ରେଙ୍ଗାଲି/ସମ୍ବଲପୁର : ଶୌଚ ପାଇଁ ଘରୁ ବାହାରି ଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ତଣ୍ଟିରେ ଶାଢ଼ି ଭିଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ଠେଲକୋଲି ଥାନା ମୁଣ୍ଡାପଡ଼ା ନିକଟସ୍ଥ ମହୁଲ ବୁରେଇରେ। ମୃତ ମହିଳା ଜଣଙ୍କ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳ ଥାନା ପତ୍ରାପାଲି ଗ୍ରାମର ରାଜେଶ ମୁଣ୍ଡାଙ୍କ ପତ୍ନୀ ଗୀତା(୨୭)। ରେଙ୍ଗାଲି ଅତିରିକ୍ତ ତହସିଲଦାର ପ୍ରଫୁଲ୍ଲ ବେହେରା, ଡିଏସ୍ପି ଏନ୍.ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଠେଲକୋଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ପରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଦ୍ବାରା ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ଠେଲକୋଲି ପୁଲିସ୍ ଭାରତୀୟ ଦଣ୍ଡବିଧି ଧାରା ୩୦୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ପ୍ରକାଶଥାଉ କି, ୫ ବର୍ଷ ତଳେ ୭ ବର୍ଷ ବୟସର ଜଣେ ନାବାଳିକାକୁ ଦୁର୍ଷମ ପରେ ହତ୍ୟା କରାଯାଇ ସଂପୃକ୍ତ ସ୍ଥାନରେ ଫିଙ୍ଗି ଦିଆଯାଇଥିଲା। ୪୦ ଦିନ ପରେ ସଂପୃକ୍ତ ମାମଲାର ଫଇସଲା ହୋଇ ଦୋଷୀକୁ ଦଣ୍ଡବିଧାନ ହୋଇଥିଲା।