ସମ୍ବଲପୁର (ତେଜସ୍କର ମହାପାତ୍ର): ପାଣି ନାହିଁ ବୋଲି ଗାଁକୁ ବନ୍ଧୁବାନ୍ଧବ ମନା। ବିଶ୍ବାସ ହେଉନଥିଲେ ବି ସମ୍ବଲପୁର ମହାନଗର ନିଗମ ଉପକଣ୍ଠରେ ଥିବା ଗିନ୍ଦିଲାପାଲିରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ‘ସମ୍ବାଦ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ଦୁରବସ୍ଥା ପାଇଁ ପଞ୍ଚାୟତଠୁ ନେଇ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ କିଭଳି ଦାୟୀ ତାହା ଗାଁ ବୁଲିଲା ବେଳେ ବାରି ହୋଇପଡ଼ୁଥିଲା। ଗାଁ ଲୋକେ ପାଣି ମୁନ୍ଦାଏ ପିଇବାକୁ ପାଉନଥିବା ସମୟରେ ଗାଧୋଇବାକୁ ୨ କିମି ଦୂରରେ ଥିବା ଏକ ନାଳ ବା ଯୋରକୁ ଯାଉଛନ୍ତି। ଗ୍ରାମବାସୀଙ୍କ ପାନୀୟ ଜଳ ପାଇଁ ରହିଛି ଏକମାତ୍ର ସୋଲାର ପମ୍ପ। ଠିକ୍ରେ ଖରାହେଲେ ଦିନ ୧୨ଟାରୁ ୩ଟା ଯାଏ ଯାହା କିଛି ପାଣି ମିଳେ, ଖରା କମିଗଲେ କି ମେଘୁଆ ପାଗରେ ସେତକ ବି ମିଳିପାରେନି। ଏଭଳି ସମସ୍ୟା ନେଇ ଗ୍ରାମବାସୀ ଅନେକ ଥର ସରପଞ୍ଚଙ୍କଠାରୁ ନେଇ ବିଡିଓଙ୍କ ଯାଏ ଅଭିଯୋଗ କରିଛନ୍ତି, କିନ୍ତୁ କିଛି ସୁଫଳ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି। ଗାଁରେ ପାଣିର ଏଭଳି ସମସ୍ୟା ରହିଥିବାରୁ ବାହାରେ ରହୁଥିବା ବନ୍ଧୁବାନ୍ଧବଙ୍କୁ ଗ୍ରାମକୁ ଆସିବା ପାଇଁ ପ୍ରତି ପରିବାର ବାରଣ କରିବାକୁ ବାଧ୍ୟ ହେଉଥିବା କହିଛନ୍ତି। ଦଶହରାରେ ମଧ୍ୟ କୌଣସି ଘର ଝିଅ ଏଠାକୁ ଆସିନଥିଲେ। ଘଟଣା ସମ୍ପର୍କରେ ବିଡିଓ ବସନ୍ତ ହାତୀଙ୍କୁ ପଚାରିବାରେ, ଗାଁରେ ରାଜନୀତି ଭର୍ତ୍ତି ହୋଇ ରହିଥିବାରୁ ବ୍ଲକ ପ୍ରଶାସନ ମଧ୍ୟ କିଛି କରିପାରୁନଥିବା କହିଛନ୍ତି। ସେପଟେ, ଗାଁର ସମସ୍ତ ୪ଟିଯାକ ନଳକୂପ ଅଚଳ ହୋଇ ପଡ଼ିଥିବା ଘଟଣା ସମ୍ପର୍କରେ ସେ ଜାଣିନଥିବା ମଧ୍ୟ କହିଛନ୍ତି। ଏହାବାଦ୍ ଏହା ପଞ୍ଚାୟତ ଅଧୀନରେ ଆସିଥିବାରୁ ଯାହା କରିବା କଥା ସରପଞ୍ଚ କରିବେ ଓ ବିଡିଓଙ୍କର ଏଥିରେ କୌଣସି ଭୂମିକା ନଥିବା ଶ୍ରୀ ହାତୀ କହିଥିଲେ।
ଧନକଉଡ଼ା ବ୍ଲକ କଳାମାଟି ପଞ୍ଚାୟତ ଗିନ୍ଦିଲାପାଲି ଗ୍ରାମରେ ୫୦ ଘର। ଏଠାକାର ଜନସଂଖ୍ୟା ପ୍ରାୟ ୨୫୦। ଗ୍ରାମବାସୀଙ୍କ ବ୍ୟବହାର ପାଇଁ ଏଠାରେ ୪ଟି ନଳକୂପ, ଗୋଟିଏ ନୂଆ ପୋଖରି, ଗୋଟିଏ ପୁରୁଣା ପୋଖରି ଓ ଗୋଟିଏ ସୋଲାର ପମ୍ପ ରହିଛି। କିନ୍ତୁ ସମସ୍ତ ୪ ନଳକୂପ ଆଜକୁ ୬ ମାସ ହେବ ଅଚଳ ହୋଇ ପଡ଼ିଥିବା ସମୟରେ, ୪ ବର୍ଷ ତଳୁ ପୁରୁଣା ପୋଖରିରେ ଦଳ ଭର୍ତ୍ତି ହୋଇ ତାହା ଏବେ ସମ୍ପୂର୍ଣ୍ଣ ପୋତି ହୋଇଯିବା ଅବସ୍ଥାରେ ରହିଛି। ସେପଟେ, ନୂଆ ପୋଖରିର ପୁନରୁଦ୍ଧାର ପାଇଁ ହିଡ଼ କାଟି ଦିଆଯିବା ଫଳରେ ସବୁତକ ପାଣି ଭାସିଗଲା। ହେଲେ ପୋଖରି ପୁନରୁଦ୍ଧାର ହେଲାନି କି ଆଉ ହିଡ଼ ବି ମରାମତି ହେଲାନି। ଫଳରେ ସେହି ପୋଖରି ବି ଏବେ ଆଉ କୌଣସି କାମରେ ଲାଗୁନି। ଗ୍ରାମବାସୀଙ୍କ ପାଇଁ ଗୋଟିଏ ସୋଲାର୍ ପମ୍ପ ରହିଛି। କିନ୍ତୁ ଦିନ ୧୨ଟାରୁ ୩ଟା ଯାଏ ଖରା ଟାଣ ହେଲେ ପମ୍ପରୁ ପାଣି ବାହାରେ। ଖରା କମିଗଲେ ପାଣି ବନ୍ଦ। ଗ୍ରାମର ପ୍ରାୟତଃ ଲୋକେ ଶ୍ରମିକଶ୍ରେଣୀର ହୋଇଥିବା ସମୟରେ ସକାଳୁ ସେମାନେ କାମ କରିବାକୁ ବାହାରକୁ ଚାଲିଯାଇଥାନ୍ତି। ସକାଳୁ ସକାଳୁ ଖରା ଟାଣ ନଥିବାରୁ ସୋଲାର ପମ୍ପରୁ ପାଣି ବାହାରେନି ଓ ଗ୍ରାମବାସୀ ସଞ୍ଜବେଳେ ଫେରିବା ବେଳକୁ ଖରା ନଥିବାରୁ ସେହି ସମୟରେ ବି ପାଣି ମିଳେନି। ଫଳରେ ଘରର ଜଣେ ଜଣେ ସଦସ୍ୟ ପାଳି କରି ରହି ସୋଲାର ପମ୍ପରୁ ପାଣି ବାହାରିବାକୁ ଅପେକ୍ଷା କରିଥାନ୍ତି। ଏଭଳି ସ୍ଥିତିରେ ଗ୍ରାମବାସୀଙ୍କ ସ୍ନାନ, ଶୌଚରୁ ନେଇ ନିତ୍ୟକର୍ମ ଯାଏ ସମସ୍ତ କାମ ଗାଁରୁ ୨ କିମି ଦୂରରେ ଥିବା ଏକ ନାଳରେ ହୋଇଥାଏ। ବିଲକୁ ସଂଯୋଗ କରୁଥିବା ନାଳ ପାଣି ବି ବେଳେ ବେଳେ ଗ୍ରାମବାସୀ ବ୍ୟବହାର କରିବାକୁ ବାଧ୍ୟ ହେଊଥିବା କହିଛନ୍ତି। ଏପରିକି ଗାଁରେ ସ୍ବଚ୍ଛ ଭାରତ ଯୋଜନାରେ ପ୍ରତି ଘରକୁ ଗୋଟିଏ ଲେଖାଏ ପାଇଖାନା ମିଳିଛି। ହେଲେ ପାଣି ନଥିବାରୁ ସ୍ବଚ୍ଛ ଭାରତ ଯୋଜନା ମଧ୍ୟ ଗାଁରେ ମୂଲ୍ୟହୀନ ହୋଇ ପଡ଼ିଛି।