ବାମରା: ଟ୍ରେନ୍‌ରୁ ଖସିପଡ଼ି ଗୁରୁତର ଆହତ ହୋଇଥିବା ଜଣେ ଯୁବତୀଙ୍କୁ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ସିଏଚ୍‌ସିରେ ଭର୍ତ୍ତି କରିଥିଲେ। ପ୍ରାପ୍ତ ସୂଚନାନୁସାରେ  ସନ୍ଧ୍ୟା ପ୍ରାୟ ୬ଟା ବେଳେ ବାମରା ଦଲଦଲିଆପଡ଼ା ନିକଟ ରେଳଲାଇନ କଡ଼ରେ ଜଣେ କାଦୁଅରେ ସରସର ହୋଇଥିବା ଯୁବତୀ ଘୋଷାଡ଼ି ହୋଇ ବହୁ କଷ୍ଟରେ ଆସୁଥିଲେ। ଜଣେ ବ୍ୟକ୍ତି ଏହା ଦେଖି ଖବର ଦେବାରୁ ଦଲଦଲିଆ ପଡ଼ାର କେତେକ ଯୁବକ ସେଠାରେ ପହଞ୍ଚିଥିଲେ।

Advertisment

ତେବେ ଯୁବତୀ ଜଣକ ଠିକ ଭାବେ କଥା କହିପାରୁ ନଥିବା ଓ ଗୁରୁତର ଆହତ ଥିବାରୁ ସ୍ଥାନୀୟ ସରପଞ୍ଚ ବିମଲ ଲାକ୍ରାଙ୍କ ସହ ମନବୋଧ ଠେମରିଆ, ପ୍ରକାଶ କାଲୋ, ତରୁଣ ସିଂହ, ଦୀପକ ସା ଓ ଅଶୋକ ନାଏକ ପ୍ରମୁଖ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯୁବତୀ ଜଣକ ଝାଡ଼ଖଣ୍ଡ ରାଜ୍ୟ ହାଟ ଗହ୍ମରିଆ ଥାନା ଆମାଦିଆ ଗ୍ରାମର ରାସ୍କେ ଖଣ୍ଡାୟତଙ୍କ ଝିଅ ଲଳିତା (୨୫) ବୋଲି ଜଣାପଡ଼ିଛି। ସେ ଚେନ୍ନାଇରେ କାମ କରନ୍ତି। ଜଣେ ସଂପର୍କୀୟ ଅସୁସ୍ଥ ଥିବାରୁ ଲଳିତା ଟ୍ରେନରେ ଘରକୁ ଫେରୁଥିଲେ। ମାତ୍ର ଗତ ସୋମବାର ବାମରା ଷ୍ଟେସନ୍‌ରୁ କିଛି ଦୂରରେ କେହି ଦୁର୍ବୃତ୍ତ ତାଙ୍କୁ ଟ୍ରେନରୁ ଠେଲି ଦେଇଥିଲା। ୨ ଦିନ ଧରି ବୁଦା ଜଙ୍ଗଲ ଓ କାଦୁଅ ଭିତରେ ପଡ଼ି ରହିଥିଲେ ବୋଲି ଲଳିତା କହିଛନ୍ତି। ତାଙ୍କ ଗୋଡ଼ ଭାଙ୍ଗି ଯାଇଛି। ଗୁରୁତର ଥିବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଏ ସଂପର୍କରେ ହାଟ ଗହ୍ମରିଆ ଥାନାକୁ ସୂଚନା ଦିଆଯାଇଛି।