ବୁର୍ଲା: ବୁର୍ଲା ଭିମସାର୍ ଡାକ୍ତର ମହଲରେ ଖୁସିର ଲହର ଖେଳି ଯାଇଛି। ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଡାକ୍ତରଙ୍କ ପଦୋନ୍ନତିରେ ଶୁକ୍ରବାର ରାଜ୍ୟ ସରକାର ସ୍ଵୀକୃତି ପ୍ରଦାନ କରିଛନ୍ତି। ଅକ୍ଟୋବର ମାସ ୧୨ ତାରିଖରେ ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବର୍ଷା ଟୁଡୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାନିର୍ବାହୀ ପରିଷଦର ବୈଠକ ହୋଇଥିଲା। ଏଥିରେ ଅଧ୍ୟକ୍ଷା ପ୍ର. ଜୟଶ୍ରୀ ଦୋରା, କୁଳସଚିବ ପ୍ର. ଭାବଗ୍ରାହୀ ରଥ, ଡିଏମ୍‌ଇଟି ଡା. ସଚ୍ଚିଦାନନ୍ଦ ମହାନ୍ତି , ଭିସୁଟ୍ କୁଳପତି ପ୍ରଫେସର ବଂଶୀଧର ମାଝୀ, ଡା. ଉତ୍ତମ ପାଣି, ପ୍ର. ପ୍ରଦୀପ ମହାନ୍ତି, ଡା. ବିନୋଦ ବିହାରୀ ନାୟକ, ଡା. ସୁନିଲ ଶର୍ମା ଓ ଶିବ ଶଙ୍କର ନନ୍ଦ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସଚିବ ଡ. ଉଷା ରାଣୀ ସାହୁ, ଅର୍ଥ ବିଭାଗ ସଚିବ ସୁରେଶ ତ୍ରିପାଠୀ, କଟକ ଏସ୍ ସି ବି ମେଡ଼ିକାଲ୍ କଲେଜର ଅଧ୍ୟକ୍ଷ , ବ୍ରହ୍ମପୁର ଏମ୍ କେ ସି ଜି ମେଡ଼ିକାଲ୍ କଲେଜର ଅଧ୍ୟକ୍ଷ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇଥିଲା। ସେଥିରେ ଡାକ୍ତରଙ୍କ ପଦୋନ୍ନତି ପ୍ରସ୍ତାବ ଅନ୍ୟତମ ରହିଥିଲା।

Advertisment

ବୈଠକରେ ୬୩ ଜଣ ଡାକ୍ତରଙ୍କ ସମୟାନୁଭିତ୍ତିକ ପଦୋନ୍ନତି ଏବଂ ୧୫ ଜଣ ସ୍ଥାୟୀ ଡାକ୍ତରଙ୍କ ବି ପଦୋନ୍ନତି ପାଇଁ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା। ତେବେ କାର୍ଯ୍ୟ ନିର୍ବାହୀ ପରିଷଦର ଦିଆଯାଇଥିବା ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ସ୍ବୀକୃତି ମିଳିଯାଇଛି। ତେବେ ମେଡିସିନ୍ ବିଭାଗରୁ ସର୍ବାଧିକ ୧୦ ଜଣ ଡାକ୍ତର ସହକାରୀ ପ୍ରଫେସରରୁ ସହଯୋଗୀ ପ୍ରଫେସରକୁ ପଦୋନ୍ନତି ପାଇଥିବା ବେଳେ ଚର୍ମ, ଫାର୍ମାକୋଲୋଜି, ଇଏନ୍‌ଟି ଓ ଫିଜିଓଲୋଜି ବିଭାଗରେ ଜଣେ ଲେଖାଏଁ, ଆନାଟୋମି, ବାୟୋକେମେଷ୍ଟ୍ରି ବିଭାଗର ୨ ଜଣ ଲେଖାଏଁ, ନିଶ୍ଚେତକ, ଅସ୍ଥିଶଲ୍ୟ ବିଭାଗର ୩ ଜଣ ଲେଖାଏଁ, କମ୍ୟୁନିଟି ମେଡିସିନ୍ ବିଭାଗର ୪ ଜଣ, ସର୍ଜରି, ପାଥୋଲୋଜି ବିଭାଗର ୫ ଜଣ ଲେଖାଏଁ, ଓପ୍‌ଥାମୋଲୋଜି ଓ ଶିଶୁ ବିଭାଗରେ ୬ ଜଣ ଲେଖାଏଁ ଏବଂ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ୯ ଜଣ ସହକାରୀ ପ୍ରଫେସର ପଦବିରୁ ସହଯୋଗୀ ପ୍ରଫେସର ପଦବିକୁ ପଦୋନ୍ନତି ହୋଇଛନ୍ତି। ଏହା ବ୍ୟତୀତ ଭିମସାର୍‌ର ସ୍ଥାୟୀ ୧୫ ଜଣ ସହଯୋଗୀ ଡାକ୍ତର ପ୍ରଫେସର ପଦବିକୁ ପଦୋନ୍ନତି ହୋଇଛନ୍ତି।