ସୁନ୍ଦରଗଡ଼: ବାଇକ୍ ବୋହୁଛି ବାଲି। ୬ଟି ଟ୍ରାକ୍ଟର ସହ ହଜାରେ ସିଏମ୍‌ ବାଲି ଉଠାଇଛି ୨ଟି ବାଇକ୍। କଥାଟି ସତ ଲାଗୁ ନଥିଲେ ମଧ୍ୟ ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି ସୁନ୍ଦରଗଡ଼ ତହସିଲରୁ। ଖୋଦ୍‌ ତହସିଲଦାର ବାଲି ବୋହିବାକୁ ୮ଟି ଟ୍ରାକ୍ଟରକୁ ଅନୁମତି ଦେଇଥିବା ବେଳେ ସେଥିମଧ୍ୟରୁ ୨ଟି ବାଇକ୍‌ ଥିବା ଜଣାପଡ଼ିଛି। ଯାହା ସୁନ୍ଦରଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି। କେଉଁ ପରିସ୍ଥିତିରେ ଟ୍ରାକ୍ଟର ଦର୍ଶାଇ ବାଇକ୍‌ ନମ୍ବରରେ ବାଲି ଉଠାଇବାକୁ ଉଦ୍ୟମ କରାଯାଇଥିଲା, ଅନୁମତି ଦେବା ପୂର୍ବରୁ ତହସିଲଦାର କାହିଁକି ଏହାର ଯାଞ୍ଚ କଲେ ନାହିଁ, ନା ଏହା ଭିତରେ ଆଉ କିଛି ରହସ୍ୟ ରହିଛି ତାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି। ପ୍ରକାଶଯୋଗ୍ୟ, ସୁନ୍ଦରଗଡ଼ ପୌରାଞ୍ଚଳର ୮୫୦ ପ୍ରଧାନମନ୍ତ୍ରୀ ଆବାସ ଓ ରାସ୍ତା, ଡ୍ରେନ ଓ କୋଠା ନିର୍ମାଣ ନିମନ୍ତେ ଆବଶ୍ୟକ ୧ ହଜାର ସିଏମ୍‌ ବାଲି ଉଠାଣ ପାଇଁ ଅନୁମତି ଦେବାକୁ ପୌର ନିର୍ବାହୀ ଅଧିକାରୀ ଗତ ଅକ୍ଟୋବର ୧୯ ତାରିଖରେ ତହସିଲଦାରଙ୍କୁ ଅନୁରୋଧ କରିଥିଲେ।

Advertisment

ଅକ୍ଟୋବର ୨୦ରେ ସଦର ତହସିଲଦାର ନିଲାମ ବାହାରେ ହଜାରେ ସିଏମ୍‌ ବାଲି ଉଠାଇବାକୁ ଅନୁମତି ଦେଇଥିଲେ। ଅକ୍ଟୋବର ୨୧ ତାରିଖରୁ ନଭେମ୍ବର ୯ ତାରିଖ ମଧ୍ୟରେ ଇବ୍‌ ନଦୀରୁ ଏହା ଉଠାଇବାକୁ ଅନୁମତିପତ୍ରରେ ନିର୍ଦ୍ଦେଶ ଥିଲା। ଯାହା ଲଘୁ ଖଣିଜ ଦ୍ରବ୍ୟ ଉଠାଣ ବା ପରିଚାଳନା ନିୟମର ବିରୁଦ୍ଧାଚରଣ ବୋଲି ଅଭିଯୋଗ ହୋଇଥିଲା। ତେବେ ତହସିଲଦାର ନିର୍ଦ୍ଦିଷ୍ଟ ଭାବେ ୮ଟି ଟ୍ରାକ୍ଟର ( ଓଆର-୧୬ବି- ୪୭୬୨, ଓଆର-୧୬ଡି-୨୧୮୯, ଓଆର-୧୬-୦୨୯୪, ଓଡି-୧୬-୯୩୯୯, ଓଆର-ଇ- ୦୧୦୫, ଓଡି-ଇ- ୫୧୫୭, ଓଡି-୧୬ ବି-୨୭୩୮, ଓଡି-୧୬ଡି- ୦୪୮୩)କୁ ବାଲି ଉଠାଇବାକୁ ଅନୁମତି ପ୍ରଦାନ କରିଥିବା ବେଳେ ସେଥିମଧ୍ୟରୁ ଓଆର-୧୬ଡି-୨୧୮୯ ନମ୍ବର ଗାଡ଼ିଟି ହିରୋହୁଣ୍ଡା ସିବିଜେଡ୍‌ ଏକ୍ସଟ୍ରିମ୍ ଓ ଓଆର-୧୬-୦୨୯୪ ନମ୍ବର ଗାଡ଼ିଟି ବଜାଜ ବୋଲି ଜଣାପଡ଼ିଛି।

ଏପରି ଚଞ୍ଚକତା ସମ୍ପର୍କରେ ତହସିଲଦାର କେମିତି ଜାଣି ପାରିଲେ ନାହିଁ ଓ କାହିଁକି ଆଖି ବୁଜି ଅନୁମତି ଦେଲେ ତାହା ଏକ ଭିନ୍ନ ପ୍ରଶ୍ନ ହୋଇ ସହରରେ ଘୂରି ବୁଲୁଛି। ଜିଲ୍ଲାପାଳ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ‌ରେ ଦାବି ହେଉଛି।