ସାନପଦର ପଂଚାୟତ ପାଣ୍ଠି ଅନିୟମିତତା ପ୍ରସଙ୍ଗ: ତଦନ୍ତ ରିପୋର୍ଟ ଦାଖଲ କଲେ ବିଡିଓ

ସରପଞ୍ଚ ଓ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଖୁବଶୀଘ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଳା ବୋଲଗଡ଼ ବ୍ଲକ ସାନପଦର ପଂଚାୟତରେ ରାଜ୍ୟ ଅର୍ଥ କମିଶନ ଓ କେନ୍ଦ୍ର ଅର୍ଥ କମିଶନ ପାଣ୍ଠୀର ଦୁରୁପଯୋଗ ନେଇ ଅଡିଟ୍ରେ ଧରାପଡ଼ିବା ପରେ ପଂଚାୟତରେ ଚାଲିଥିବା ଅନେକ ଦୁର୍ନୀତି ଧୀରେ ଧୀରେ ପଦାକୁ ଆସୁଛି । ଆଜି ଏନେଇ ପଂଚାୟତର କେତେକ ବାସିନ୍ଦା ତୁରନ୍ତ ତଦନ୍ତ ଦାବି କରି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ ।

ସ୍ମାରକପତ୍ରରେ ସେମାନେ ଦର୍ଶାଇଥିଲେ ଯେ ପଂଚାୟତରେ ଅନେକ କାମର ମିଥ୍ୟା ବିଲ୍ କରାଯାଇଛି । କେବଳ ଫଳକ ମରାଯାଇଛି, କିନ୍ତୁ କୌଣସି କାମ ହୋଇନାହିଁ । ପଂଚାୟତରେ ହୋଇଥିବା କାମ ଓ ଏବାବଦକୁ ଖର୍ଚ୍ଚ ହୋଇଥିବା ଟଙ୍କା ସୂଚନାଅଧିକାର ଆଇନରେ ମାଗିଥିଲେ ମଧ୍ୟ ସେମାନଙ୍କୁ ଦିଆଯାଉନାହିଁ । ଏଥିରେ କେବଳ ସରପଂଚ ନୁହନ୍ତି, ପଂଚାୟତର ଅନ୍ୟ ସରକାରୀ ଅଧିକାରୀମାନେ ମଧ୍ୟ ସମ୍ପୃକ୍ତ । ଅଭିଯୋଗକାରୀ ଭାଗବତ ବେହେରା କହିଥିଲେ ଯେ ପଂଚାୟତରେ କେବଳ ଏସ୍ଏଫ୍ସି ଓ ସିଏଫ୍ସି ନୁହେଁ ଅନେକ ପାଣ୍ଠିରେ ଅନୁରୂପ ଅନିୟମିତତା ହୋଇଛି । ପଂଚାୟତର ନିର୍ବାହୀ ଅଧିକାରୀ, ସରପଂଚ, ଜେଇ ସବୁ ମିଳିମିଶି ଟଙ୍କା ଖାଇଦେଇଛନ୍ତି ।

ତେବେ ଘଟଣା ସମ୍ପର୍କରେ ସୂଚନା ଦେଇ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ କହିଛନ୍ତି ଯେ, ଘଟଣାର ତଦନ୍ତ ପାଇଁ ୫ ତାରିଖରେ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ବୋଲଗଡ଼ ବିଡିଓ ଏନେଇ ରିପୋର୍ଟ ଦାଖଲ କରିସାରିଛନ୍ତି । ରିପୋର୍ଟରେ ପଂଚାୟତ ପାଣ୍ଠିର ବ୍ୟାପକ ଦୁରୁପଯୋଗ ହୋଇଥିବା ଦର୍ଶାଇବା ସହ ଏଥିରେ ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସମ୍ପୃକ୍ତ ଥିବା ମଧ୍ୟ ଦର୍ଶାଇଛନ୍ତି । ରିପୋର୍ଟ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ସରପଂଚ ଓ ପିଇଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ସମ୍ବାଦରେ ସାନପଦର ପଂଚାୟତରେ ଦୁର୍ନୀତି ନେଇ ବିସ୍ତୃତ ଖବର ପ୍ରକାଶ ପାଇଥିଲା । କେବଳ ୨୦୧୯ନୁହେଁ, ୨୦୧୭-୧୮, ୨୦୧୮-୧୯ରେ ମଧ୍ୟ ଅନୁରୂପ ଆର୍ଥିକ ଅନିୟମିତତା ହୋଇଥିବା ଓ ଏଥିରେ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ନେଇ ଏକ ଅନୁସନ୍ଧାନମୂଳକ ତଥ୍ୟ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର