‘ସ୍କୁଲ ଜଲଦି ଖୋଲିଦିଅ, ନହେଲେ ମୁଁ ଗାଈ ଚରାଳି କିମ୍ବା ଦିନ ମଜୁରିଆ ପାଲଟିବି, ସବୁ ପାଠ ଭୁଲିଯିବି’

ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ଗମ ଜବା ଗାଁର ସନାର ଅନୁରୋଧ

ଜୟପୁର: ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ଗମ ଜବା ଗାଁର ସନା ଖେମୁଣ୍ଡୁଙ୍କ ଅନୁରୋଧ ସ୍କୁଲ ଜଲଦି ଖୋଲିଦିଅ, ନ ହେଲେ ମୁଁ ଗାଈଚରାଳି କିମ୍ବା ଦିନ ମଜୁରିଆ ପାଲଟି ଯିବି। ଏବେ ଧାନ କାଉଡି ବୋହି ବୋହି ସବୁ ପାଠ ଭୁଲିଗଲିଣି। ଏଭଳି ଗାଁରେ ରହିଲେ ମୋ ଜୀବନ ନଷ୍ଟ ହୋଇଯିବ ସାର୍ । ତୁରନ୍ତ ସ୍କୁଲ ଖୋଲିଦିଅନ୍ତୁ। ଏପରି ଆତୁର ନିବେଦନ କରିଛନ୍ତି ବୈପାରୀଗୁଡା ବ୍ଲକରେ ଥିବା ଆଦର୍ଶବିଦ୍ୟାଳୟରେ ୯ମରେ ପଡ଼ୁଥିବା ଆଦିବାସୀ ଗରିବ ପିଲା ସନା ଖେମୁଣ୍ଡୁ। ବୈପାରୀଗୁଡା ବ୍ଲକର ଚିପାକୁର ପଂଚାୟତର ଦୁର୍ଗମ ଅଂଚଳ ପାହାଡ ମଧ୍ୟରେ ଥିବା ଜବା ଗାଁରେ ସନା ଖେମୁଣ୍ଡୁଙ୍କ ଘର। ୪ଭାଇଙ୍କ ମଧ୍ୟରେ ୨ଭାଇ ପାଠ ପଢ଼ୁଥିବା ବେଳେ ୨ଭାଇ ଗାଁରେ ରହି ବାପା ଭଗବାନ ଖେମୁଣ୍ଡୁଙ୍କ ସହ ମିଶି ଜମି ଚାଷ ଓ ଗାଇ ଚରାନ୍ତି। ଗତ ମାର୍ଚ୍ଚ ମାସରୁ ସ୍କୁଲ ଛୁଟି ହେବା ପର ଠାରୁ ସନା ଜବାଗାଁରେ ଘରେ ରହିଛନ୍ତି।

ଗାଁରେ ବିଦ୍ୟୁତ ସେବା ଉପଲବ୍ଦ ଥିଲେ ହେଁ ମୋବାଇଲ୍ ନେଟୱାର୍କ ଲାଗେ ନାହିଁ। ସନାର ପାଠ ପଢ଼ିବାର ପ୍ରବଳ ଇଛା। ତେବେ ସଂପ୍ରତି ଚାଳିଥିବା ଅନଲାଇନ୍ କ୍ଲାସରେ ଭାଗ ନେବା ବି ଇଛା। ତେବେ ବାପାଙ୍କର ସ୍ମାଟ୍ ମୋବାଇଲ୍ କିଣି ଦେବାର ସମ୍ବଳ ନାହିଁ। ଗତ କିଛି ମାସ ହେବ ବାପା ଚଳାବୁଲା କରି ପାରୁନାହାନ୍ତି। ଗୋଟିଏ ଭାଇ ଜୟପୁରରେ ରହି ପିଜିରେ ପଢ଼ୁଛି। ଅନ୍ୟ ଦୁଇ ଭାଇଙ୍କ ସହ ମିଶି ସନା ଏବେ ଗାଁରେ ରହି ଗାଇ ଚରାଇବା ସହ ନିଜ ଜମି ଏବଂ ଅନ୍ୟ ଜମିରେ ମୁଲ ଲାଗି ଧାନ କାଉଡି ବି ବୋହୁଥିବା କହିଛି ସନା। ତେବେ କଁଅଳ କାନ୍ଧରେ ଧାନ ବୋହି ଘରକୁ ଆସିବା ପରେ ହାଲିଆ ହୋଇ ଆଉ ପାଠ ପ୍ରତି ମନ ଲାଗୁନି ସନାର। ହାତ ଗୋଡ ବ୍ୟାଥା ହେବାରୁ ଯାହା କିଛି ଖାଇ ଶୋଇ ପଡୁଥିବା କହିଛି ସନା। ଏହି ସ୍ଥିତିରେ ସନା ଧିରେ ଧିରେ ପାଠ ବି ଭୁଲି ଯାଇଥିବା କହିଛି।

ସ୍କୁଲ କେବେ ଖୋଲିବ ଜାଣିବାକୁ ଇଛା ହେଲେ ପଡୋଶୀଙ୍କ ମୋବାଇଲ୍ ମାଗିଥାଏ ସନା। ଗାଁରେ ମୋବାଇଲ୍ ନେଟୱାର୍କ ଲାଗୁନଥିବାରୁ ଗାଁରୁ ଦୂରରେ ଥିବା ପାହାଡ ଉପରକୁ ଯାଇ ଶିକ୍ଷକ ମାନଙ୍କୁ କଲ୍ କରି ଗୋଟିଏ ପ୍ରଶ୍ନ ପଚାରିଥାଏ ସାର୍ କେବେ ଖୋଲିବ ଆମ ସ୍କୁଲ। ତେବେ ଏହାର ଉତ୍ତର କିଏ ଦେବ ? ସଂପ୍ରତିକ ପରିସ୍ଥିତିରେ କୋଭିଡର ସଂକ୍ରମଣ ଭୟ। ଏହି ସ୍ଥିତିରେ ସରକାର ସ୍କୁଲ ଖୋଲିବା ଚିନ୍ତା କରି ପାରିବେ କି? ଅନ୍ୟ ପକ୍ଷରେ ସନା ଭଳି ବହୁ ଦୁର୍ଗମ ଗ୍ରାମାଂଚଳର ପିଲାଙ୍କ ମନରେ ଏହି ପ୍ରଶ୍ନ। ସଂପ୍ରତି ଏଭଳି ଅନେକ ପିଲା ଏଭଳି ଅବସ୍ଥାରେ ଗାଇ ଚୋରାଇବା, ଧାନ କାଟିବା, କଟା ଧାନକୁ ବୋହିବା ଆଦି କାମ କରୁଛନ୍ତି।

ଜବା ଗାଁର ସନାର ଜୀବନୀକୁ ନେଇ ନିର୍ମାଣ ଲଘୁ ଚଳଚ୍ଚିତ୍ର ‘ମାଳିପୁଟ-ଅଫଲାଇନ୍’ର ଲୋକାର୍ପଣ
ଜୟପୁର: ସଂପ୍ରତି କୋଭିଡ୍ ସଂକ୍ରମଣ ଭୟରେ ଏବେ ପର୍ଯ୍ୟନ୍ତ ସ୍କୁଲ ,କଲେଜ ସବୁ ବନ୍ଦ ରହିଛି। ଶ୍ରେଣୀ ଗୃହ ଶିକ୍ଷାଦାନ ବଦଳରେ ଏବେ ବିକଳ୍ପ ଭାବେ ଅନଲାଇନ୍ ରେ ପାଠ ପଢ଼ା ଆରମ୍ଭ ହୋଇଛି। ତେବେ ଏହା କେବଳ ସ୍ମାର୍ଟ ଫୋନ , ହାଇସ୍ପିଡ୍ ଇଣ୍ଟରନେଟ୍ ଏବଂ ସେଭଳି ଡାଟା ପ୍ୟାକ୍ ବି ରହିବାକୁ ପଡ଼ିବ। ହେଲେ ଯେଉଁଟି ଏସବୁର ସୁବିଧା ନାହିଁ , କିମ୍ବା ଏସବୁକୁ ହାସଲ କରିବା ପାଇଁ ଯାହା ନିକଟରେ ଆର୍ଥିକ ସମ୍ବଳ ନାହିଁ ସେମାନଙ୍କ ପାଇଁ କଣ। ଏପରି ଏକ ସମ୍ବେଦନଶୀଳ କଥାବସ୍ତୁକୁ ନେଇ ଜୟପୁର ଫିଲ୍ମ କମ୍ପାନୀ(ଜେଏଫସି) ଦ୍ବାରା ସ୍ବର ଘୁଙ୍ଗର ଅନୁଷ୍ଠାନର ସହଯୋଗରେ ନିର୍ମିତ ହୋଇଛି ଲଘୁ ଚଳଚ୍ଚିତ୍ର ମାଳିପୁଟ-Offline। ଏହି ଲଘୁଚଳଚ୍ଚିତ୍ରଟି ଆଜି ଜେଏଫସିର ୟୁଟୁଭ୍ ଚାନେଲରେ ମୁକ୍ତିଲାଭ କରିବ। ଏହା ପୂର୍ବରୁ ଏହାର କଳାକାର ଏବଂ ସହରର ଗନ୍ୟମାନ୍ୟ ବ୍ୟକ୍ତି ଓ ଗଣମାଧ୍ୟମକୁ ନେଇ ଏହାର ଲୋକାର୍ପଣ ଉତ୍ସବ ଅଗ୍ରସେନ ଭବନରେ କରାଯାଇଥିଲା। ବୈପାରୀଗୁଡା ବ୍ଲକରେ ଥିବା ଆଦର୍ଶବିଦ୍ୟାଳୟରେ ୯ମରେ ପଢ଼ୁଥିବା ଜଣେ ଛାତ୍ର ସନା ଖେମୁଣ୍ଡୁ କିଭଳି ଏହି ଲକଡାଉନରେ ଘରେ ରହି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହାକୁ ପରିସ୍ପୁଟିତ କରିବାକୁ ପ୍ରୟାସ କରାଯାଇଛି ବୋଲି କହିଛନ୍ତି ଯୁବ ନିର୍ଦେଶକ ବିଶାଲ୍ ପଟ୍ଟନାୟକ।

ଏଥିରେ ବିଭିନ୍ନ ଭୁମିକାରେ ଅଭିନୟ କରିଛନ୍ତି ମହମ୍ମଦ ସାରିଫ, ସଂଧ୍ୟାରାଣୀ ପଟ୍ଟନାୟକ, ଶିଶିର ଦାସ, ନିରଂଜନ ପାଣିଗ୍ରାହୀ, ରଘୁନାଥ ବିଶ୍ବାଳ, ଅମିତ ଦାସ, ସନା ଖେମୁଣ୍ଡୁ, ପ୍ରୀତିସ ବିଶ୍ବାଳ। ସୁଧାକର ପଟ୍ଟନାୟକଙ୍କ ଦ୍ବାରା କାହାଣୀ ରଚନା କରାଯାଇଛି। ଯୁବ ନିର୍ଦେଶକ ବିଶାଲ ପଟ୍ଟନାୟକ ନିର୍ଦେଶନା ଦେବା ସହ ଚିତ୍ର ଉତ୍ତୋଳନ, ସଂପାଦନ ନିଜେ କରିଛନ୍ତି। ଶବ୍ଧ ସଂଯୋଜନା ଉମାକାନ୍ତ ପ୍ରଧାନ, ଶବ୍ଧ ଗ୍ରହଣ ରୋହିତ ପଟ୍ଟନାୟକ, ବାଦ୍ୟବୃନ୍ଧ ରବିନ ମହାନନ୍ଦିଆ, ସୁକମନ, ଶ୍ରୀସାନ, କଣ୍ଠଦାନ କରିଛନ୍ତି ସଂଜୀବନୀ, ଅସ୍ମିତା, ସନାତନ ପୁରୋହିତ ଦାସ। ଲୋକାର୍ପଣ ଉତ୍ସବରେ ଏମାନଙ୍କ ସହ ସ୍ବରଘୁଙ୍ଗୁର ଅନୁଷ୍ଠାନର ପରିଚାଳକ ଧିରେନ୍ ମୋହନ ପଟ୍ଟନାୟକ, ବରିଷ୍ଠ ଗାୟକ ଦେବେନ୍ଦ୍ର ଅଧିକାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର