ଯାଜପୁରସଦର: ଯାଜପୁର ସହର ମଝିରେ ଚୋରାବାଲି ଓ ଚିପ୍ସର ପାହାଡ଼। ତାହା ପୁଣି ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଦା ହୋଇଛି। ୪୦ ରୁ ୫୦ ଫୁଟ ଉଚ୍ଚତାରେ ଏକ ବିରାଟ ଅଞ୍ଚଳରେ ବାଲି ଗଦା କରାଯିବାକୁ ନେଇ ସହରବାସୀଙ୍କ ମଧ୍ୟରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏଭଳି ବାଲି ଓ ଚିପ୍ସ କେଉଁଠୁ ଅଣାଯାଇଛି ? କେଉଁ ଠିକାସଂସ୍ଥା ଏଭଳି କାମ କରୁଛି ? ସରକାର ଏ ବାବଦରେ ରାଜସ୍ବ ପାଇଛନ୍ତି କି? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ପ୍ରଶାସନ ମୁହଁ ଖୋଲୁନି।
ଯାଜପୁର ସହରର ​ବୈତରଣୀ କୂଳକୁ ପୋତି ଅନେକ ପ୍ରକଳ୍ପ କରାଯାଇଛି। ଏହାଦ୍ବାରା ପ୍ରାକୃତିକ ଜଳ ନିଷ୍କାସନ ପଥ ଅବରୋଧ ହେଉଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ପ୍ରକଳ୍ପ ନିର୍ମାଣ ଶେଷ ହେବାଯାଏ ସେ ସଂପର୍କରେ କେହି ଟେର ପାଉ ନାହାନ୍ତି। ଏଭଳି ଗୋପନ ନିର୍ମାଣକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ପ୍ରକଳ୍ପ ପାଇଁ ବ୍ୟାପକ ଚୋରା ବାଲି ବ୍ୟବହାର ହେଉଥିଲେ ମଧ୍ୟ ପ୍ରଶାସନ ମୁହଁରେ ତୁଣ୍ଡି ବାନ୍ଧି ବସିଛି। କିଛି ମାସ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୈତରଣୀ ନଦୀପଠାର ୨୦ ଏକରରୁ ଊର୍ଦ୍ଧ୍ବ ଜମିକୁ ପୋତାଯାଇଥିଲା। ସୂଚନା ଅଧିକାରରେ ତଥ୍ୟ ମଗାଯିବାରୁ ଉଭୟ ଜଳ ସଂପଦ ବିଭାଗ ଓ ପୂର୍ତ୍ତ ବିଭାଗ ଏ ସଂପର୍କରେ ସୂଚନା ନଥିବା ଦର୍ଶାଇଥି​ଲେ। ଲକ୍ଷାଧିକ ଟ୍ରିପ ବାଲିରେ ଏହି ଅଞ୍ଚଳକୁ ସମତୁଳ କରାଯାଇଥିଲା। ବର୍ତ୍ତମାନ ସେହି ସ୍ଥାନରେ ଏବେ ୪୦/୫୦ ଫୁଟ ଉଚ୍ଚର ବାଲି ଓ ଚିପ୍ସ ଗଦା ହୋଇଛି। ଏଠାରେ ୫ଶହ କୋଟି ଟଙ୍କାର କ୍ରୀଡ଼ା ଏକାଡେମୀ ହେବ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ନଦୀପଠାରେ କ୍ରିକେଟ ଓ ଫୁଟବଲ ଷ୍ଟାଡିୟମ ନିର୍ମାଣ ହେବାକୁ ଯାଉଛି। ସହରର ବିକାଶକୁ ସମସ୍ତେ ସ୍ବାଗତ କରୁଥିବା ବେଳେ ପ୍ରକଳ୍ପ ନିର୍ମାଣ ପାଇଁ ଜମି ପ୍ରସ୍ତୁତିରେ ବ୍ୟାପକ ଅନିୟମିୟତା, ଚୋରା ବାଲି ବ୍ୟବହାରକୁ ଅନେକ ନାପସନ୍ଦ କରିଛନ୍ତି। କେଉଁ ଠିକାସଂସ୍ଥା ଏଭଳି ହଜାର ହଜାର ଟ୍ରିପ ବାଲି ଗଦା କରୁଛି ସେ ସଂପର୍କରେ କେହି ମୁହଁ ଖୋଲୁ ନାହାନ୍ତି। ଏନେଇ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା କହିଛନ୍ତି ଅନେକ ସ୍ଥାନରୁ ନଦୀଶଯ୍ୟାକୁ ତାଡ଼ି ବାଲି ଉଠିଛି । ଏଠାରେ ବେଆଇନ୍ ଭାବେ ନଦୀପାର୍ଶ୍ବକୁ ପୋତା ଯାଉଛି। ଉଭୟ କାର୍ଯ୍ୟ ଆଇନ ସମ୍ମତ ନୁହେଁ। ଏ ନେଇ ଖୁବ୍ଶୀଘ୍ର କୋର୍ଟରେ ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି। ଏ ନେଇ ଲଘୁ ଖଣିଜ ସଂପଦ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରନି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବାଲି, ଚିପ୍ସ ପାହାଡ଼
କିଏ କାହିଁକି ଗଦା କରୁଛି ଉତ୍ତର ମିଳୁନି
/sambad/media/post_attachments/wp-content/uploads/2024/07/58b185b7-3c81-44d8-a9b1-c6c26a0e3172.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)