ସମ୍ବଲପୁର : ବୁର୍ଲାସ୍ଥିତ ଭିମସାରରେ ଡାକ୍ତର କରୋନା ପଜିଟିଭ ବାହାରିବା ପରେ ମେଡିସିନ ଓପିଡିକୁ ୭ ଦିନ ପାଇଁ ବନ୍ଦ କରାଯାଇଛି । ଏହା ସହିତ ୭୦ ଡାକ୍ତର ଓ ନର୍ସଙ୍କୁ ସଙ୍ଗରୋଧରେ ପଠାଯାଇଛି ।
ଗତ ୩୧ ତାରିଖରେ ଭିମ୍ସାର ମେଡିସିନ୍ ବିଭାଗ ଏଚ୍ଡିୟୁରେ ଭର୍ତ୍ତି ହୋଇଥିବା ବରଗଡ଼ ଜିଲ୍ଲା ଅତାବିରାର ଜଣେ ରୋଗୀ ପଜିଟିଭ୍ ଚିହ୍ନଟ ହେବା ପରେ ୩୯ ଜଣ ଡାକ୍ତର ଓ ନର୍ସ ସଙ୍ଗରୋଧକୁ ଯାଇଥିଲେ। ଏହି ଘଟଣାରେ ମଙ୍ଗଳବାର ୯ ଜଣ ଡାକ୍ତରଙ୍କ ସମେତ ୧୨ ଜଣ ଆଟେଣ୍ଡାଣ୍ଟ ଓ ନର୍ସ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା। ତେବେ ବୁଧବାର ସନ୍ଧ୍ୟା ସୁଦ୍ଧା ମେଡିସିନ୍ ବିଭାଗର ୩୮ ଜଣ ଡାକ୍ତରଙ୍କୁ ମିଶାଇ ଡାକ୍ତରଖାନାର ମୋଟ ୭୦ ଜଣ ଡାକ୍ତର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଚିହ୍ନଟ ହେବା ପରେ ସେମାନଙ୍କୁ ସଙ୍ଗରୋଧକୁ ପଠାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହା ମଧ୍ୟରେ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ବରିଷ୍ଠ ଆବାସିକ ଡାକ୍ତର ଓ ପିଜି ଡାକ୍ତର ରହିଛନ୍ତି।
ସେପଟେ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ନର୍ସ ଓ ଆଟେଣ୍ଡାଣ୍ଟଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜଣାପଡ଼ିଛି । ଏତେ ସଂଖ୍ୟକ ଡାକ୍ତର ସଙ୍ଗରୋଧକୁ ଯିବା ପରେ ଗୁରୁବାରଠାରୁ ୭ ଦିନ ଯାଏ ଅର୍ଥାତ୍ ଆସନ୍ତା ୧୨ ତାରିଖ ଯାଏ ମେଡିସିନ୍ ବିଭାଗର ଓପିଡି ସେବାକୁ ବନ୍ଦ ଘୋଷଣା କରାଯାଇଥିବା ନିର୍ଦେଶକ ପ୍ରଫେସର ଳଲିତ ମେହେର ସୂଚନା ଦେଇଛନ୍ତି। ତେବେ ସ୍ଥିତି ନିୟନ୍ତ୍ରଣକୁ ନଆସିଲେ ଏହି ଅବଧି ପୁଣିଥରେ ବଢ଼ିପାରେ ବୋଲି ପ୍ରଫେସର ମେହେର କହିଛନ୍ତି। ଏହି ସମୟରେ ମେଡିସିନ୍ ବିଭାଗରେ କେବଳ ଜରୁରୀ ଚିକିତ୍ସା କରାଯିବ। ଅତି ଗୁରୁତର ନଥିଲେ ଡାକ୍ତରଖାନା ନଆସିବାକୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଥିବା ସମୟରେ ଟେଲି ମେଡିସିନ୍ ସେବା ଯୋଗେ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯିବ ବୋଲି ଭିମ୍ସାର ପକ୍ଷରୁ କୁହାଯାଇଛି। ଏଥିପାଇଁ ୭୬୫୫୦୫୧୫୯୮ ଓ ୭୬୫୫୦୫୧୬୦୧ ଦୁଇଟି ନମ୍ବର ଜାରି କରାଯାଇଛି। ରୋଗୀ ଏହି ୨ ନମ୍ବରରେ ଯୋଗାଯୋଗ କରି ଟେଲି ମେଡିସିନ୍ରେ ଡାକ୍ତରଙ୍କଠାରୁ ଚିକିତ୍ସା ପାଇପାରିବେ ବୋଲି ନିର୍ଦେଶକ ପ୍ରଫେସର ମେହେର କହିଛନ୍ତି। ବୁଧବାର ମେଡିସିନ୍ ବିଭାଗ ଓପିଡିକୁ ପୁଣିଥରେ ବିଶୋଧନ କରାଯାଇଥିବା ସମୟରେ ଏହି ୭ ଦିନ ଓପିଡିକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ। ତେବେ ଏହି ସମୟରେ ଅନ୍ୟ ବିଭାଗର ଓପିଡି ସେବା ସ୍ବଭାବିକ ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।