ୱାର୍ଡ ସଭ୍ୟାଙ୍କ ଝୁଲନ୍ତା ଶବ ଉଦ୍ଧାର

ହତ୍ୟା ସନ୍ଦେହ

ବାମରା:ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ଅଧୀନ କୁଟାରିମାଲ ପଞ୍ଚାୟତ ମର୍‌ହାପଡ଼ା-ଟଟରଙ୍ଗା ଗାଁ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହୁଲପାଲି ପଞ୍ଚାୟତ ପ୍ରଧାନପାଟରେ ବୋଲି ଜଣାପଡ଼ିଛି। ସେ ସେଠାକାର ଜଣେ ୱାର୍ଡ ସଭ୍ୟା ଓ ତାଙ୍କ ନାମ ସୁଖ ପାଣ୍ଡବ(୫୦) ବୋଲି ଜଣାପଡ଼ିଛି। ସେ ଗତ ସୋମବାରଠାରୁ ନିକଟ ଦୃବୁଡ଼ା ମହାବୀର ଧାମକୁ ଜଳାଭିଷେକ ଓ ପୂଜାର୍ଚନା କରିବାକୁ ଆସିଥିବା ସ୍ଥାନୀୟ ଲୋକ ଦେଖିଥିବା କହିଛନ୍ତି। ତେବେ କେଉଁ ପରିସ୍ଥିତିରେ ସେ ଏଠାକୁ ଆସିଲେ ଓ ଗଛରୁ ତାଙ୍କର ଶବକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଗଲା ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସମ୍ବଲପୁରରୁ ସାଇଣ୍ଟିଫିକ୍‌ ଟିମ୍‌ ଆସି ତଦନ୍ତ କରିଥିବା ବେଳେ ମ୍ୟାଜିଷ୍ଟ୍ରେଟ୍‌ ଦାୟିତ୍ବରେ ଥିବା ତହସିଲଦାର ଅନିଲ କୁଲୁ ଉପସ୍ଥିତ ଥିଲେ। ଗୁରୁବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଗଡ଼ପୋଷ ଫାଣ୍ଡି ଅଧିକାରୀ ଡି. ପ୍ରଧାନ କହିଛନ୍ତି। ଥାନା ଅଧିକାରୀ ପି କେ ରଣାଙ୍କ ତତ୍ତ୍ବାବଧାନରେ ଏହି ଘଟଣାର ତଦନ୍ତ କରାଯିବା ସହିତ ତାଙ୍କ ପରିବାର ଲୋକଙ୍କୁ ଯୋଗା‌ଯୋଗ କରାଯାଇଛି। ମୃତା ମହିଳାଙ୍କଠାରୁ ଗୋଟିଏ ମୋବାଇଲ୍‌ ଫୋନ୍‌ ଓ ନଗଦ ଟଙ୍କା ଜବତ କରାଯାଇଛି।
ସୂଚନା ଅନୁଯାୟୀ ବୁଧବାର ସକାଳେ ଜଣେ ମହିଳା ଗଛରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକ ଗୋବିନ୍ଦପୁର ଥାନା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ମହିଳାଙ୍କ ନିକଟରେ ଥିବା ଏକ ମୋବାଇଲ୍‌ ଫୋନ୍‌କୁ ବାରମ୍ବାର କଲ୍‌ ଆସୁଥିଲା। ଶବକୁ ଗଛରୁ ଓହ୍ଲାଇ ଉକ୍ତ ମୋବାଇଲ୍‌ ନମ୍ବରରେ କଲ୍‌ କରିବାରୁ ତାଙ୍କ ପରିଚୟ ମିଳିଥିଲା। ତେବେ ସେ ଏଠାକୁ ଆସି ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ଏପରି ଟାଙ୍ଗି ଦେଇଛି ସେ ନେଇ ସନ୍ଦେହ କରାଯାଇଛି। ସେହିପରି ମହିଳାଙ୍କ ଶବ ଝୁଲୁଥିବା ବେଳେ ତାଙ୍କ ମୁହଁରେ ଲୁଗା ଢାଙ୍କି ହୋଇଥିଲା। ଅନ୍ୟପକ୍ଷରେ ପୁଲିସ କହିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାହା କିଛି କୁହାଯାଇ ପାରିବ। ତେବେ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରାଯାଇଛି। ସେମାନେ ଆସିବା ପରେ ତଦନ୍ତ ଆଗେଇବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର