ ଆକାଉଣ୍ଟ ବା ରୋଗୀ କଲ୍ୟାଣ ପାଣ୍ଠିରେ ହାତ ମାରି ଦେଇଛନ୍ତି ଦୁର୍ବୃତ୍ତ। ଯାହାକି ପ୍ରତ୍ୟକ୍ଷ ଭାବେ କ୍ୟାମ୍ପସର ସୁରକ୍ଷା ବ୍ୟବସ୍ଥା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୋମବାର ରାତିରେ ବୁର୍ଲା ମେଡିକାଲ୍‍ର ରୋଗୀ କଲ୍ୟାଣ ପାଣ୍ଠିର ଟଙ୍କା ଚୋରି ହୋଇଯାଇଛି। ୟୁଜର୍‍ ଆକାଉଣ୍ଟ ସେକ୍ସନ୍‍ର ପଛ ପଟ ଝରକାର ଗ୍ରିଲ୍‍ ଖୋଲି, ଆଳମିରା ତାଲା ଭାଙ୍ଗି ପାଖାପାଖି ୮୦ ହଜାରରୁ ଅଧିକ ଟଙ୍କା ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ୟୁଜର୍‍ ଆକାଉଣ୍ଟର ମୁଖ୍ୟ କ୍ଲାର୍କ ଅମୀୟ ପ୍ରଧାନ କହିଛନ୍ତି। ତେବେ ଚୋରି ହୋଇଥିବା ଆଲମିରାରେ ପୂର୍ବରୁ ଥିବା ୨୮୯୫ ଟଙ୍କାର ଖୁଚୁରା ପାଇସା ଟଙ୍କାକିଆ, ଦୁଇ ଟଙ୍କା, ୫ ଟଙ୍କା ଓ ୧୦ ଟଙ୍କା କଏନ୍‍ ଓ କିଛି ପୁରୁଣା ନୋଟକୁ ଛାଡି ସବୁତକ ଟଙ୍କା ନେଇଯାଇଥିବା ଜଣାପଡିଛି। ପ୍ରକୃତରେ ଚୋରି ହୋଇଥିବା ଆଲମିରାରେ କେତେ ଟଙ୍କା ରହିଥିଲା ଆଉ କେତେ ଟଙ୍କା ଚୋରି ହୋଇଛି ତାହା ଆକଳନ ହୋଇ ପାରି ନାହିଁ। ମଙ୍ଗଳବାର ସକାଳରେ ଘଟଣାଟି ଜଣାପଡିବା ପରେ ଭାରପ୍ରାପ୍ତ ଅଧୀକ୍ଷକ ପ୍ରଫେସର ଡା. ବର୍ଷ ଟୁଡ୍ଡୁ ମେଡିକାଲ୍‍ ପୁଲିସ୍‍ ଫାଣ୍ଡିକୁ ଏନେଇ ଲିଖିତ ଭାବେ ଜଣାଇଥିଲେ। ବୁର୍ଲା ଆଇଆଇସି ମାନସ ପ୍ରଧାନ, ଫାଣ୍ଡି ଅଧିକାରୀ ବିଦେଶୀ ପ୍ରଧାନ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ଦୁର୍ବୃତ୍ତମାନେ ପୁରୁଣା ରକ୍ତ ଭଣ୍ଡାର ଦେଇ କ୍ୟାମ୍ପସ ଭିତରକୁ ଆସିଥିବା ବେଳେ ୟୁଜର୍‍ ସେକ୍ସନ୍‍ର ପଛ ପଟେ ଥିବା ଝରକାର ଗ୍ରିଲ୍‍କୁ ଖୋଲି ଆଲମିରା ଥିବା ଗୃହ ପଶିଥିଲେ। ପରେ ଆଲମିରାର ତାଲା ଭାଙ୍ଗି ଚୋରି କାଣ୍ଡ ଭିଆଇ ଫେରାର୍‍ ହୋଇଯାଇଥିବା ଜଣାପଡୁଛି। ପ୍ରକାଶ ଥାଉକି ରୋଗୀଙ୍କ ଚିକିତ୍ସାଗତ ପରୀକ୍ଷା ନିରୀକ୍ଷା ଅନ୍ୟାନ୍ୟ ଫିଜ୍‍ ବାବାଦକୁ ରସିଦ୍‍ କଟାଯାଇ ଉକ୍ତ ଟଙ୍କା ସଂଗ୍ରହ ହୋଇଥାଏ। ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଗତ ଶୁକ୍ରବାର ୟୁଜର୍‍ ଏକାଉଣ୍ଟରୁ ସଂଗ୍ରହ ହୋଇଥିବା ମୋଟ ୪ଲକ୍ଷ ୨୨ହଜାର ଟଙ୍କା ବ୍ୟାଙ୍କରେ ଜମା କରି ଦିଆଯାଇଥିଲା। ତେବେ ଶନିବାରରୁ ସୋମବାର ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦରହିଥିବାରୁ ରୋଗୀଙ୍କ ଠାରୁ ସଂଗ୍ରହ ହୋଇଥିବା ୟୁଜର୍‍ ଫିଜ୍‍ ଅନ୍ୟତ୍ର ରଖାଯାଇଛି ।

ମାତ୍ର ଷ୍ଟିଓ୍ଵାଡ, ଆମ୍ବୁଲାନସ୍‍ ଡିଜେଲ୍‍ ବାବଦ ଓ ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚ ସକାଶେ ପାଖାପାଖି ୮୦ ହଜାର ଟଙ୍କା ଏଠାରେ ଥିଲା ଯାହାକି ଚୋରି ହୋଇଯାଇଛି ବୋଲି ୟୁଜର୍‍ ଅକାଉଣ୍ଟ ସିନିୟର୍‍ କ୍ଲାର୍କ ଶ୍ରୀ ପ୍ରଧାନ ଏବଂ ଷ୍ଟିଓ୍ଵାର୍ଡ ଅଶ୍ୱିନୀ ମେହେର ପୁଲିସ୍‍କୁ ସୂଚନା ଦେଇଛନ୍ତି। ଏ ସଂପର୍କରେ ଆଇଆଇସି ଶ୍ରୀ ପ୍ରଧାନଙ୍କୁ ପଚରାଯିବାରୁ ପୁଲିସ୍‍ ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳର ଯାଂଚ କରିଛନ୍ତି। ଚୋରିରେ କେବଳ ବାହାର ଲୋକେ ଅଛନ୍ତି ନା ଭିରତର ମଧ୍ୟ ସଂପୃକ୍ତି ରହିଛି ତାହା ତଦନ୍ତ ଚାଲିଛି ବୋଲି କହିଛନ୍ତି। ଭିମ୍‍ସାର୍‍ ମେଡିକାଲ୍‍ କ୍ୟାମ୍ପସ ପରିସରରେ ଚୋରି ଏକ ସାଧାରଣ କଥା ହୋଇଥିଲେ ମଧ୍ୟ ଅଫିସ୍‍ ଆଲମିରାରୁ ଚୋରି ହେବା ପ୍ରଥମ ଘଟଣା। ଇତିମଧ୍ୟରେ ମେଡିକାଲ୍‍ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସିସି ଟଭି ସଂଯୋଗ ହୋଇଛି। ଘରୋଇ ସୁରକ୍ଷା ସଂସ୍ଥାକୁ ନିୟୋଜିତ କରାଯାଇ ପ୍ରତିମାସ ରୋଗୀ କଲ୍ୟାଣ ପାଣ୍ଠିରୁ ହିଁ ଲକ୍ଷାଧିକ ଟଙ୍କା ଦିଆଯାଉଛି। ତଥାପି ମେଡିକାଲ୍‍ ଅଫିସରୁ ଚୋରି ସଚେତନ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର