ଆନ୍ଧ୍ରକୁ ବାଲି ଚୋରା ଚାଲାଣର ଗୁମର ଖୋଲୁଛିଟ୍ଟ ତଦନ୍ତ ରିପୋର୍ଟ ଚପାଇ ଦେବାକୁ ଉଦ୍ୟମ!

ଲିଜଧାରୀଙ୍କୁ ସୁହାଇବା ଭଳି ପ୍ରସ୍ତୁତ ହେଉଛି ରିପୋର୍ଟ; ଓକିଲଗୁଡ଼ା, କଣ୍ଟ୍ରାବାଲି, ଭାମିନି ଘାଟ ଷ୍ଟେସନ ତଦନ୍ତରୁ ସ୍ପଷ୍ଟ

ରାୟଗଡ଼ା: ବେଆଇନ ବାଲି ଚାଲାଣ ବାବଦକୁ ୨ ଲକ୍ଷ ଜରିମାନା ଆଦାୟ ହୋଇଛି। ୨ଟି ଟ୍ରକ୍ ବି ଜବତ କରିଛୁ। ଲିଜଧାରୀକୁ କାରଣ ଦର୍ଶାଅ ନୋଟିସ୍ ଜାରି ସହ ଘାଟରୁ ଜେସିବି ମାଧ୍ୟମରେ ବାଲି ଉଠୁନି। ସବୁ କିଛି ନୀତି, ନିୟମରେ ଚାଲିଛି। ଜାଲ୍ ୱାଇ ଫର୍ମ ସଂପର୍କରେ ତଦନ୍ତ ଚାଲିଛି। ରାୟଗଡ଼ା ତହସିଲ ଖିଲିମିସିଗୁଡା ବାଲିଘାଟ ଅନିୟମିତତା ସଂପର୍କରେ ଲିଜଧାରୀଙ୍କୁ ସୁହାଇବା ଭଳି ତଦନ୍ତକାରୀ ଅଧିକାରୀ ରିପୋର୍ଟ ପ୍ରସ୍ତୁତ କରୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ତଦନ୍ତ ରିପୋର୍ଟରେ ଲିଜଧାରୀଙ୍କ ସପକ୍ଷରେ ପ୍ରଶାସନ ଯୁକ୍ତି ବାଢ଼ିବା ସହ ନିଜ ଦୋଷ, ଦୁର୍ବଳତାକୁ ଢ଼ାଙ୍କିବାକୁ ଉଦ୍ୟମ କରିଛି। ପ୍ରତିଦିନ ଏହି ଘାଟରୁ ୩୦ରୁ ୪୦ଟି ଟ୍ରକ୍, ଟିପରରେ ଆନ୍ଧ୍ରକୁ ବାଲି ଚାଲାଣ ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଆନ୍ଧ୍ରକୁ ବାଲି ଚାଲାଣ ବୈଧ ବୋଲି ଦର୍ଶାଇଛନ୍ତି। ବାହାର ରାଜ୍ୟକୁ ବାଲି ଚାଲାଣ ପାଇଁ କୋର୍ଟଙ୍କ ନିର୍ଦେଶ ଥିବାରୁ ରାଜସ୍ବ ବିଭାଗ ଅଧିକାରୀ-ଲିଜଧାରୀ ସଲାସୁତୁରାରେ ନଦୀଶର୍ଯ୍ୟାରୁ ଜେସିବି ମେସିନ୍ ଦ୍ବାରା ବାଲି ଉତ୍ତୋଳନ କରି କରି ରାଜସ୍ବ ଓ ଜିଏସଟି ବାବଦ ଟିକସରୁ ମାସିକ ଲକ୍ଷାଧିକ ଟଙ୍କା କିକବ୍ୟାକ୍ କରୁଥିବା ଅଭିଯୋଗ ହୋଇଛି। ଲିଜ୍ ଅଞ୍ଚଳ ବାହାରେ ଲିଜଧାରୀ ବାଲି ଉତ୍ତୋଳନ କରି ଘାଟରୁ ୧ କିମି ଦୂରରେ ଡମ୍ପିଂ କରି ଦିନ ରାତି ଆନ୍ଧ୍ର ସମେତ ବିଭିନ୍ନ ସହରକୁ ଚାଲାଣ କରୁଛନ୍ତି।

ଯାହା ଦ୍ବାରା ନାଗାବଳୀ ନଦୀଗର୍ଭ ବିପଦମୁଖୀ ହେବା ସହିତ ନଦୀର ଗତିପଥ ପରିବର୍ତ୍ତନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବାଲି ଉତ୍ତୋଳନ ସ୍ଥାନରୁ ୩୦୦ ମିଟର ଦୂରରେ ସୀମାନ୍ତ ଗାଁକୁ ସଂଯୋଗ ପାଇଁ ପୋଲ ନିର୍ମାଣ ହୋଇଥିବାରୁ ନଦୀର ଗତିପଥ ପରିବର୍ତ୍ତନ ହେଲେ ପୋଲ ପ୍ରତି ବିପଦ ସୃଷ୍ଟି ହୋଇପାରେ। ଏହା ସତ୍ତ୍ବେ ପ୍ରଶାସନ ରାଜସ୍ବ ନିଶାରେ ଲିଜଧାରୀଙ୍କ ସପକ୍ଷରେ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିବାକୁ ଉଦ୍ୟମ କରୁଛି। ବାଲି ଚୋରା ଚାଲାଣକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଲିଜ୍ ବାତିଲ୍ ପାଇଁ ବିଭିନ୍ନ ମହଲରେ ଦାବି ହେଉଥିବାରୁ ପ୍ରଶାସନ ଚାପରେ ରହିଛି। ବିଭାଗୀୟ ସଚିବ ଘଟଣାର ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ଲିଜ୍ ଅଞ୍ଚଳ ପରିଦର୍ଶନ କରି ପ୍ରାଥମିକ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ ପରେ ରିପୋର୍ଟ ସଚିବଙ୍କ  ନିକଟକୁ ଯିବ। କିନ୍ତୁ ସଚିବଙ୍କ ନିର୍ଦେଶକୁ ଇତି ମଧ୍ୟରେ ୩ ଦିନ ବିତିଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ରିପୋର୍ଟ ଦାଖଲରେ ସଫଳ ହୋଇନି।

ଅନ୍ୟପକ୍ଷରେ ତଦନ୍ତ ରିପୋର୍ଟ ବାଟବଣା ହୋଇଥିବାରୁ ଲିଜଧାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆଶା କ୍ଷୀଣ ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ବିଗତ ଦିନରେ ଗୁଣପୁର ବ୍ଲକ୍ ଓକିଲଗୁଡ଼ା ପଥର ଖାଦାନା, ମୁନିଗୁଡ଼ା ବ୍ଲକ୍ କଣ୍ଟ୍ରାବାଲି କଳାପଥର ଖାଦାନା ଓ ରାମନାଗୁଡ଼ା ବ୍ଲକ୍ ଭାମିନି ବାଲିଘାଟରେ ଅନିୟମିତତା ଅଭିଯୋଗ ପରେ ଷ୍ଟେସନ ସର୍ଭେ ପାଇଁ ବିଭାଗ ନିର୍ଦେଶ ଦେଇଥିଲା। କଣ୍ଟ୍ରାବାଲି ଷ୍ଟେସନ ସର୍ଭେ ରିପୋର୍ଟ ଏଯାବତ୍ ବିଭାଗର ହସ୍ତଗତ ହୋଇନଥିବା ବେଳେ ଓକିଲଗୁଡା ଖାଦାନରୁ ମାତ୍ର ୨ ଲକ୍ଷ ଟଙ୍କାର ପଥର ଅଧିକ ଉତ୍ତୋଳନ ହୋଇଥିବା ତଦନ୍ତକାରୀ ଟିମ୍ ଦର୍ଶାଇଛି। ସେହିପରି ଭାମିନି ବାଲିଘାଟରେ କୌଣସି ଅନିୟମିତତା ହୋଇନଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯାହା ବିଭାଗୀୟ ତଦନ୍ତ ପ୍ରତି ଅଙ୍ଗୁଳି ନିର୍ଦେଶ କରିବା ସହିତ ଲିଜଧାରୀଙ୍କ ସହ ତଦନ୍ତକାରୀ ଅଧିକାରୀଙ୍କ ସଲାସୁତୁରାକୁ ପଦାରେ ପକାଇଛି।

ସମ୍ବନ୍ଧିତ ଖବର