ବୁର୍ଲା: ମଙ୍ଗଳବାର ରାତି ୧୦ଟାରେ ଭିସୁଟ୍‌ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶୀନୀ ସାହୁ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ। ଆଜି ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ସେ ତାଙ୍କ ଜଣେ ସାଂଗ ଉପସ୍ଥିତିରେ ଅଚାନକ ପାୱାର ଚାନେଲଙ୍କୁ ଡେଇଁଥିବା ବେଳେ ବହୁ ଖୋଜାଖୋଜି ପରେ ତାଙ୍କ ସନ୍ଧାନ ମିଳିପାରିନଥିଲା।

Advertisment

ପ୍ରାପ୍ତ ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ରାମପୁର ମଦନପୁର ନିବାସୀ ଚିନ୍ମୟୀ ପ୍ରିୟଦର୍ଶନୀ ଆଇଟି ବିଭାଗର ସ୍ନାତକ‌ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ। ଗତକାଲି ସମାବର୍ତ୍ତନ ଉତ୍ସବ ଥିବାରୁ ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ବୁର୍ଲା ଭିସୁଟକୁ ଅ‌ାସିଥିଲେ। କୌଣସି କାରଣରୁ ସେ ମାନସିକ ବିଶାଦରେ ଥିଲେ। ତାଙ୍କ ଜଣେ ସହପାଠୀ ଭୁବନେଶ୍ବର ବିଜେବି ନଗର ନିବାସୀ ପ୍ରୀତିମନ ଦେ’ଙ୍କ ସହିତ ସେ ପିସି ବ୍ରିଜ୍ ନିକଟକୁ ବୁଲିବାକୁ ଯାଇଥିଲେ। ପିସି ବ୍ରିଜ୍‌ ଉପରେ ବାଇକ୍‌ ରଖି କଥାବାର୍ତ୍ତା କରୁଥିବା ବେଳେ ଅଚାନକ ସେ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ।

ତାଙ୍କର ସେ ସହପାଠୀ ଅଭିଯୋଗ ଆଣିଥିଲେ ଯେ ପାରିବାରିକ କଳହ କାରଣରୁ ସେ ବିଶାଦଗ୍ରସ୍ତ ଥିଲେ ଓ ନିଜ ଜୀବନ ହାରି ଦେଇଛନ୍ତି। ମାତ୍ର ଆଜି ଛାତ୍ରୀ ଚିନ୍ମୟୀଙ୍କ ପରିବାର ଲୋକଙ୍କ ପକ୍ଷରୁ ସହପାଠୀ ପ୍ରୀତିମାନଙ୍କ ବିରୋଧରେ ପାଲଟା ଅଭିଯୋଗ କରିବେ ବୋଲି ସୂଚନା ରହିଛି।

ଗତକାଲି ପ୍ରୀତିମାନ ଘଟଣା ସଂପର୍କରେ ତୁରନ୍ତ ଭିସୁଟ୍ କର୍ତ୍ତୃପକ୍ଷ ତଥା ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଖବର ମିଳିବା ପରେ ତୁରନ୍ତ ବୁର୍ଲା ପୁଲିସ, ଅଗ୍ନିଶମ ବାହିନୀ ପହଂଚି ଖୋଜାଖୋଜି କରିଥିଲେ। ରାତିର ଅନ୍ଧକାର ମଧ୍ୟରେ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଖୋଜାଖୋଜି କରାଯାଇଥିଲା। ଅନ୍ଧାର ଯୋଗୁ ଏଥିରେ ବାଧା ସୃଷ୍ଟି ହେବାରୁ ଉଦ୍ଧାର ଅଭିଯାନକୁ ସ୍ଥଗିତ ରଖାଯାଇ ଆଜି ସକାଳେ ପୁଣି ଖୋଜାଖୋଜି କରିବାକୁ ସ୍ଥିର କରାଯାଇଥିଲା।