ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଦେଇ ପ୍ରବାହିତ ହେଉଥିବା ସମାକୋଇ ନଦୀ ଦିନକୁ ଦିନ କୂଳ ଖାଇ ଜନବସତି ଆଡ଼କୁ ମାଡ଼ି ଆସୁଛି। ନଦୀଶଯ୍ୟାରୁ ବେଆଇନ ବାଲି ଉତ୍ତୋଳନ ଓ ନଦୀପଠାରୁ ଇଟାଭାଟି ପାଇଁ ମାଟି ଖୋଳା ଚାଲିଥିବାରୁ ବନ୍ୟା ଆସିଲେ ନଦୀର ଉଭୟ ପାର୍ଶ୍ବରୁ ଅତଡ଼ା ଖସୁଛି। ନଦୀର ଉପର ଓ ତଳମୁଣ୍ଡରେ ପ୍ରାୟ ୨୫ ଏକର ଜମି ନଦୀଶଯ୍ୟାରେ ମିଶି ଯାଇଥିବା ବେଳେ ଆଗାମୀ ଦିନରେ ତେଲକୋଇର ତଳସାହି ସମାକୋଇ ନଦୀଗର୍ଭରେ ଲୀନ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ତେଲକୋଇ ଘରମା ନିକଟରେ ସମାକୋଇ ନଦୀକୂଳରେ ପୂର୍ବରୁ ଜନବସତି ଥିଲା। ତେବେ ନଦୀର ଗତିପଥ ବଦଳିବା କାରଣରୁ ଲୋକେ ଉକ୍ତ ସ୍ଥାନ ଛାଡ଼ି ଅନ୍ୟତ୍ର ପଳାଇଥିଲେ। ଏବେ ସମାକୋଇ ଦ୍ରୁତଗତିରେ ପ୍ରଶସ୍ତ ହେବାରେ ଲାଗିଛି। ବର୍ଷାଦିନେ ବନ୍ୟାଜଳ କୂଳ ଖାଇବା ସହିତ ନଦୀର ଗତିପଥ ବଦଳୁଛି। ଘରମା ନିକଟରେ ୨୦୦ ମିଟରରୁ ଊର୍ଦ୍ଧ୍ବ ଅଞ୍ଚଳ ନଦୀ ଗର୍ଭରେ ଲୀନ ହୋଇଗଲାଣି। ସେହିପରି ଚଳିତବର୍ଷ ବନ୍ୟାରେ ଏହି ସ୍ଥାନରେ ସମାକୋଇର ବନ୍ୟାଜଳ ପଶି ଆସି ମାଟି ଧୋଇ ନେଇଛି। ଫଳରେ ଏଠାରେ ଏକ ୧୫୦ ମିଟର ଲମ୍ବର ନାଳ ସୃଷ୍ଟି ହୋଇଛି। ଏଠାରୁ ମାତ୍ର ୧୫୦ ମିଟର ଦୂରରେ ଥିବା ତଳସାହି ପାଇଁ ଏହି ନାଳ ବିପଦ ସୃଷ୍ଟି କରୁଛି। କିଛିଦିନ ତଳେ ହୋଇଥିବା ଲଗାଣବର୍ଷାରେ ନଦୀର ବନ୍ୟାଜଳ ନିକଟରେ ଚାଷଜମିକୁ ବହୁଦିନ ଧରି ବୁଡ଼ାଇ ରଖିଥିଲା। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ନଦୀର କୂଳ ଖାଇବା ଯୋଗୁଁ ନିକଟରେ ଥିବା ଚାଷଜମି ଓ ଜଙ୍ଗଲ କ୍ଷତିଗ୍ରସ୍ତ ହେଉଛି।

publive-image

ନଦୀର ଉପରମୁଣ୍ଡ ସାହି ନିକଟ ଘରମାଠାରେ ସ୍ବର୍ଗତ ବନମାଳୀ ପ୍ରଧାନ, ଚକ୍ର ଦେହୁରୀ, ମିଟୁ ଦେହୁରୀ, ଭ୍ରମର ଦେହୁରୀ, ଇନ୍ଦ୍ରମଣି ବେହେରା, ନରୋତ୍ତମ ବେହେରା, ବସନ୍ତ ବେହେରା, କାଳିଆ ବେହେରା, ତଅଁଳୁ ପ୍ରଧାନ, କମଳ ସାହୁଙ୍କ ୧୦ ଏକର ଚାଷଜମି ନଦୀ ଗର୍ଭରେ ଲୀନ ହୋଇଯାଇଛି। ସେହିପରି ତଳମୁଣ୍ଡ କୁହାଯାଉଥିବା ରଣାକୁଦୁରରେ ସ୍ବର୍ଗତ ବେଣୁଧର ପ୍ରଧାନ, ବନମାଳୀ ପ୍ରଧାନ, ଉମା ପ୍ରଧାନ, ଗୋବର୍ଦ୍ଧନ ପ୍ରଧାନ, ରଙ୍ଗାଧର ସାହୁ, ପ୍ରଫୁଲ୍ଲ ସାହୁଙ୍କ ୧୫ ଏକର ଚାଷଜମି ନଦୀରେ ମିଶିଯାଇଛି। ମାଫିଆମାନେ ପ୍ରତିଦିନ ଜେସିବି ମେସିନ ଲଗାଇ ନଦୀର ଲିଜ୍‌ ଅଞ୍ଚଳ ଓ ଲିଜ୍‌ ଅଞ୍ଚଳ ବାହାରୁ ବେଆଇନ ଭା‌ବେ ବାଲି ଉତ୍ତୋଳନ କରୁଛନ୍ତି। ଇଟାଭାଟି ପାଇଁ ନଦୀପଠାରୁ ଲୋକେ ମାଟି ତାଡ଼ି ନେଉଛନ୍ତି। ସେହିପରି ନଦୀପଠାରୁ ଅବାଧ ଗଛ କଟାଯାଉଛି। ଯେଉଁଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଏନେଇ ତେଲକୋଇ ତଳସାହିର ବରିଷ୍ଠ ନାଗରିକ ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ, ବେଆଇନ ବାଲି ଉତ୍ତୋଳନ ଯୋଗୁଁ ଏଭଳି ସମସ୍ୟା ହେଉଛି। ଆଗକୁ ଏହା ଉପରେ କଟକଣା ଜାରି କରାନଗଲେ ତଳସାହି ନଦୀ ଗର୍ଭରେ ଲୀନ ହୋଇଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ଯୁଗଳ କିଶୋର ପ୍ରଧାନ କହିଛନ୍ତି, ନଦୀକୂଳରେ ପଥର ପ୍ୟାକିଂ ଓ ଗାର୍ଡୱାଲ ନିର୍ମାଣ କରାନଗଲେ ତଳସାହି ପ୍ରତି ବିପଦ ସୃଷ୍ଟି ହେବ। ସେହିପରି ସାଂସଦଙ୍କ ତେଲକୋଇ ବ୍ଲକ୍‌ ପ୍ରତିନିଧି କୈଳାସ ଚନ୍ଦ୍ର ପ୍ରଧାନଙ୍କ କହିବା ହେଲା, ବାଲି ଓ ଇଟା ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁଁ ଆଜି ସମାକୋଇ ନଦୀ ତେଲକୋଇ ଅଞ୍ଚଳବାସୀଙ୍କ ପାଇଁ ଦୁଃଖ ପାଲଟିବାକୁ ଯାଉଛି। ଏନେଇ ସେ ଖୁବଶୀଘ୍ର ଏନ୍‌ଜିଟିଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।