ଝାରସୁଗୁଡା: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ଝାରସୁଗୁଡାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ମମିତା ହତ୍ୟାକାଣ୍ଡରେ ସନ୍ଦେହ ଘେରରେ ଥିବା ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ନିଜ ସହ ମଂଚରେ ବସାଇବା ଅତି ଦୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀ ତାଙ୍କୁ ପାଖରେ ବସାଇ ଜନଆନ୍ଦୋଳନକୁ ପ୍ରଶମିତ କରିବାକୁ ଯଦି ଭାବୁଥାନ୍ତି ତାହା ସଂପୂର୍ଣ୍ଣ ଭୁଲ ଅଟେ। ଓଡ଼ିଶାର ସାଢ଼େ ଚାରିକୋଟି ଲୋକ ଭଲ କରି ଏହା ବୁଝି ସାରିଛନ୍ତି।

Advertisment

ଓଡ଼ିଶାର ଜନସାଧାରଣଙ୍କୁ ବୋକା ନୁହନ୍ତି। ମମିତା ହତ୍ୟାକାଣ୍ଡରେ କେବଳ ଦିବ୍ୟଶଙ୍କର ନୁହନ୍ତି ବରଂ ନବୀନଙ୍କ ମନ୍ତ୍ରୀ ମଣ୍ଡଳର ଅନେକ ବଡବଡିଆ ନେତା ସାମିଲ ଥିବାରୁ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମମିତାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଜନ ଆନ୍ଦୋଳନ ଜାରି ରହିବ । ମମିତାଙ୍କୁ ନ୍ୟାୟ ପ୍ରଦାନ ପୂର୍ବକ ସରକାର ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହ ମମିତା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ କରି ସମସ୍ତ ଦୋଷୀଙ୍କୁ ଗିରଫ କରାଯିବାକୁ ସେ ଦାବି କରିଥିଲେ । ଅତୀତରେ ଅଞ୍ଜନା ମିଶ୍ରଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ହୋଇଥିବା ଜାନକୀ ସରକାର ଜନ ଆକ୍ରୋଶର ଶିକାର ହୋଇ ଯେପରି ପତନ ହେଲା ନବୀନ ସରକାରର ମଧ୍ୟ ସେହିପରି ପତନ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସେହି ସମୟରେ ଯେଉଁମାନେ ବିରୋଧି ଦଳରେ ଥାଇ ଜାନକୀ ବାବୁଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ ସେମାନେ ଏବେ ମନ୍ତ୍ରୀ ଆସନରେ ବସିଥିବା ବେଳେ ତାଙ୍କ ସ୍ଲୋଗାନ କୁଆଡେ ଗଲା? ସେ ଆହୁରି ମଧ୍ୟ କହିଛନ୍ତି ବିଜେଡି ଶାସନ ସମୟରେ ରାଜ୍ୟରେ ନାରୀ ନିର୍ଯ୍ୟାତନା ତଥା ଅପରାଧ ବଢି ଚାଲିଛି ।

ଏନ୍ସିବି ରିପୋର୍ଟ ଅନୁଯାୟୀ ଅପରାଧରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ରାଜ୍ୟରେ ପ୍ରତିଦିନ ୬ ଜଣ ଅପହରଣ ଓ ୪ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି । ସେହିପରି ରାଜ୍ୟରେ ୨୭ ହଜାର ଶିଶୁ ନିଖୋଜ ଅଛନ୍ତି । ରାଜ୍ୟରେ ଇତିଶ୍ରୀ, ବେବିନା, ପରୀ ଭଳି  ଅନେକ ଲୋମଟାଙ୍କୁରା ହତ୍ୟାକାଣ୍ଡରେ ବିଜେଡି ନେତାମାନେ ସାମିଲ ଥିବାରୁ ଦୋଷୀଙ୍କୁ ଦଣ୍ଡ ମିଳି ପାରୁନାହିଁ । ମମିତା ହତ୍ୟାକାଣ୍ଡ ସହିତ ଦିବ୍ୟଶଙ୍କରଙ୍କ ସଂପୃକ୍ତି ନେଇ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଏ ଯାଏଁ ମିଳିନାହିଁ। ଗୃହମନ୍ତ୍ରୀ ଏହା ଉପରେ କୌଣସି ଉତ୍ତର ଦେଇ ନାହାନ୍ତି। କଂଗ୍ରେସ ନେତା ନରସିଂହ ମିଶ୍ର, ଭକ୍ତ ଦାସ, ସନ୍ତୋଷ ସିଂ ସାଲୁଜା ମଧ୍ୟ ପ୍ରଶ୍ନ ପଚାରି ଥିଲେ । ଯାହାର ଉତ୍ତର ନଦେଇ ଓଲଟା ବିରୋଧୀ ଦଳ ପ୍ରମାଣ ଦେଇ ଫାଶୀ ଦେବାକୁ କହିବା ଦୁଃଖଦାୟକ ଘଟଣା । ବିରୋଧୀ ଦଳ ପ୍ରମାଣ ଯୋଗାଡ଼ କରି ଫାଶୀ ଦିଏ ନାହିଁ। ଦଣ୍ଡବିଧାନ ପାଇଁ ଦେଶରେ ଆଇନ ବ୍ୟବସ୍ଥା ଅଛି। ବିରୋଧୀ ଦଳ ତାର ଦୟିତ୍ବ ନିର୍ବାହ କରୁଛି।  ନୟାଗଡ଼ ପରି ଘଟଣା ଏବେବି ଏକ ପ୍ରସଙ୍ଗ ହୋଇ ରହିଛି ଓ ରହିବ । ସେହି ଘଟଣାରେ ମଧ୍ୟ ବିଜେଡ଼ିର ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଯୋଗୁଁ  ବାବୁଲା ନାୟକକୁ ଜେରା ବି କରାଗଲା ନାହିଁ ।

ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ରାଜ୍ୟ ଆଇନ ମନ୍ତ୍ରୀଙ୍କ ନାମ ଏତଲାରେ ଥିବା ବେଳେ ଚାର୍ଜସିଟରେ ରହିଲା ନାହିଁ। ଜେଏମ୍ଏଫସି କୋର୍ଟ ତାଙ୍କ ବିରୋଧରେ ପୁନଃ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆଇନ ମନ୍ତ୍ରୀ ତାଙ୍କ ପଦବୀରେ ରହିବାର କୌଣସି ଅଧିକାର ନଥିଲା। ତଥାପି ସେ  ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଲେ ନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ବରଗଡ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ରବି ନାରାୟଣ ନାୟକ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ଝାରସୁଗୁଡା ଜିଲ୍ଲା ସଭାପତି ମଙ୍ଗଳ ସାହୁ ପ୍ରମୁଖଙ୍କ ସହ ଜିଲ୍ଲା ବିଜେପିର ସଦସ୍ୟମାନେ ଉପସ୍ଥିତ ଥିଲେ ।