ସମ୍ବଲପୁର: ଆଜି କଲମ ପରିବାର ପକ୍ଷରୁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ଠାରେ ଦୁଇଦିନିଆ ସମ୍ବଲପୁରୀ ବହିହାଟ ଆରମ୍ଭ ହୋଇଛି। ସମ୍ବଲପୁରୀ ଭାଷାର ବିଭିନ୍ନ ପୁସ୍ତକ ଏଠାରେ ଦେଖିବାକୁ ମିଳିଛି। ସାମ୍ବିଦକ ଭବନ ଠାରେ ଆୟୋଜିତ ଉଦ୍ଘାଟନୀ ସଭାରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଅଷ୍ଟମ ଅନୁଚ୍ଛେଦରେ ସମ୍ବଲପୁରୀ ଭାଷାକୁ ସ୍ଥାନିତ କରିବା ପାଇଁ ଆମ ସମସ୍ତଙ୍କର ପ୍ରୟାସ ଆବଶ୍ୟକ ମତ ଦେଇଥିଲେ। ଅନୁଷ୍ଠାନର ସଭାପତି ଜୟକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳସଚିବ ଡ.ନୃପରାଜ ସାହୁ କହିଲେ, ସମ୍ବଲପୁରୀ ଭାଷାକୁ ଆଗକୁ ନେବା ପାଇଁ ଆମେ ବିଲମ୍ବ କରିଛୁ। ମାତୃଭାଷା, ମାତୃଭୂମି ପ୍ରୀତିକୁ ଆମକୁ ଉଜାଗର କରି ରଖିବାକୁ ହେବ।
ଗାଁମାନଙ୍କରେ ଯେଉଁ ନିଚ୍ଛକ ସମ୍ବଲପୁରୀ ଶବ୍ଦର ପ୍ରୟୋଗ ହୁଏ, ସେଗୁଡ଼ିକୁ ସମସ୍ତଙ୍କ ପାଖକୁ ପହଞ୍ଚାଇବାକୁ ପଡ଼ିବ। ନିଜର ଭାଷାର ବିକାଶ ହିଁ ଆମର ଲକ୍ଷ୍ୟ ହେବା ଉଚିତ। ଜିଏମ୍ୟୁ ଭୀମଭୋଇ ଚେୟାରର ମୁଖ୍ୟ ଡ.ପ୍ରଦୀପ ପଣ୍ଡା କହିଲେ, ସମ୍ବଲପୁରୀ ଭାଷାକୁ ମାନକ ଭାଷାର ମାନ୍ୟତା ପାଇଁ ବହିହାଟ ସହାୟକ ହେବ। ଚିନ୍ତାକୁ କାର୍ଯ୍ୟରେ ରୂପାନ୍ତରିତ କରିବାର ଦରକାର ଅଛି। ଅନ୍ୟତମ ସମ୍ମାନିତ ଅତିଥି କବି ମୁକ୍ତକଣ୍ଠ ପ୍ରଧାନ କହିଲେ, ଆମ ସଂସ୍କୃତି ଦୁର୍ବଳତା ଯୋଗୁଁ ଆମ ଅଞ୍ଚଳ ପଛୁଆ ରହିଛି। ଆମ ସଂସ୍କତିର ବିକାଶ ନିମନ୍ତେ ଆମକୁ ଭାଷା ସାହିତ୍ୟ ଉପରେ ଜୋରଦେବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ। ସଭାପତି ଶ୍ରୀ ବେହେରା ଏଅବସରରେ ଆଶାବ୍ୟକ୍ତ କଲେ ଯେ, ବହିହାଟ ପରିବେଶ ନିଶ୍ଚୟ ସମସ୍ତଙ୍କୁ ସମ୍ବଲପୁରୀ ଲେଖିବାକୁ ଉତ୍ସାହିତ କରିବ। ଦୀପକ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ କଲମ ପରିବାରର ଆବାହକ ତଫିଜୁଲ ହୋସେନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କ୍ଷେତ୍ରମଣି ବିଭାର ଧନ୍ୟବାଦ ଅର୍ପଣ କରିଥିଲେ। ବହିହାଟ କାର୍ଯ୍ୟକ୍ରମ ଆୟୋଜନରେ ଅକ୍ଷର, ଶିଳ୍ପ ବିକାଶ, ଦୀପକ ପଣ୍ଡାଙ୍କ ପ୍ରକାଶନୀ, ଅ-କ୍ଷର ପ୍ରକାଶନୀ, ନୂଆଁ ସକାଳ ପବ୍ଲିକେଶନ, ଉଦିଆଁ ପ୍ରକାଶନୀ ଆଦି ସଂସ୍ଥାର ପୁସ୍ତକ ପ୍ରଦର୍ଶିତ ଓ ବିକ୍ରୟ ହେଉଛି। ଏହି ଅବସରରେ କ୍ଷୁଦ୍ରଗଳ୍ପ ପଠନ କରାଯାଇଥିଲା। ମମତା ନାଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।