ଭିମ୍‌ସାର ଏଚ୍‌ଡିୟୁ କାନ୍ଥରୁ ଖସିଲା ସିମେଣ୍ଟ ପ୍ଲାଷ୍ଟର, ରୋଗୀଙ୍କ ସମ୍ପର୍କୀୟ ଗୁରୁତର ଆହତ

ସମ୍ବଲପୁର: ବୁର୍ଲା ବଡ଼ ଡାକ୍ତରଖାନାରେ ପୁଣିଥରେ ଅଘଟଣ। ବୁଧବାର ସକାଳ ୯ଟାରେ ଏଚ୍‌ଡିୟୁ ସମ୍ମୁଖ କାନ୍ଥରୁ ସିମେଣ୍ଟ ପ୍ଲାଷ୍ଟର ଖଣ୍ଡ ହଠାତ୍‌ ଖସି ପଡ଼ିବା ପରେ ଜଣେ ରୋଗୀଙ୍କ ସମ୍ପର୍କୀୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଜଣଙ୍କ ହେଲେ ଛତିଶଗଡ଼ ଝରଗାଁ ଜିଲ୍ଲା ଗରିଆବନ୍ଧର ପଙ୍କଜ ଯାଦବ(୧୭)। ପଙ୍କଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସମୟରେ ୪ ଟି ଷ୍ଟିଚ୍‌ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିବା ସମୟରେ ସନ୍ଧ୍ୟା ସୁଦ୍ଧ‌ା ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହି ଘଟଣା ପରେ ଭିମ୍‌ସାର କର୍ତ୍ତୃପକ୍ଷ ପୂର୍ତ୍ତ ବିଭାଗ କର୍ମଚାରୀଙ୍କୁ ଡକାଇ ତୁରନ୍ତ ଏଭଳି ବିପଦଶଙ୍କୁଳ ଅବସ୍ଥାରେ ରହିଥିବା କାନ୍ଥଗୁଡ଼ିକର ମରାମତି କରିବା ପାଇଁ ନିର୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ପଙ୍କଜଙ୍କ ମା’ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭିମ୍‌ସାରକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ସକାଳ, ୯ଟା ସମୟରେ ପଙ୍କଜ ଏଚ୍‌ଡିୟୁରେ ମା’ଙ୍କୁ ଯାଇ ଦେଖିବା ପରେ ଡାକ୍ତର ରାଉଣ୍ଡ ସମୟ ହୋଇଥିବାରୁ ବାହାରେ ଆସି ଛିଡ଼ା ହୋଇଥିଲେ। ଏହି ସମୟରେ ଅତର୍କିତ ଭାବେ ପଙ୍କଜଙ୍କ ମୁଣ୍ଡ ଉପରେ ଏଚ୍‌ଡିୟୁ ବାହାର କାନ୍ଥରୁ ସିମେଣ୍ଟ ୧୦ ଇଞ୍ଚ ପ୍ରସ୍ଥ ଓ ୫ ଫୁଟ ଲମ୍ବର ଏକ ସିମେଣ୍ଟ ଖଣ୍ଡ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଥିବା ଅନ୍ୟ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ସମୟରେ ପଙ୍କଜଙ୍କ ମୁଣ୍ଡ ଉପରେ ସିମେଣ୍ଟ ଖଣ୍ଡ ପଡ଼ିବା ଯୋଗୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା ଓ ସେ ତଳେ ପଡ଼ିଯାଇଥିଲେ। ସୂଚନା ପାଇ ସଙ୍ଗେସଙ୍ଗେ ଭିମ୍‌ସାର କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିବା ସହ ପଙ୍କଜଙ୍କୁ ଉଦ୍ଧାର କରି କାଜୁଆଲଟିରେ ଭର୍ତ୍ତି କରିଥିଲେ।
ଯେଉଁ ସ୍ଥାନରୁ ଏହି ସିମେଣ୍ଟ ଖଣ୍ଡ ଖସିଛି ତାହାର ଉପରପାର୍ଶ୍ବରେ ମଧ୍ୟ ଫାଟ ସୃଷ୍ଟି ହୋଇଥିବାରୁ କୌଣସି ବି ମୁହୂର୍ତ୍ତରେ ତାହା ଖସି ପଡ଼ିବା ନେଇ ଆଶଙ୍କା ଦେଖାଦେଇଛି। କେବଳ ଏହି ଗୋଟିଏ ସ୍ଥାନ ନୁହେଁ ବରଂ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ, ଅସ୍ଥିଶଲ୍ୟ ବିଭାଗ, ପୁରୁଣା ମେଡିସିନ୍‌ ୱାର୍ଡରେ ଏଭଳି ଏକାଧିକ ଫାଟ ରହିଥିବା ଘଟଣା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର