ସମ୍ବଲପୁର: ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କ ପାଣି ପଞ୍ଚାୟତ ପ୍ରତି ଉଦାସୀନତା ନେଇ ପାଣି ପଞ୍ଚାୟତର କର୍ମକର୍ତ୍ତାମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପାଣି ପଞ୍ଚାୟତ କର୍ମକର୍ତ୍ତା ଓ ଚାଷୀ ସଂଗଠନ ସହ ପ୍ରଶାସନିକ ଅଧିକାରୀମାନେ ଉପଯୁକ୍ତ ସମନ୍ଵୟ ରଖୁ ନଥିବା ନେଇ ଅଭିଯୋଗ ହୋଇଛି। ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏ ସଂପର୍କିତ ଅଭିଯୋଗ ଉଠିଛି। ଜଳସେଚନ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି (ଡିଏଲ୍‌ସିସି) ବୈଠକ ଯାହା ମାସକୁ ଥରେ ତଥା ଜଳସେଚନ ନୀତି ନିର୍ଧାରଣ ବୈଠକ ପ୍ରତି ୬ ମାସରେ ଥରେ ହେବା କଥା। ହେଲେ ୩ ବର୍ଷରୁ ଅଧିକ ସମୟ ହେଲା ଏହି ବୈଠକ ଆଦୌ କରାଯାଉ ନାହିଁ। ଉପରୋକ୍ତ ବୈଠକ ମାଧ୍ୟମରେ ଜଳସେଚନ ସଂପର୍କିତ ବିଭିନ୍ନ ସମସ୍ୟା ଆଲୋଚନା ତଥା ସମାଧାନ ହୋଇଥାଏ। ବୈଠକ ନହେବା କାରଣରୁ ଏହା ହୋଇପାରୁ ନାହିଁ।

Advertisment

ଅପର ପକ୍ଷରେ କେନାଲ ଗୁଡ଼ିକ (ଡିଷ୍ଟ୍ରିବ୍ୟୁଟାରି, ମାଇନର୍‌, ସବ୍‌ମାଇନର୍‌ ଆଦି) ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ତେଣୁ ବିଭିନ୍ନ ଅଞ୍ଚଳକୁ ଠିକ୍‌ରେ ପାଣି ପହଞ୍ଚିବା ନେଇ ଆଶଂକା ସୃଷ୍ଟି ହୋଇଛି ବୋଲି ପାଣି ପଞ୍ଚାୟତ କର୍ମକର୍ତ୍ତାମାନେ ବୈଠକରେ ଅଭିଯୋଗ କରିଥିଲେ। ଏହାଛଡ଼ା ସମ୍ବଲପୁର ଜିଲ୍ଲାର ପୂର୍ବ ପରଂପରାକୁ ଭାଙ୍ଗି ଗତ କିଛି ବର୍ଷ ହେଲା ଚାଷ ଯୋଜନା ନିର୍ଧାରଣ କମିଟି ବୈଠକ ଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମ୍ବଲପୁର ଜିଲ୍ଲା କୃଷକ ସଂଗଠନକୁ ସାମିଲ କରାଯାଉ ନାହିଁ। ସେହିଭଳି ଧାନ ସଂଗ୍ରହ କମିଟି ବୈଠକରେ ପାଣି ପଞ୍ଚାୟତକୁ ସାମିଲ କରାଯାଉ ନାହିଁ। ଚାଷ ସଂପର୍କିତ ବିଭିନ୍ନ ଛୋଟ ବଡ଼ ନିଷ୍ପତ୍ତିରୁ ଚାଷୀ ପ୍ରତିନିଧିଙ୍କୁ ଦୂରେଇ ରଖାଯାଉଛି ବୋଲି କର୍ମକର୍ତ୍ତାମାନେ ଅଭିଯୋଗ କରିଥିଲେ। ଆଗାମୀ ଦିନରେ ଏହା ଉପରେ ପଦକ୍ଷେପ ନେବା ସହ ସମନ୍ନୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଜମିକୁ ଜଳଯୋଗାଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ପାଣି ପଞ୍ଚାୟତ ପକ୍ଷ ପାଳନର ରୂପରେଖ ସ୍ଥିର କରା ଯାଇଥିଲା। ୧୬ରେ ପାଣି ପଞ୍ଚାୟତ ପକ୍ଷ ଆରମ୍ଭ ହେବ ଓ ସେହି ଦିନରୁ ପାଣି ପଞ୍ଚାୟତ ରଥ ବାହାରିବ। ୧୬ରେ ଡିଭିଜନସ୍ତରୀୟ, ୨୫ରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା। ବୈଠକକୁ ଜଳସେଚନ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ଘଡ଼େଇ ପରିଚାଳନା କରିଥିଲେ। ଜଳସେଚନ, କ୍ଷୁଦ୍ର ଜଳସେଚନ, ଉଠାଜଳସେଚନ, କୃଷି ବିଭାଗ, କାଡା ଓ ପାଣି ପଞ୍ଚାୟତର ଶାସନ ମୁଖ୍ୟ କେନାଲ ଡିଷ୍ଟ୍ରିବ୍ୟୁଟାରି ଅଧ୍ୟକ୍ଷ ବିଭୂ ପଟ୍ଟନାୟକ, ପରମାଣପୁର ଡିଷ୍ଟ୍ରିବ୍ୟୁଟାରି ସଂପାଦକ ଚନ୍ଦ୍ରଶେଖର ପଣ୍ଡା, ସୁନାପାଲି ଡିଷ୍ଟ୍ରିବ୍ୟୁଟାରି ସଂପାଦକ କାଶୀ ବିଶ୍ୱନାଥ, ହୁମା ଟେଲ ଓ ଡିଷ୍ଟ୍ରିବ୍ୟୁଟାରି ଅଧ୍ୟକ୍ଷ ଅମ୍ବରୀଶ ପୁରୋହିତ, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଅଧ୍ୟକ୍ଷ ନବୀନ ନାଏକ ଉପସ୍ଥିତ ଥିଲେ।