ଭୁବନେଶ୍ବର: ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ସୌନ୍ଦର୍ଯୀକରଣକୁ ସ୍ବାଗତ କରୁଛୁ। କିନ୍ତୁ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ୟାକେଜର ପାତରଅନ୍ତର ବରଦାସ୍ତ ଯୋଗ୍ୟ ନୁହେଁ। ଦଳିତ ବୋଲି ଏଭଳି ଅନ୍ୟାୟ କରାଯାଉଛି କି ବୋଲି ରାଜଧାନୀକୁ ଆସି ପ୍ରଶ୍ନ କରିଛନ୍ତି ସମ୍ବଲପୁର ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟୀକରଣ ବିସ୍ଥାପିତମାନେ।
ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ରକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରିଥିଲେ। ଏଥିରେ କୁହାଯାଇଛି, ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟୀକରଣରେ ଉଚ୍ଛେଦ ପ୍ରକ୍ରିୟା ଦଳିତ ପ୍ରଭାବିତ ଅଞ୍ଚଳ ଘୁନଘୁଟି ପଡ଼ାରୁ ଆରମ୍ଭ ହୋଇଛି। ଏଠାରେ ବିସ୍ଥାପିତ ହେବାକୁ ଥିବା ୨୨୦ ପରିବାର ମଧ୍ୟରୁ ସମୁଦାୟ ୧୨୦ ଜଣଙ୍କୁ ଉଚ୍ଛେଦ କରାଯାଇଛି। ସେମାନଙ୍କୁ କ୍ଷତିପୂରଣ ପ୍ୟାକେଜ ସ୍ବରୂପ, ୬୪୦ ବର୍ଗଫୁଟର ଜମି, ଘର ମୂଲ୍ୟାୟନ ଅର୍ଥ, ପରିବହନ ବାବଦରେ ୬ ହଜାର, ଘର ଭଡ଼ା ୬ ମାସର ୨୫ ଶହ ଏବଂ ଘର ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ଦିଆଯାଇଛି।
ଅନ୍ୟଦିଗରେ ଏହି ପ୍ରକଳ୍ପରେ ବିସ୍ଥାପିତ ଅନ୍ୟବର୍ଗମାନଙ୍କୁ ୧୨୦୦ ବର୍ଗଫୁଟ ଜମି, ପରିବହନ ବାବଦରେ ୧ ଲକ୍ଷ ଟଙ୍କା, ଘର ଭଡ଼ା ୧୨ ହଜାର, ବ୍ୟକ୍ତିପିଛା କ୍ଷତିପୂରଣ ୨୦ ଲକ୍ଷ ଏବଂ ବର୍ତ୍ତମାନ ରହୁଥିବା ଘରଠାରୁ ୫୦୦ ମିଟର ଦୂରରେ ଥଇଥାନ କରାଯାଉଛି। ଏଭଳି ବିଭେଦ କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହିତ କହିଛନ୍ତି, ଉଚ୍ଛେଦ ହୋଇଥିବା ୧୫୦ ବିସ୍ଥାପିତ ପରିବାର ମଧ୍ୟରୁ ୧୦୦ ଜଣ ଘର ନିର୍ମାଣ ଆରମ୍ଭ କରିଥିଲେ। ମାତ୍ର ଛାତ ନପଡ଼ୁଣୁ ଅଧିକାଂଶଙ୍କ କ୍ଷତିପୂରଣ ଟଙ୍କା ସରିଯାଇଛି। ଏବେ ସେମାନଙ୍କ ଅବସ୍ଥା କଣ ହେବ?
ସେମାନଙ୍କ କ୍ଷତିପୂରଣ ବୃଦ୍ଧି କରାନଗଲେ ସେମାନେ କେଉଁ ଆଡ଼କୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି। ଏଣେ ତାଙ୍କ ପୁନର୍ବାସ କଲୋନିରେ ରାସ୍ତା, ପାଣି, ବିଜୁଳି, ନାଳି, ସ୍ବରାଜ, କଲ୍ୟାଣ ମଣ୍ଡପ, କ୍ଲବ ଘର, କମ୍ୟୁନିଟି ହଲ, ଶିଶୁ ଉଦ୍ୟାନ, ମନ୍ଦିର, ମଠ, ଅଙ୍ଗନବାଡି କେନ୍ଦ୍ର, ସ୍କୁଲ, ସ୍ବାସ୍ଥ୍ୟ ସେବା ଆଦି ଦେବା ପାଇଁ ପ୍ରତିଶ୍ରୁତି ଥିଲା। ମାତ୍ର ୬ ମାସ ପରେ ମଧ୍ୟ କୌଣସି ସୁବିଧା ହୋଇ ପାରି ନାହିଁ। ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି।