ତିନିଟି ଭୂମିକାରେ ଶିକ୍ଷାମନ୍ତ୍ରୀ ସମୀର ଦାଶ

କୋରାପୁଟ: ମନ୍ତ୍ରୀ ହୋଇ ଆସିଲେ, ଛାତ୍ର ହୋଇ ବସିଲେ, ଶିକ୍ଷକ ହୋଇ ପାଠ ପଢାଇଲେ। ଆଉ ଏହି ତିନିଟି ପଦବୀରେ ଆଜି ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କୁ ଦେଖିବାକୁ ମିଳିଥିଲା । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କୋରାପୁଟ ଗସ୍ତରେ ଆସିଥିଲେ। ଆଜି ସକାଳ ୧୦ଟାରେ ସେ ଅଚାନକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ । ନବମ ଶ୍ରେଣୀର ଶିକ୍ଷାଦାନ ଚାଲୁଥିବା ବେଳେ ମନ୍ତ୍ରୀ ସେହି ଶ୍ରେଣୀ କକ୍ଷରେ ବସି ଶିକ୍ଷୟତ୍ରୀ କିପରି ପାଠ ପଢାଉଛନ୍ତି ତାହା ଦେଖିବା ସହିତ ଛାତ୍ରଙ୍କ ପରି ପ୍ରଶ୍ନ ପଚାରିଥିଲେ। ଶ୍ରେଣୀ କକ୍ଷରେ ପାଠ ପଢିବା ସମୟରେ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପ୍ରଶ୍ନ ପଚାରିବା ଉପରେ ଗୁରୁତ୍ୱ ଦେବାକୁ ସେ ପିଲାମାନଙ୍କୁ କହିଥିଲେ ।

ପ୍ରତିଯୋଗିତା ଆଧାରରେ ପାଠ ପଢିବା ପାଇଁ ଶିଶୁମାନଙ୍କୁ ଉପଦେଶ ଦେଇଥିଲେ । ପରେ ଉକ୍ତ ବିଦ୍ୟାଳୟର ସ୍ମାର୍ଟ କ୍ଲାସ ରୁମ କାର୍ଯ୍ୟ ତଦାରଖ କରିଥିଲେ । ପରେ ୧୦ଟା ୩୦ମିନିଟ ସମୟରେ ମାଛରାଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଗସ୍ତ କରି ଦୁଇଟି କ୍ଲାସ ପରିଦର୍ଶନ କରି ଅନୁଷ୍ଠାନର ଶିକ୍ଷା ଓ ଭିତ୍ତିଭୂମି ଉପରେ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷାର ଉନ୍ନତି ନିମନ୍ତେ ଅନେକ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ଆରମ୍ଭ କରିଥିବା ବେଳେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମଧ୍ୟ କିପରି ଉନ୍ନତି ହୋଇପାରିବ ସେ ନେଇ ଯୋଜନା କରାଯାଉଥିବା ସେ ପ୍ରକାଶ କରିଛନ୍ତି ।

୩ବର୍ଷ ମଧ୍ୟରେ ୫ହଜାର ସ୍କୁଲ ସ୍ମାର୍ଟ କ୍ଲାସ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯାଇଥିବାବେଳେ କୋରାପୁଟ ଜିଲ୍ଲାରେ ୧୭ଟି ସ୍କୁଲରେ ସ୍ମାର୍ଟ କ୍ଲାସର କାର୍ଯ୍ୟ ଚାଲୁ ରହିଥିବା ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି । ଏହି ବିଦ୍ୟାଳୟ ପରିଦର୍ଶନ ସମୟରେ କୋରାପୁଟ ବିଧାୟକ ରଘୁରାମ ପଡାଲ, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର