ବୁର୍ଲା: ବୁର୍ଲା ମହତାବ ନଗର ଅଞ୍ଚଳର ଯୁବକ ମନିଷ ଗିରିଙ୍କୁ ପୋଡ଼ି ହତ୍ୟା କରିଥିବା ଅଭିଯୋଗରେ ମଙ୍ଗଳବାର ବୁର୍ଲା ପୁଲିସ୍ ଅଭିଯୁକ୍ତ ପ୍ରେମିକା ନଳିନୀ ବେହେରା(୩୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମନିଷ ସ୍ଥାନୀୟ ଭାରତୀ କ୍ଲବ ପାଖରେ ଏକ କୁକୁଡା ଦୋକାନ ଦେଇଥିଲେ। ତାଙ୍କ ନିଜ ଘର ହୀରାକୁଦ ଭିଏମସ୍ଏସ୍ ନଗର ଓ ସେ ବିବାହିତ ଥିଲେ। ନିଜ ପରିବାରକୁ ଛାଡି ସେ ଅଭିଯୁକ୍ତ ପ୍ରେମିକା ନଳିନୀ ସହ ମହତାବନଗରରେ ରହୁଥିଲେ। ନଳିନୀଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଦୁହିଁଙ୍କ ମଧ୍ୟରେ ଦୈହିକ ସଂପର୍କ ଗଢି ଉଠିଥିଲା। ଗତ ଡିସେମ୍ବର ୨୦ ତାରିଖ କୌଣସି କାରଣରୁ ମନିଷଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଚିକିତ୍ସା ପାଇଁ ପ୍ରଥମେ ବୁର୍ଲା ମେଡିକାଲ୍ରେ ଭର୍ତ୍ତିି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଡିସେମ୍ବର ୨୩ରେ କଟକ ଏସ୍ସିବି ମେଡିକାଲ୍ କଲେଜକୁ ସ୍ଥାନାନ୍ତର ହୋଇଥିଲା। ସେଠାରେ ୨୪ ତାରିଖ ମନିଷଙ୍କ ମୃତ୍ୟୁ ହୋଇଥିଲା।
ଏନେଇ କଟକ ମଙ୍ଗଳାବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ହୋଇଥିଲା। ମନିଷଙ୍କ ବାଇକ୍ରୁ ପେଟ୍ରୋଲ ଲିକ୍ କରିଥିଲା ଓ ସିଗାରେଟ ନିଆଁ ଲାଗିବାରୁ ମନିଷ ପୋଡି ଯାଇଥିଲା ବୋଲି ଅଭିଯୁକ୍ତ ପ୍ରେମିକା ନଳିନୀ ମଙ୍ଗଲାବାଗ ପୁଲିସ୍କୁ କହିଥିଲେ। ମଙ୍ଗଲାବାଗ ପୁଲିସ୍ର ରିପୋର୍ଟ ଅନୁସାରେ ମୃତ ମନିଷଙ୍କ ପିଠିରେ ନିଆଁ ଲାଗିଥିଲା। ବୁର୍ଲା ପୁଲିସ୍ ଠାରୁ ଖବର ପାଇ ହୀରାକୁଦରେ ରହୁଥିବା ମୃତ ମନିଷଙ୍କ ମାଆ ଲଲ୍ତି ଗିରି ଗତ ସୋମବାର ରାତି ବୁର୍ଲା ଥାନାରେ ତାଙ୍କ ପୁଅକୁ ପୋଡି ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏନେଇ ବୁର୍ଲା ଥାନାଧିକାରୀ ମାନସ ରଂଜନ ପ୍ରଧାନଙ୍କ ନେତୃତ୍ଵରେ ଏକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳର ଯାଂଚ କରିଥିଲା। ଆଜି ଦିନ ସାଢେ ୧୨ଟାରେ ଅଭିଯୁକ୍ତ ପ୍ରେମିକା ନଳିନୀଙ୍କୁ ଗିରଫ କରି ଦଫା ୩୦୨ ଆଇପିସିରେ କୋର୍ଟ ଚାଲାଣ କରାଯାଇଛି। ଏନେଇ ବୁର୍ଲା ଥାନାରେ କେସ୍ ନଂ ୯/୨୦୧୭ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ଆଇଆଇସି ଶ୍ରୀ ପ୍ରଧାନ କହିଛନ୍ତି।