ସମ୍ବଲପୁର, (ଗାର୍ଗୀ ଶତପଥୀ) : ମାଓଗଡ଼ରେ ବିଷମୁକ୍ତ ଖାଦ୍ୟ ଉତ୍ପାଦନ କରୁଛନ୍ତି ୩୦ ଆଦିବାସୀ ମହିଳା ଚାଷୀ। ପ୍ରଚାର-ପ୍ରସାର ଠାରୁ ଦୂରରେ ଏହି ଚାଷୀମାନେ କେବଳ ନିଜେ ନୁହେଁ ପଡ଼ୋଶୀ ଗାଁ ମହିଳାମାନଙ୍କୁ ମଧ୍ୟ ବିଷମୁକ୍ତ ଦେଶୀ ବିହନ ଚାଷ ପାଇଁ ପ୍ରୋତ୍ସାହନ କରୁଛନ୍ତି।

Advertisment

ସମ୍ବଲପୁର ଜିଲ୍ଲାର ମେଘପାଲ ପଞ୍ଚାୟତ। ୨୦୦୩ ମସିହାରେ ସରପଞ୍ଚଙ୍କୁ ମାଓବାଦୀଙ୍କ ହତ୍ୟା ପରେ ପ୍ରଥମ କରି ଚର୍ଚାର ପରିଧିକୁ ଆସିଥିଲା। ୨୦୦୫ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ଅନେକ ମାଓବାଦୀ ହିଂସାକାଣ୍ଡ ଘଟିଯାଇଛି। ସମ୍ବଲପୁର ଜିଲ୍ଲାର ଏହି ଅବିକଶିତ ଆଭ୍ୟନ୍ତରୀଣ ପଞ୍ଚାୟତର ରାନତାଲର ନାମକାରଣ ପଛରେ ମଧ୍ୟ କଦର୍ଥ ବିଚାରଧାରା। ଏହି ଗାଁର ପୁରୁଷମାନଙ୍କର ଅସମୟରେ ମୃତ୍ୟୁ ହେଉଥିଲା। ଏଥିଯୋଗୁଁ ଗାଁର ମହିଳାମାନଙ୍କୁ ରାଣ୍ଡି କୁହାଯାଉଥିଲା। ଏଥିରୁ ଏହି ଗାଁର ନାଁ ରାଣ୍ଡତାଲ ବା ରାନତାଲ େହାଇଥିବା କୁହାଯାଉଛି।

୨୦୧୬ ମସିହା ପର୍ଯ୍ୟନ୍ତ ପ୍ରଶାସନିକ ମାନଚିତ୍ରରେ ଏହି ଗାଁର ସତ୍ତାହିଁ ନଥିଲା। ସେହିବର୍ଷ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦର୍ଶ ଗାଁ ଭାବରେ ଗ୍ରହଣ କରାଗଲା ଓ ରାନତାଲର ୪୨ ପରିବାରକୁ ଜଙ୍ଗଲ ଜମି ପଟ୍ଟା ଦିଆଗଲା। ଜମି ପଟ୍ଟା ପରେ ସେମାନେ ଦେଶୀ ଉପାୟରେ ଚାଷ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ବିଭିନ୍ନ ସମୟରେ ଗାଁର ପୁରୁଷଙ୍କ ଅସମୟରେ ମୃତ୍ୟୁ ହେଉଥିବାରୁ ବିଷମୁକ୍ତ ଦେଶୀ ଚାଷ ପାଇଁ ଆଗ୍ରହ କରିଥିଲେ। ଏଥିପାଇଁ ସାମାଜିକ ସଙ୍ଗଠନ ପତଙ୍ଗ ଏବଂ ଦେଶୀ ବିହନ ସୁରକ୍ଷା ମଞ୍ଚ ସହଯୋଗର ହାତ ବଢାଇବା ପରେ ଏହି ଗାଁର ରୁପାନ୍ତି ଡାଙ୍ଗ(୫୫)ଙ୍କ ନେତୃତ୍ବରେ ୩୦ ମହିଳା ସାମ୍ନାକୁ ଆସିଥିଲେ। ସେମାନଙ୍କୁ ସହଯୋଗ କରିଥିଲେ ରେଜିନା କାଣ୍ଡୁଲାନା, ସୁଶୀଲା କାଣ୍ଡୁଲାନା, ବିବିଆନ ଟପ୍ନୋ, ଆଂଜେଲାନା ସୁରିନ, ଏଲିନା ବାର୍ଲା, ପାଓଲିନା ବାଗେ, ସୁନୀତା ବାର୍ଲା ଆହୁରି ଅନେକ ଯୁବ ମହିଳା ଚାଷୀ। ଦେଶୀ ଉପାୟରେ ଚାଷର ପ୍ରାଥମିକ ପର୍ଯ୍ୟାୟ ଏତେ ସହଜ ନଥିଲା। ପ୍ରତିକୂଳ ପାଗ ସହିତ ଖର୍ଚ ବହନ କରିବାକୁ ପଡ଼ିଥିଲା। ଏହା ସତ୍ତ୍ବେ ଏହି ମହିଳାମାନେ ନିଜେ ଚାଷ କରିବାକୁ ବାହାରି ପଡ଼ିଥିଲେ। କିଛି ପରିବାରରେ ପୁରୁଷ ସମ୍ପର୍କୀୟଙ୍କ ସହଯୋଗ ସେମାନଙ୍କ କାମକୁ ସହଜ କରିଥିବା ରୂପାନ୍ତି କହନ୍ତି।

ବର୍ତ୍ତମାନ ସ୍ଥିତିରେ ଏହି ମହିଳା ସମୂହ ୮ଟି ପାରମ୍ପରିକ ଧାନ, ୧୦ଟି ବିଭିନ୍ନ ପ୍ରକାର ଦେଶୀ ପରିବା ଚାଷ କରୁଛନ୍ତି। ଦେଶୀ ଚାଉଳ ନିଜ ପାଇଁ ରଖିବା ସହିତ ସମ୍ବଲପୁରରେ ବିକ୍ରି ମଧ୍ୟ ଆରମ୍ଭ କରିଛନ୍ତି। ଆଂଜୋଲାନା କହିଛନ୍ତି, ବିଷମୁକ୍ତ ଦେଶୀ ଚାଉଳ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ଏଥିପାଇଁ ସମସ୍ୟା ହେଉଛି। ଗୁଣାତ୍ମକ ମାନର ଧାନ କଳ ନଥିବାରୁ ଉଚ୍ଚମାନର ଚାଉଳ ଉତ୍ପାଦିତ ହୋଇ ପାରୁ ନାହିଁ। ଏଥିପ୍ରତି ପ୍ରଶାସନ ଦୃଷ୍ଟିର ଆବଶ୍ୟକତା ରହିଛି।