ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି | ଉପର ମୁଣ୍ଡରେ ବର୍ଷା ଯୋଗୁ କ୍ରମାଗତ ଭାବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଜଳସ୍ତର ୬୧୩ ଫୁଟ ରହିଛି | ଏହି ସମୟରେ ଜଳଭଣ୍ଡାରକୁ ୧,୪୦,୫୭୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୪୦ ହଜାର ୨୭୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ୨୩ ତାରିଖ ଦିନ ଜଳଭଣ୍ଡାରର ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିଥିବା ନେଇ ଆକଳନ କରାଯାଉଛି। ଆଉ ଏହି ଦିନ ହିଁ ହୀରାକୁଦ ଜଳଭଣ୍ଡାରର‌ ଗେଟ୍‌ ଖୋଲାଯିବ । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ୍।

Advertisment

ଗତବର୍ଷ ୧୮ ଜୁଲାଇରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୦୮ ଫୁଟ୍‌ ରହିଥିଲା। ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ଫଳରେ ମହାନଦୀ ଏବଂ ତାର ଶାଖା ନଦୀଗୁଡ଼ିରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି କୁହାଯାଇଛି | ଆଉ ଏନେଇ ହୀରାକୁଦ କର୍ତ୍ତୃପକ୍ଷ ବର୍ତ୍ତମାନ ମାଇକ ଯୋଗେ ସ୍ଥାନୀୟ ଲୋକଙ୍କୁ ସତର୍କ କରାଉଛନ୍ତି | ପାଣି ଛଡାଯିବାବେଳେ କେହି ଯେମିତି ମହାନଦୀକୁ ନ ଯିବେ ସେନେଇ ସତର୍କ କରାଯାଉଛି |